ଭୁବନେଶ୍ବର : ଅର୍ଜୁନ ପୁରସ୍କାରପ୍ରାପ୍ତ ଓଡ଼ିଆ ଝିଅ ଦୀପ ଗ୍ରେସ ଏକ୍କା ୨୫୦ ଅନ୍ତର୍ଜାତୀୟ ହକି ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ଆଡିଲେଡ୍ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମ୍ୟାଚ୍ରେ ଭାରତୀୟ ଦଳର ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ୍ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ସୁନ୍ଦରଗଡ଼ ଜିଲ୍ଲା ଲୁଲିକିଦିହି ଗାଁର ଏହି ୨୮ ବର୍ଷୀୟା ଝିଅ ୨୦୧୧ରେ ଆର୍ଜେଣ୍ଟିନାରେ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହାପରଠୁ ସେ ଆଉ ପଛକୁ ନଚାହିଁ ଭାରତୀୟ ଦଳର ନିର୍ଭରଯୋଗ୍ୟ ଖେଳାଳି ହୋଇପାରିଛନ୍ତି। ଦଳର ଡିଫେଣ୍ଡର ଓ ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞ ଭାବେ ପରିଚିତ ଦୀପଗ୍ରେସ୍ ରିଓ ଓ ଟୋକିଓ ଅଲିମ୍ପିକ୍ରେ ଖେଳିବାର ସୌଭାଗ୍ୟ ପାଇଛନ୍ତି। ସେ ମଧ୍ୟ ୨୦୧୩ ମହିଳା ଏସିଆ କପ୍ କାଂସ୍ୟ, ୨୦୧୬ ଏସୀୟ ଚାମ୍ପିଅନ୍ସିପ୍ ଓ ୨୦୧୭ ଏସିଆ କପ୍ ସ୍ବର୍ଣ୍ଣ, ୨୦୧୮ ଏସୀୟ ଚାମ୍ପିଅନ୍ସିପ୍ ଓ ଜାକର୍ତ୍ତା-ପାଲେମ୍ବାଙ୍ଗ ଏସୀୟ କ୍ରୀଡ଼ା ରୌପ୍ୟ ଏବଂ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜେତା ଭାରତୀୟ ଦଳର ସଦସ୍ୟା ରହିଥିଲେ। ଗତ ବର୍ଷ ସ୍ପେନ୍ରେ ଆୟୋଜିତ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ରେ ଭାରତର ସ୍ବର୍ଣ୍ଣ ବିଜୟରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।
‘‘ଜାତୀୟ ଦଳ ପକ୍ଷରୁ ୨୫୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିବାରୁ ଗର୍ବିତ। ମୋ ପାଇଁ ଏବଂ ଭଲ ପାଉଥିବା ଦେଶ ଲାଗି କିଛି ଖୁସି ଓ ସମ୍ମାନ ଅଣିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରୁଛି। ଯେତେବେଳେ ଦେଶ ପାଇଁ ଖେଳିବାକୁ ପଡ଼ିଆକୁ ଯାଏ ମୋର ଖୁସି ଦ୍ବିଗୁଣିତ ହୋଇଯାଏ। ଭାରତୀୟ ଦଳ ସହ ଏହି ଯାତ୍ରା ଚମତ୍କାର ରହିଛି। ଏଥିପାଇଁ ସର୍ବଦା ସହଯୋଗ କରିଥିବା ହକି ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବି’’ ବୋଲି ଦୀପଗ୍ରେସ୍ କହିଛନ୍ତି। ୨୫୦ ମ୍ୟାଚ୍ ମାଇଲଖୁଣ୍ଟ ଛୁଇଁଥିବାରୁ ଦୀପଗ୍ରେସ୍ଙ୍କୁ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି ଶୁଭେଚ୍ଛା ଜଣାଇଛନ୍ତି। ‘‘୨୫୦ ମ୍ୟାଚ୍ ଲାଗି ଦୀପଙ୍କୁ ଶୁଭେଚ୍ଛା ଜଣାଉଛି। ସେ କେବଳ ରକ୍ଷଣଭାଗକୁ ଦୃଢ଼ କରିନାହାନ୍ତି, ପେନାଲ୍ଟି କର୍ଣ୍ଣରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି। ତାଙ୍କ ୧୨ ବର୍ଷର ଅନ୍ତର୍ଜାତୀୟ ଜୀବନରେ ଅନେକ ପଦକ ଜିତିବାର ଗୌରବ ପାଇଛନ୍ତି। ଭବିଷ୍ୟତ ଲାଗି ଦୀପଙ୍କୁ ଶୁଭେଚ୍ଛା ଏବଂ ଆଶା କରୁଛି ଦେଶ ପାଇଁ ଆହୁରି ଗର୍ବ ଆଣିବେ’’ ବୋଲି ଅଲିମ୍ପିଆନ୍ ଦିଲୀପ କହିଛନ୍ତି।
ଅଷ୍ଟ୍ରେଲିଆଠୁ ପୁଣି ହାରିଲା ଭାରତ
ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳର ପରାଜୟ ଧାରା ଜାରି ରହିଛି। ଘରୋଇ ଦଳ ବିପକ୍ଷ ପ୍ରଥମ ମ୍ୟାଚ୍ ହାରିଥିବା ଭାରତ ଶନିବାର ଦ୍ବିତୀୟ ମ୍ୟାଚ୍ରେ କଡ଼ା ସଂଘର୍ଷ କରି ୨-୩ ଗୋଲ୍ରେ ପରାସ୍ତ ହୋଇଛି। ପ୍ରଥମ କ୍ବାର୍ଟର ଆରମ୍ଭରୁ ଭାରତୀୟ ଖେଳାଳି ଅଷ୍ଟ୍ରେଲିଆକୁ ଚାପରେ ରଖିଥିଲେ। ହେଲେ ୧୨ତମ ମିନିଟ୍ରେ ଅଷ୍ଟ୍ରେଲିଆକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ତାତୁମ ଷ୍ଟିୱାର୍ଟ ଗୋଲ୍ରେ ପରିଣତ କରି ଘରୋଇ ଦଳକୁ ଅଗ୍ରଣୀ ଦେଇଥିଲେ। ଏହାର ଗୋଟିଏ ମିନିଟ୍ ପରେ ଶର୍ମିଳା ଦେବୀଙ୍କ ପାସ୍କୁ ସଙ୍ଗୀତା କୁମାରୀ (୧୩ ମିନିଟ୍) ଗୋଲ୍ ଦେଇ ସ୍ଥିତି ସମାନ କରିଥିଲେ। ଦ୍ବିତୀୟ କ୍ବାର୍ଟରରେ ଗୁରଜିତ କୌର (୧୭ ମିନିଟ୍)ଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍ରେ ଭ୍ରମଣକାରୀ ଦଳ ୨-୧ରେ ଅଗ୍ରଣୀ ପାଇଥିଲା। କିନ୍ତୁ ତୃତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ଦୁଇଟି ଗୋଲ୍ ଲଦି ୩-୨ରେ ଆଗରେ ରହିଲା। ଏହି ଦୁଇ ଗୋଲ୍ ପିମା ମୋର୍ଗାନ (୩୮ ମିନିଟ୍) ଓ ଷ୍ଟିୱାର୍ଟ (୪୫ ମିନିଟ୍) ଦେଇଥିଲେ। ଶେଷ କ୍ବାର୍ଟରରେ ଭାରତ ଅନେକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଡିଫେଣ୍ଡରଙ୍କ ଆଗରେ ହାର୍ ମାନି ପରାଜୟ ବରଣ କରିଥିଲା।