କଟକରେ ଜାତୀୟ କ୍ରୀଡ଼ା ଖେଳିବାର ପାଖାପାଖି ୫୮ ବର୍ଷ ପରେ ମିଲଖା ସିଂହ ୨୦୧୬ ମସିହାରେ ଦ୍ବିତୀୟବାର ଓଡ଼ିଶା ଆସିଥିଲେ। ୨୦୧୬ ମସିହାରେ ଏକ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ମନର ଅବସୋସ ବିଷୟରେ କହିଲା ବେଳେ ଭାବବିହ୍ବଳ ହୋଇ ଯାଇଥିଲେ। ବକ୍ସିଂ, ଭାରୋତ୍ତୋଳନ, ଟେନିସ୍, ବନ୍ଧୁକ ଚାଳନା ଭଳି ଖେଳରୁ ଅଲିମ୍ପିକ୍ସ ପଦକ ଜିତିଥିଲେ ମଧ୍ୟ କୌଣସି ଭାରତୀୟ ଅଲିମ୍ପିକ୍ସର ଆଥଲେଟିକ୍ସ ବର୍ଗରୁ ପଦକ ନ ଜିତିବା ତାଙ୍କୁ ଦୁଃଖ ଦେଉଛି ବୋଲି ଏହି ଅବସରରେ ମତ ରଖିଥିଲେ ସେ। ଏହି କ୍ରମରେ ମିଲଖା ନିଜ ସହ ଅଞ୍ଜୁ ବବି ଜର୍ଜ, ପିଟି ଉଷାଙ୍କ ଉଦାହରଣ ଦେଇଥିଲେ। ‘‘ସ୍ବାଧୀନ ଭାରତ ପରେ ଆମେ ଆଥଲେଟିକ୍ସରୁ ପଦକଟିଏ ଜିତି ପାରିନେ। ଆଥଲେଟିକ୍ସରୁ ପଦକ ଜିତିଲା ପରେ ଯାଇ ଭାରତର ପ୍ରସିଦ୍ଧି ବଢ଼ିବ।
ଆମ ଦେଶ ଅସଲ କ୍ରୀଡ଼ା ଶକ୍ତି ଭାବେ ପରିଚିତ ହେବ। ଶ୍ରୀରାମ ସିଂହ, ଅଞ୍ଜୁ ବବି ଜର୍ଜ, ପିଟି ଉଷା, ମିଲଖା ସିଂହଙ୍କ ଭଳି ଖେଳାଳି ଅଲିମ୍ପିକ୍ସର ଫାଇନାଲ୍କୁ ଯାଇଥିଲେ ମଧ୍ୟ ପଦକ ଆମ ହାତରୁ ଖସି ଯାଇଛି। ଏଥିଲାଗି ଆମକୁ କଠିନ ପରିଶ୍ରମ କରିବାକୁ ହେବ। ଆମ ଦେଶରେ ପ୍ରତିଭାର ଅଭାବ ନାହିଁ। ହେଲେ ଖେଳ ସଂଗଠନଗୁଡ଼ିକର ପୁନର୍ଗଠନ ହେବା ନିହାତି ଜରୁରୀ’’ ବୋଲି ଆବେଗଭରା କଣ୍ଠରେ କହିଥିଲେ। ମିଲଖା ମଧ୍ୟ ସାକ୍ଷାତକାର ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଅ ବୋଲି ସମ୍ବୋଧନ କରି ନିଜ ସ୍ନେହଶୀଳ ସ୍ବଭାବର ପରିଚୟ ଦେଇଥିଲେ। ଏହି ଅବସରରେ ନିଜ ଫିଟନେସର କାରଣ ଉପରୁ ପରଦା ଉଠାଇ ଯଦି ଆପଣଙ୍କୁ ତିନିଟି ରୁଟିର ଭୋକ ହେଉଛି, ତାହାଲେ ଦୁଇଟି ଖାଆନ୍ତୁ। ଏହା ଦ୍ବାରା ହିଁ ଆପଣଙ୍କ ଶରୀର ଫିଟ୍ ରହି ପାରିବ ବୋଲି କହିଥିଲେ। ତୃତୀୟବାର ଓଡ଼ିଶା ଆସିବାର ଇଚ୍ଛା ଜାହିର କରିଥିଲେ ମଧ୍ୟ ଏହା ହୋଇନପାରେ ବୋଲି ଭବିଷ୍ୟବାଣୀ କରିଥିଲେ ମିଲଖା। ଯାହା ଏବେ ସତ ହୋଇଛି।