ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ରୁ‌ ଶ୍ରେଷ୍ଠ ଓପନର୍‌

ନୂଆଦିଲ୍ଲୀ: ବିଶ୍ବର ଏପରି କିଛି ବ୍ୟାଟ୍ସମ୍ୟାନ୍‌ ଅଛନ୍ତି ଯିଏ ନିଜ କ୍ରିକେଟ୍‌ ଜୀବନ ଆରମ୍ଭରୁ ମଧ୍ୟଭାଗରେ ଖେଳୁଥିଲେ। ଏହି ସ୍ଥାନରେ କିଛି ସଫଳତା ପାଇବା ସହ ବିଫଳ ବି ହୋଇଥି‌‌‌ଲେ। ପରବର୍ତ୍ତୀ ସମୟରେ ଏମାନେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ (ଓପନର୍‌) ଭାବେ ଖେଳି ସଫଳ ହେବା ସହ ମ୍ୟାଚ୍‌ ବିଜେତା ଭାବେ ଗଣା ହୋଇଥିଲେ। ଆମେ ଆଜି ୫ ଜଣ ଏମିତି ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ଆଲୋଚନା କରିବା, ଯେଉଁମାନେ ମଧ୍ୟଭାଗ ଛାଡ଼ି ପାଳି ଆରମ୍ଭ କରିବା ପରେ ବହୁ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।

ରୋହିତ ଶର୍ମା (ଭାରତ): ୨୦୦୭ରେ ରୋହିତ ଶର୍ମା ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହି ସମୟରେ ସେ ମଧ୍ୟଭାଗରେ ଖେଳୁଥିଲେ। ୨୦୧୩ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଗୌତମ ଗମ୍ଭୀରଙ୍କ ସହ ସେ ଓପନିଂ କରିବାର ସୁଯୋଗ ପାଇଥି‌ଲେ। ଏହି ମ୍ୟାଚ୍‌ରେ ରୋହିତ ୮୩ ରନ୍‌ କରିଥିଲେ। ଏହା ପରଠୁ ସେ ପ୍ରାରମ୍ଭିକ ବ୍ୟାଟିଂ ସ୍ଥାନକୁ ପକ୍କା କରି ନେଇଥିଲେ। ଏହି ସ୍ଥାନରେ ସେ ସୀମିତ ଓଭର କ୍ରିକେଟ୍‌ରେ ‌ବହୁ କୀର୍ତ୍ତିମାନ କରି ସାରିଲେଣି।
ସନଥ ଜୟସୂରିୟା (ଶ୍ରୀଲଙ୍କା): ଶ୍ରୀଲଙ୍କାର ଜଣେ ଶ୍ରେଷ୍ଠ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ସନଥ ଜୟସୂରିୟା ପରିଚିତ। କିନ୍ତୁ ସେ କ୍ରିକେଟ୍ ଜୀବନ ଆରମ୍ଭରୁ ମଧ୍ୟଭାଗରେ ଭଲ ଖେଳୁଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ୧୯୯୩-୯୪ ପର୍ଯ୍ୟନ୍ତ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିଲେ। ୧୯୯୪ରେ ପାକିସ୍ତାନ ବିପକ୍ଷ ଦିନିକିଆରେ ସେ ପ୍ରଥ‌ମ ଥର ଲାଗି ଅର୍ଜୁନ ରଣତୁଙ୍ଗାଙ୍କ ସହ ପ୍ରାରମ୍ଭିକ ବ୍ୟାଟିଂକୁ ଓହ୍ଲାଇଥିଲେ। ଏହି ସ୍ଥାନରେ ଅପାର ସଫଳତା ପାଇବା ସହ ଶ୍ରୀଲଙ୍କାର ୧୯୯୬ ବିଶ୍ବକପ୍ ବିଜୟରେ ପ୍ରମୁଖ ଭୂମିତା ତୁଲାଇଥିଲେ।
କ୍ରିସ୍‌ ଗେଲ୍‌ (ୱେଷ୍ଟ୍‌ଇଣ୍ଡିଜ୍‌): ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିକେଟ୍‌ ଜୀବନ ଆରମ୍ଭ କଲା ବେଳେ ଚତୁର୍ଥ ସ୍ଥାନରେ ଖେଳୁଥିଲେ। ଅନ୍ତର୍ଜାତୀୟ ପଦାପର୍ଣ ବେ‌ଳେ ସେ ସପ୍ତମ ସ୍ଥାନରେ ବ୍ୟାଟିଂକୁ ଆସୁଥିଲେ। ଗେଲ୍ ୨୦୦୦ ମସିହାରେ ବ୍ରିଷ୍ଟଲ୍‌ରେ ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ଦିନିକିଆରେ ପ୍ରଥମ ଥର ଲାଗି ଓପନିଂ କରିବାର ସୁଯୋଗ ପାଇଥିଲେ। ଏହି ମ୍ୟାଚ୍‌ରେ ସେ ୪୧ ରନ୍‌ କରିଥିଲେ। ୨୦୦୧ରେ ଗେଲ୍‌ କେନିଆ ବିପକ୍ଷରେ ଶତକ ହାସଲ କରିବା ପରେ ଏହି ସ୍ଥାନକୁ କବ୍‌ଜା କରି ନେଇଥିଲେ।
ବୀରେନ୍ଦ୍ର ସେହବାଗ (ଭାରତ): ଏହି ଭାରତୀୟ ‌ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ପଦାର୍ପଣ ବେଳେ ୬ ନମ୍ବରରେ ବ୍ୟାଟିଂ କରୁଥିଲେ। ଏହି ସ୍ଥାନରେ ସେ ବ୍ଲୋଏମଫୋଣ୍ଟିନ୍‌ରେ ନିଜର ପ୍ରଥମ ଟେଷ୍ଟ୍‌ ଶତକ ହାସଲ କରିଥିଲେ। ଏହି ସମାନ ସ୍ଥାନରେ ସେହବାଗ ପରବର୍ତ୍ତୀ ୫ ବର୍ଷ ଖେଳିଥିଲେ। ୨୦୦୨ରେ ଲର୍ଡସ୍‌ରେ ଓପନିଂ କରିବାକୁ ପ୍ରଥମେ ସୁଯୋଗ ପାଇଥିଲେ। ଏହି ମ୍ୟାଚ୍‌ରେ ସେହବାଗ ୮୪ ରନ୍‌ କରିଥିଲେ ଏବଂ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ନିଜର ଦ୍ବିତୀୟ ଶତକ ଅର୍ଜନ କରି ନେଇଥିଲେ। ଓପନର୍‌ ଭାବେ ସେ ଚମତ୍କାର ଖେଳିବା ସହ ବହୁଦିନ ଧରି ଭାରତୀୟ କ୍ରିକେଟ୍‌ ଦଳରେ ଖେଳିବାର ସୌଭାଗ୍ୟ ପାଇଥିଲେ।
ଆଦାମ ଗିଲକ୍ରିଷ୍ଟ (ଅଷ୍ଟ୍ରେଲିଆ): ଚମତ୍କାର ବ୍ୟାଟିଂ ପାଇଁ ଆଦାମ ଗିଲକ୍ରିଷ୍ଟ ପରିଚିତ। ଶେଷ ଓଭରଗୁଡ଼ିକରେ ଦ୍ରୁତ ରନ୍‌ ସଂଗ୍ରହ ପାଇଁ ପ୍ରାରମ୍ଭରୁ ସେ ନମ୍ବର ୭ରେ ବ୍ୟାଟିଂ କରୁଥିଲେ। ୧୯୯୮ ଜାନୁଆରେ ଦକ୍ଷିଣ ଆଫ୍ରିକା ବିପକ୍ଷ କାର୍ଲଟନ ଓ ୟୁନାଇଟେଡ୍‌ ଶୃଙ୍ଖଳାରେ ତାଙ୍କୁ ଓପନିଂ କରିବାର ସୁଯୋଗ ମିଳିଥିଲା। ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ‌‌ସେ ଶତକ ହାସଲ କରିଥିଲେ। ଏହାର ଦୁଇଟି ମ୍ୟାଚ୍‌ ପରେ ପୁଣି ଏକ ଶତକ ଅର୍ଜନ କରିଥିଲେ ଗିଲକ୍ରିଷ୍ଟ୍‌। ଏହାପରେ ସେ କେବେ ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଚିତ ହୋଇନଥିଲେ।

ସମ୍ବନ୍ଧିତ ଖବର