କର୍କଟକୁ ହରାଇଲେ ମାଇକେଲ ନବ୍ସ

ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ ମାସରେ କରୋନା ମହାମାରୀ ସାରା ବିଶ୍ବରେ ନିଜର କାୟା ବିସ୍ତାର କରିଥିଲା। ଏହି ସମୟରେ ଭାରତର ପୂର୍ବତନ ହକି ପ୍ରଶିକ୍ଷକ (୨୦୧୧ରୁ ୨୦୧୩) ମାଇକେଲ୍‌ ନବ୍ସ ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହା ଶୁଣି ୬୬ ବର୍ଷୀୟ ନବ୍ସ ସ୍ତବ୍ଧ ହୋଇଯାଇଥିଲେ। ନିଜର ଦୁଇ ଝିଅ କାଟଲିନ୍‌ (ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆ ‌ହକି ଦଳର ସଦସ୍ୟା) ଓ ଜାମିଙ୍କ ମୁହଁକୁ ଅନେଇ ରହିଥିଲେ। ତେବେ ୬ ମାସର ଲଢ଼େଇ ପରେ ନବ୍ସ କର୍କଟ ବିପକ୍ଷରେ ବିଜୟୀ ହୋଇଛନ୍ତି। ଏବେ ସେ କର୍କଟ ରୋଗ ମୁକ୍ତ।

ମୁଁ ପ୍ରଶିକ୍ଷକ ଜୀବନ ସାଙ୍ଗକୁ ଦୁଇ ଝିଅଙ୍କ ସହ ‌ବେଶ୍‌ ଭଲରେ ଥିଲି। ଗତ ମାର୍ଚ ୩୧ରେ ମୁଁ ପ୍ରଫେସର ମାଇକେଲ ୱିଲସନ୍‌ଙ୍କ ଅଫିସ୍‌କୁ ଯାଇଥିଲି। ସେଠାରେ ମୋତେ ଫୁସ୍‌ଫୁସ୍‌ କର୍କଟ ହୋଇଥିବା ଜଣାଇଥିଲେ। ଏହା ଶୁଣି ମୋତେ କିପରି ହେଲା ବୋଲି ପ୍ରଶ୍ନ କରିଥିଲି। ମୁଁ ଧୂମପାନ କରେନି, କୌଣସି ମାଦକ ଦ୍ରବ୍ୟ ସେବନ କରେନି, ହେଲେ କିପରି ହେଲା। ମୁଁ ଯାଉଛି ମରିବି। ମୋ ଝିଅମାନଙ୍କୁ, ସାଙ୍ଗସାଥୀଙ୍କୁ କିପରି କହିବି। ଏଭଳି ପ୍ରଶ୍ନ ପରେ ପ୍ରଫେସର ‌ୱିଲସନ୍‌ କହିଥିଲେ, ଆଉ କିଛି ପଚାରିବ କି? ତାପରେ କ’ଣ ତାଙ୍କୁ କହିଛି ମୋର ମନେ ନାହିଁ। ସେଠାରୁ ବାହାରି ଆସି ମୋ କାର୍‌ରେ କାନ୍ଦିବାକୁ ଲାଗିଲି। ମୁଁ ସେପରି କିଛି କାମ କରିନି। ଏଭଳି ଘଟଣା କ’ଣ ପାଇଁ ଘଟିଲା ନିଜକୁ ପ୍ରଶ୍ନ କରି ଚାଲିଥାଏ। ପ୍ରାରମ୍ଭିକ ଝଟ୍‌କା ପରେ ମୁଁ ମୋ ପରିବାର ଓ ସାଙ୍ଗସାଥୀଙ୍କୁ ଏଥିରୁ ମୁକୁଳିବାର ବାଟ ଲାଗି କଲ୍‌ କରିବା ଆରମ୍ଭ କରିଥିଲି। ତାପରେ ନିଜକୁ ନଜେ କହିଲି ‌ମୁଁ ଜଣେ କ୍ରୀଡ଼ାବିତ୍‌, ଜୀବନ ହେଉଛି ମୁକାବିଲାର। ଏବେ ଆଉ ଏକ ପ୍ରକାର ଯୁଦ୍ଧ ଲଢ଼ିବାର ଅଛି। ‌ଶେଷରେ ଦେଶର ଏକ ନାମି ମେଡିକାଲ୍‌ କଲେଜ ସିଡ୍‌ନିସ୍ଥିତ ମାକ୍ବାରିଏ ୟୁନିଭରସିଟି ହସ୍‌ପିଟାଲ୍‌ର ୩ ଜଣ ପ୍ରଫେସର ମୋର ଚିକିତ୍ସା କଲେ। ସେମାନଙ୍କ ସଫଳ ଚିକିତ୍ସାରେ ମୁଁ ଭଲ ହେଲି ବୋଲି ନବ୍ସ କର୍କଟକୁ ପରାସ୍ତ କରିବା ପରେ କହିଛନ୍ତି।

ସମ୍ବନ୍ଧିତ ଖବର