କଳାହାଣ୍ଡି କପ୍‌ରେ ମିଲନଙ୍କ ହ୍ୟାଟ୍ରିକ: ସୁପରଲିଗ୍‌ରେ ଇକୋର୍ସା, ସୁନ୍ଦରଗଡ଼, ଖୋର୍ଦ୍ଧା

କଟକ: ଇକୋର୍ସା, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଚଳିତ କଳାହାଣ୍ଡି କପ୍‌ର ସୁପରଲିଗ୍‌ରେ ପ୍ରବେଶ କରିଛନ୍ତି। ସୋମବାର ଲିଗ୍‌ ପର୍ଯ୍ୟାୟର ପ୍ରଥମ ରାଉଣ୍ଡ ସୁଦ୍ଧା ଏହି ଦଳମାନେ ନିଜ ନିଜ ଗ୍ରୁପ୍‌ରେ ସମସ୍ତ ମ୍ୟାଚ୍‌ ଜିତି ଶୀର୍ଷରେ ରହିଥିଲେ। ୪ ତାରିଖରୁ ଅନ୍ୟ ତିନିଟି ଗ୍ରୁପ୍‌ର ଦ୍ବିତୀୟ ରାଉଣ୍ଡ ଖେଳାଯିବ। ସୋମବାର ମ୍ୟାଚ୍‌ ଗୁଡ଼ିକରେ ସନସାଇନ ପଡ଼ିଆରେ କେନ୍ଦ୍ରାପଡ଼ା ୧୬୭ ରନ୍‌ରେ ଗଞ୍ଜାମକୁ, ନିମପୁରରେ ଢେଙ୍କାନାଳ ୩ ୱିକେଟରେ ନବରଙ୍ଗପୁରକୁ, ବିଡ଼ାନାସୀରେ ଅନୁଗୁଳ ୧୪୪ ରନ୍‌ରେ କଳାହାଣ୍ଡିକୁ, ରେଭେନ୍ସା ୧ ନମ୍ବର ପଡ଼ିଆରେ କଟକ ବି’ ୮ ୱିକେଟରେ ମାଲକାନଗିରିକୁ, ରେଭେନ୍ସା ୨ ନମ୍ବର ପଡ଼ିଆରେ ସୁନ୍ଦରଗଡ଼ ୩ ୱିକେଟରେ ଭଦ୍ରକକୁ, ଏସ୍‌ସିବି ମେଡିକାଲ ପଡ଼ିଆରେ ଇକୋର୍ସା ୧୪୦ ରନ୍‌ରେ ବୌଦ୍ଧକୁ, କିଟ୍‌ରେ ନୟାଗଡ଼ ୬୦ ରନ୍‌ରେ ନୂଆପଡ଼ାକୁ, ଡ୍ରିମ୍ସରେ ଖୋର୍ଦ୍ଧା ୫ ୱିକେଟରେ ବାଲେଶ୍ବରକୁ, ପୂର୍ବତଟ ରେଳବାଇ ଷ୍ଟାଡିୟମରେ ଭୁବନେଶ୍ବର ଏ’ ୭ ୱିକେଟରେ ଦେଓଗଡ଼କୁ ହରାଇଛନ୍ତି।

ଅନୁଗୁଳର ମିଲନ ସାମଲ ସୋମବାର ଲଗାତାର ୩ ୱିକେଟ୍‌ ଦଖଲ କରି ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ସେ ତାଙ୍କ ବୋଲିଂର ଦ୍ବିତୀୟ ଓଭରରେ ଏହି ସଫଳତା ହାସଲ କରିଥିଲେ। କଳାହାଣ୍ଡି ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅନୁଗୁଳ ପ୍ରଥମେ ବ୍ୟାଟିଂ କରି ୧୯୮ ରନ୍‌ କରିଥିଲା। କଳାହାଣ୍ଡି ଏହାକୁ ପିଛା କରୁଥିଲା ବେଳେ ମ୍ୟାଚର ତୃତୀୟ ଓଭରରେ ମିଲନ ହ୍ୟାଟ୍ରିକ ୱିକେଟ ନେଇଥିଲେ। ତୃତୀୟ ବଲ୍‌ରେ ଅଭିଜିତ ମହାନ୍ତିଙ୍କୁ ୫ ରନ୍‌ରେ ଆଉଟ କରିଥିଲା ବେଳେ ପରବର୍ତ୍ତୀ ଦୁଇଟି ବଲ୍‌ରେ ଦୀନେଶ ମାଝୀ ଓ ଅଦ୍ବୈତ ଇଶାନ ଚାନ୍ଦଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିଅନ ଫେରାଇଥିଲେ। ଏହି ମ୍ୟାଚ୍‌ରେ ମିଲନ ୬.୩ ଓଭରରୁ ୩୩ ରନ୍‌ ବ୍ୟୟ କରି ମୋଟ ୫ ୱିକେଟ ନେଇଥିଲା ବେଳେ ସାଥୀ ବୋଲର ଦୀପକ ତିୱାରି ଅବଶିଷ୍ଟ ୫ ୱିକେଟ ଅକ୍ତିଆର କରିଥିଲେ। ଏହି ଦିନରେ ଇକୋର୍ସାର ସ୍ପିନର ଜୟନ୍ତ ବେହେରାଙ୍କୁ ମଧ୍ୟ ୫ ୱିକେଟ ସଫଳତା ମିଳିଛି।
ଅନ୍ୟପକ୍ଷରେ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ଆକାଶ ଚନ୍ଦ୍ର ନାୟକ (୧୧୨ ରନ୍‌) ଶତକୀୟ ପାଳି ଖେଳିଥିଲା ବେଳେ ଗିରିଜା ରାଉତ ୬୩, ସନ୍ଦୀପ ମୂଳିଆ ୬୯, ଲଗ୍ନଜିତ ସାମଲ ୫୧, ଆଶିଷ ପରିଜା ୭୬*, ସୌଭାଗ୍ୟ ରାଉତ ୬୯, ମହମ୍ମଦ ଆକ୍ରମ ୫୧*, ପ୍ରୀତି ସାହୁ ୬୨, ଶେଖ ରିଆଜ ୫୭, ମିର୍ଜା ତନବୀର ୫୬, ବିଶ୍ବଭୂଷଣ ବିହାରୀ ୬୬ ରନ୍‌ର ଅର୍ଧଶତକୀୟ ପାଳି ଖେଳିଛନ୍ତି।

ସମ୍ବନ୍ଧିତ ଖବର