ନୂଆଦିଲ୍ଳୀ: ପୂର୍ବତନ ଭାରତୀୟ କ୍ୟାପଟେନ୍ ତଥା ଆଇପିଏଲ୍ରେ ଚେନ୍ନାଇ ସୁପର୍କିଙ୍ଗ୍ (ସିଏସ୍କେ)ର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚଳିତବର୍ଷ ଜୁଲାଇ ୭ ତାରିଖରେ ୪୨ ବର୍ଷର ହୋଇଯିବେ। ତେବେ କେତେକ ପ୍ରଶଂସକ ଆଶଙ୍କା କରୁଛନ୍ତି ଯେ ଆଇପିଏଲ୍ ୨୦୨୩ ଧୋନିଙ୍କର ଶେଷ ସିଜନ୍ ହୋଇପାରେ। ଏହାରି ଭିତରେ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍ର ବ୍ୟାଟିଂ କୋଚ୍ ମାଇକ୍ ହସି ଧୋନିଙ୍କ ସଂପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। ସେ ଆଇପିଏଲ୍ରୁ ଧୋନିଙ୍କ ସନ୍ୟାସ ନେବା ସଂପର୍କରେ ଏକ ସୂଚନା ଦେଇଛନ୍ତି।
ମାଇକ୍ ହସି ନିଜର ବୟାନ ଦେଇ କହିଛନ୍ତି, ‘ଏବେ ବି ଛକା ମାରିବାର ସାମର୍ଥ୍ୟ ରଖୁଥିବା ଧୋନି ନିଜ ଖେଳକୁ ନେଇ ଖୁବ୍ ପରିଶ୍ରମ କରୁଛନ୍ତି। ଯେବେ ପର୍ଯ୍ୟନ୍ତ ଧୋନିଙ୍କ ଖେଳ ମଜା ଲାଗୁଛି ସେତେଦିନ ପର୍ଯ୍ୟନ୍ତ ସେ ଖେଳି ଚାଲିବେ। ଧୋନି ଆଗାମୀ ୫ ବର୍ଷ ସେ ନଖେଳିବାର କୌଣସି କାରଣ ନାହିଁ।’ ମୋଟାମୋଟି ଧୋନି ଆଗାମୀ ୫ ବର୍ଷ ଆଇପିଏଲ୍ ଖେଳିବାର ସାମର୍ଥ୍ୟ ରଖନ୍ତି ବୋଲି ସେ ସଂକେତ ଦେଇଛନ୍ତି। ଆପଣ ଜାଣନ୍ତି ଯେ ଧୋନି ପ୍ରଥମ ସିଜିନ୍ରୁ ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ହୋଇ ଆସୁଛନ୍ତି ଓ ତାଙ୍କ ଅଧିନାୟିକତ୍ବରେ ଟିମ୍ ୪ ଥର ବିଜେତା ହୋଇ ସାରିଲାଣି।
ଉଲ୍ଲେଖଯୋଗ୍ୟ, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ବିଜ୍ଞାପନ ନିୟମର ଉଲ୍ଲଙ୍ଘନ କରିଥିବା ନେଇ ଏଏସ୍ସିଆଇ (ଆଡଭର୍ଟାଇଜିଂ ଷ୍ଟାଣ୍ଡାର୍ଡ୍ସ କାଉନସିଲ୍ ଅଫ୍ ଇଣ୍ଡିଆ) ଦର୍ଶାଇଛନ୍ତି। ଏଏସ୍ସିଆଇ ନିୟମ ଅଧୀନରେ ଭାରତରେ ବିଜ୍ଞାପନଗୁଡ଼ିକର ପରିଚାଳନା କରାଯାଉଥିବା ବେଳେ ଏହା ପକ୍ଷରୁ ଜାରି ହୋଇଥିବା ଅର୍ଦ୍ଧବାର୍ଷିକ ଅଭିଯୋଗ ରିପୋର୍ଟରେ ଧୋନି ଓ କୋହଲିଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ଧୋନି ଏହି ତାଲିକାର ଶୀର୍ଷରେ ରହିଛନ୍ତି।