ଦୁବାଇ: ଆସନ୍ତାକାଲି ଚଳିତ ପଞ୍ଚଦଶ ଏସିଆ କପ୍‌ରେ ଆସନ୍ତାକାଲି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ହେବ। ଏହି ମ୍ୟାଚ୍‌ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁବାର ସୁଯୋଗ ରଖିବ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ପରେ ରୋହିତ ଭାରତୀୟ ଦଳର ଅଧିନାୟକ ଭାବେ ବିରାଟ କୋହଲିଙ୍କ ଏକ କୀର୍ତ୍ତିମାନର ସମକକ୍ଷ ହେବାର ସୁଯୋଗ ପାଇବେ। ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍‌ରେ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ବିଜୟ ହାସଲ କରିଥିବା କୀର୍ତ୍ତିମାନ ଏବେ କୋହଲିଙ୍କ ନାମରେ ରହିଛି। ୨୦୧୭ରୁ ୨୦୨୧ ମଧ୍ୟରେ ସେ ୫୦ ମ୍ୟାଚ୍‌ରେ ଦଳର ନେତୃତ୍ବ ନେଇଥିଲା ବେଳେ ଭାରତ ୩୦ରେ ବିଜୟ ହାସଲ କରିଥିଲା। ଏବେ ତାଙ୍କ ପଛକୁ ରୋହିତ ଶର୍ମା ୩୫ ଟ୍ବେଣ୍ଟି-୨୦ରେ ନେତୃତ୍ବ ନେଇ ଭାରତକୁ ୨୯ ବିଜୟ ଭେଟି ଦେଇଛନ୍ତି। ୨୦୧୭ରୁ ୨୦୨୨ ମଧ୍ୟରେ ସେ ଏହି ସଫଳତା ପାଇଥିଲା ବେଳେ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଜିତିଲେ ତାଙ୍କ ସଂଖ୍ୟା ମଧ୍ୟ ୩୦ରେ ପହଞ୍ଚିଯିବ।

Advertisment

ଏକ୍ଷେତ୍ରରେ ସେ କୋହଲିଙ୍କ ସମକକ୍ଷ ହେବେ। ତେବେ ବିଜୟ ପ୍ରତିଶତ ହାରରେ ରୋହିତ (ଅନ୍ୟୁନ ୧୦ ମ୍ୟାଚ୍‌) ଏବେ ବି ଭାରତର ସବୁଠୁ ସଫଳ ଅଧିନାୟକ ରହିଛନ୍ତି। ଏହି ଦୁଇଜଣଙ୍କ ବ୍ୟତୀତ ନେତୃତ୍ବରେ ଅଧିକ ସଫଳତା ପାଇଥିବା ଅଧିନାୟକଙ୍କ ତାଲିକାରେ ମହେନ୍ଦ୍ର ସିଂହ ଧୋନି ତୃତୀୟରେ ରହିଛନ୍ତି। ଧୋନି ୭୨ ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇଥିଲା ବେଳେ ଦଳ ୪୧ରେ ବିଜୟୀ ହୋଇଥିଲା। ତେବେ ପାକିସ୍ତାନ ବିପକ୍ଷ ରବିବାର ବିଜୟ ହାସଲ କରିପାରିଲେ ମୋଟାମୋଟି ଭାବେ ରୋହିତ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ ଖାନ୍‌ଙ୍କୁ ଟପିଯିବେ ଏବଂ କୋହଲି ଓ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ସହ ଯୁଗ୍ମ ଭାବେ ତାଲିକାର ଚତୁର୍ଥ ସ୍ଥାନରେ ରହିବେ। ଆଫ୍‌ଗା‌ନିସ୍ତାନ ଅଧିନାୟକ ଅସ୍‌ଗର ଆଫ୍‌ଗାନ ଏବଂ ପୂର୍ବତନ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ୍‌ ସର୍ବାଧିକ ୪୨ ଲେଖାଏଁ ବିଜୟ ସହ ତାଲିକାର ପ୍ରଥମ ଦୁଇ ସ୍ଥାନରେ ଥିଲା ବେଳେ ଧୋନି (୪୧) ଏବଂ ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ୍‌ (୩୫) ପଛକୁ ପଛ ରହିଛନ୍ତି।

ଗତ ଏସିଆ କପ୍‌ ପ୍ରତିଯୋଗିତାରେ ରୋହିତଙ୍କ ‌ନେତୃତ୍ବରେ ଭାରତ ୫ ମ୍ୟାଚ୍‌ ଜିତିଥିଲା। ଏଥର ଜଦି ଅପରାଜେୟ ସହ ଭାରତ ବିଜେତା ହୁଏ ତାହାଲେ ରୋହିତଙ୍କ ମ୍ୟାଚ୍‌ ବିଜୟ ସଂଖ୍ୟା ୧୧କୁ ବୃଦ୍ଧି ପାଇବ। ଫଳରେ ଏସିଆ କପ୍‌ ଇତିହାସରେ ସେ ମହେନ୍ଦ୍ର ସିଂହ ଧୋନି (ଅଧିନାୟକ ଭାବେ ୧୯ ମ୍ୟାଚ୍‌ରୁ ୧୪ ବିଜୟ)ଙ୍କ ପଛକୁ ଦ୍ବିତୀୟ ସଫଳତମ ଅଧିନାୟକ ବନିଯିବେ।