କ୍ରୀଡ଼ା ପ୍ରତିଭା ଅନ୍ବେଷଣ ପାଇଁ ଲକ୍ଷାଧିକ ପଞ୍ଜୀକରଣ: ପରିଚାଳନା, ପ୍ରକ୍ରିୟା ଓ ପଦ୍ଧତି ଏବେ ବି ଅସ୍ପଷ୍ଟ

ଭୁବନେଶ୍ବର: ତୃଣମୂଳସ୍ତରରୁ କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ସେମାନଙ୍କ ବିକାଶ ଲକ୍ଷ୍ୟ ନେଇ ରାଜ୍ୟ ସରକାର କରୁଥିବା‌ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମକୁ ଚଳିତବର୍ଷ ଅଦ୍ଭୂତପୂର୍ବ ସମର୍ଥନ ମିଳିଛି। ଜାନୁଆରି ୧୫, ୨୦୨୨ର ଶେଷ ତାରିଖ ସୁଦ୍ଧା ଚୟନ ପ୍ରକ୍ରିୟାରେ ଭାଗ ନେବା ଲାଗି ୮ରୁ ୧୮ ବର୍ଷ ମଧ୍ୟରେ ଲକ୍ଷାଧିକ ପିଲା ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଯାହା ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ର ପ୍ରତି ବଢ଼ି ଚାଲିଥିବା ଭଲପାଇବା ଏବଂ କ୍ରୀଡ଼ାକୁ କ୍ୟାରିୟର କରିବାର ଅପୂର୍ବ ଆଗ୍ରହକୁ ଦର୍ଶାଉଛି। ହେଲେ ଏହି ଯୋଜନାର ପରିଚାଳନା, ପ୍ରକ୍ରିୟା ଏବଂ ପଦ୍ଧତି ନେଇ ଆବେଦନକାରୀ, ଅଭିଭାବକ ଏପରିକି ଖୋଦ୍ କ୍ରୀଡ଼ା ବିଭାଗର ଅଧିକାରୀମାନେ ଏବେ ବି ଦ୍ବନ୍ଦ୍ବରେ ରହିଛନ୍ତି। ଏତେ ସଂଖ୍ୟକ ପିଲା କେମିତି ଚୟନ ପ୍ରକ୍ରିୟାରେ ଭାଗନେବେ, ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ମାନବ ସମ୍ବଳ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା କ୍ରୀଡ଼ା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଦିଆଯାଇ ନଥିବାରୁ ଏହି କାର୍ଯ୍ୟକ୍ରମର ଅସଲ ଉଦ୍ଦେଶ୍ୟ ପୂରଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେହିଭଳି ଚୟନ ପ୍ରକ୍ରିୟା ଲାଗି କୌଣସି ମାନଦଣ୍ଡ କିମ୍ବା ନିର୍ଦ୍ଦିଷ୍ଟ ଫିଟନେସ୍‌ ଖସଡ଼ା ବିଷୟରେ କିଛି କୁହାନଯିବା ବି ସାଧାରଣରେ ସଂଶୟ ସୃଷ୍ଟି କରିଛି। ତା’ ଛଡ଼ା କ୍ରୀଡ଼ା ଛାତ୍ରାବାସଗୁଡ଼ିକର ସୀମିତ ସିଟ୍ ଏବଂ ଶୃଙ୍ଖଳା ମଧ୍ୟ ଏହି କ୍ଷେତ୍ରରେ ଏକ ବଡ଼ ବାଧା ‌ହୋଇପାରେ। ସେହିଭଳି ଏବର୍ଷ ପ୍ରଶିକ୍ଷକ ଏବଂ ପିଇଟି ପଞ୍ଜୀକରଣ ମଧ୍ୟ ରେକର୍ଡ ଛୁଇଁଥିବା ଜଣାପଡ଼ିଛି। ହେଲେ ସମୟ ସୀମା ଶେଷ ହେବାର ‌ମାସାଧିକ କାଳ କଟି ଯାଇଥିଲେ ମଧ୍ୟ ସେମାନଙ୍କ ଚୟନ ପ୍ରକ୍ରିୟା କେବେ, କେଉଁଠାରେ ଏବଂ କିଭଳି କରାଯିବ ସେ ବିଷୟରେ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ। ସେହିଭଳି କେତେ ସଂଖ୍ୟକ ପିଲା ବଛାଯିବେ, କେଉଁଠି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ, କିଏ ପ୍ରଶିକ୍ଷଣ ଦେବେ, ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି।

ମିଳିଥିବା ସୂଚନା ଅନୁସାରେ ଏବର୍ଷ ୩୦ଟି ପ୍ରକାର ଖେଳ ଯଥା ତୀରନ୍ଦାଜି, ଦୌଡ଼କୁଦ, ବ୍ୟାଡମିଣ୍ଟନ୍, ବାସ୍କେଟବଲ୍, ମୁଷ୍ଟିଯୁଦ୍ଧ, କ୍ୟାରମ୍, ଚେସ୍, କ୍ରିକେଟ୍, ସାଇକ୍ଲିଂ, ଫୁଟବଲ୍, ଗଲ୍ଫ, ଜିମ୍ନାଷ୍ଟିକ୍ସ, ହ୍ୟାଣ୍ଡବଲ୍, ହକି, ଜୁଡୋ, କବାଡ଼ି, କରାଟେ, କାୟାକିଂ, ଖୋଖୋ, ମଲଖମ୍ବ, ରୋଲର ସ୍କେଟିଂ, ସ୍କ୍ବାସ୍, ସନ୍ତରଣ, ଟେବୁଲ ଟେନିସ୍, ଟାଏକୋଣ୍ଡୋ, ଟେନିସ୍, ଭଲିବଲ୍, ଭାରୋତ୍ତୋଳନ, କୁସ୍ତି ଓ ଯୋଗାସନ ପାଇଁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ମୋଟ ୧,୩୬, ୫୨୦ ପିଲା ନାମ ପଞ୍ଜୀକରଣ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୦୨୧୭ ପିଲା ନାମ ପଞ୍ଜୀକରଣ କରିଥିଲା ବେଳେ ଦେବଗଡ଼ରୁ ସର୍ବନିମ୍ନ ୧୦୯୬ ପିଲା ନାମ ପଞ୍ଜୀକରଣ କରିଛନ୍ତି। ସେହିଭଳି ଦୌଡ଼କୁଦ ପାଇଁ ସର୍ବାଧିକ ୧୮୮୫୬ ଏବଂ କାୟାକିଂ ପାଇଁ ସର୍ବନିମ୍ନ ୧୧୩ ପିଲା ନାମ ପଞ୍ଜୀକରଣ କରିଛନ୍ତି।

ଏଥିନେଇ କ୍ରୀଡ଼ା ଓ ଯୁବ ସେବା ବିଭାଗର ଅନୁ ସଚିବ ରାଜେନ୍ଦ୍ର ପ୍ରସାଦ ପାଣି କହିଛନ୍ତି ଯେ ବୟସ ସୀମା ୮ରୁ ୧୪ ପରିବର୍ତ୍ତେ ୮ରୁ ୧୮ କରାଯାଇଥିବାରୁ ଏତେ ସଂଖ୍ୟକ ପିଲା ନାମ ପଞ୍ଜୀକରଣ କରିଥାଇପାରନ୍ତି। ‌ତେବେ ଏହା ସର୍ବମୋଟ ୬୫୦୦୦ ହେବ ବୋଲି ମୁଁ ଭାବୁଛି। ଚୟନ ପ୍ରକ୍ରିୟା ନେଇ ନିୟମାବଳୀ ପ୍ରସ୍ତୁତ ହୋଇ ସାରିଛି। ଆଗାମୀ ଦିନରେ ଏହା ସମସ୍ତଙ୍କୁ ଜଣାଇ ଦିଆଯିବ। ବ୍ଲକ୍, ଜିଲ୍ଲା ଏବଂ ପରେ ରାଜ୍ୟସ୍ତରରେ ପର୍ଯ୍ୟାୟକ୍ରମେ ଚୟନ ପ୍ରକ୍ରିୟା ହେବ। ଏଣୁ ଏଥିନେଇ ବିଶେଷ ଅସୁବିଧା ହେବ ବୋଲି ମୁଁ ଭାବୁନାହିଁ। ଏହି ଯୋଜନା ସହ ଜଡ଼ିତ କ୍ରୀଡ଼ା ବିଭାଗର ଆଉଜଣେ ଅଧିକାରୀ କହିଛନ୍ତି ଯେ ପିଲାଙ୍କ ପରୀକ୍ଷା ଶେଷ ହେବା ପରେ ଚୟନପ୍ରକ୍ରିୟା‌ ଆରମ୍ଭ ହୋଇଯିବ। ଏଥିଲାଗି ସମସ୍ତ ବ୍ୟବସ୍ଥା ହୋଇ ସାରିଛି। ‘‘ଚୟନ ପ୍ରକ୍ରିୟାର ତାରିଖ ଏବଂ ସବିଶେଷ ବିବରଣୀ ପ୍ରକାଶ କରାଗଲେ ଭଲହୁଅନ୍ତା। ତା’ଛଡ଼ା ଛାତ୍ରାବାସର ସିଟ୍ ପୂରଣ ହେବା ପରେ ବଳକା ପିଲାମାନେ କେଉଁଠାରେ ଓ କିଭଳି ପ୍ରଶିକ୍ଷଣ ନେବେ ସେ କଥା ସ୍ପଷ୍ଟ କରାଗଲେ ଆମେ ତଦନୁଯାୟୀ ଅଭ୍ୟାସ କରିପାରନ୍ତୁ’’ ବୋଲି ଜଣେ ଆବେଦନକାରୀ ମତ ପ୍ରକାଶ କରିଛନ୍ତି।

ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ନିଷ୍ପତ୍ତିକୁ ୟୁନିଟ୍-୬ ଦୌଡ଼କୁଦ ସଂଘ ସହ ଦୀର୍ଘ ଦିନ ହେବ ଜଡ଼ିତ ଥିବା ତଥା ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ପ୍ରଫୁଲ୍ଲ ମିଶ୍ର ସ୍ବାଗତ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମ ପାଇକା‌ କିମ୍ବା ଖେଲୋ ଇଣ୍ଡିଆ ଯୋଜନା ଭଳି ପାଣିଚିଆ ହୋଇନଯାଉ ବୋଲି ଆଶଙ୍କା ଜାହିର କରିଛନ୍ତି। ପ୍ରଶିକ୍ଷକ ଏବଂ ପିଇଟି ପାଇଁ ପଞ୍ଜୀକରଣ ବ୍ୟବସ୍ଥା‌କୁ ଏକ ଭଲ ପଦକ୍ଷେପ ଭାବେ ବର୍ଣ୍ଣନା‌ କରି ଏହା ଦ୍ବାରା ପୂର୍ବତନ ଖେଳାଳିମାନେ ନୂଆ ପିଢ଼ିକୁ ନିଜ ଅଭିଜ୍ଞତା ବାଣ୍ଟିପାରି‌ବେ ବୋଲି ଆଶାବ୍ୟକ୍ତ କରିଛନ୍ତି ସେ। ‌ଏସବୁ ସହ ରାଜ୍ୟର ପ୍ରତିଟି କୋଣରେ ଏବଂ ସମାନ୍ତରାଳ ଭାବେ ତୃଣମୂଳସ୍ତରରୁ କ୍ରୀଡ଼ା ଭିତ୍ତିଭୂମିର ତୁରନ୍ତ ବିକାଶ କରିବାକୁ ରାଜ୍ୟ ସରକାରଙ୍କୁ ଆ‌ହ୍ବାନ କରିଛନ୍ତି ଶ୍ରୀ ମିଶ୍ର।

ସମ୍ବନ୍ଧିତ ଖବର