ଭାରତ ବିପକ୍ଷରେ ପ୍ରଭାବୀ ବୋଲିଂ ଆଶାରେ ମିଲ୍‌ନେ

ଦୁବାଇ : ଆହତ ଲୋକି ଫର୍ଗୁସନ୍‌ଙ୍କ ବଦଳ ଖେଳାଳି ଭାବେ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ବକପ୍‌ ଦଳରେ ସାମିଲ ହୋଇଥିବା ପେସର୍‌ ଆଦାମ ମିଲନେ ରବିବାର ଭାରତ ବିପକ୍ଷ ‘କର ବା ମର’ ମ୍ୟାଚ୍‌ରେ ପ୍ରଭାବୀ ବୋଲିଂ କରିବେ ବୋଲି ଆଶା ବାନ୍ଧିଛନ୍ତି। ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ନିକଟରୁ ହାରିଯାଇଛନ୍ତି। ତେଣୁ ସେମିଫାଇନାଲ୍‌କୁ ଉଜ୍ଜୀବୀତ ରହିବାକୁ ହେଲେ ରବିବାର ମ୍ୟାଚ୍‌ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

କାରଣ ଏହି ମୁକାବିଲା ଯିଏ ଜିତିବ ସେହି ଦଳ ଅଧିକ ଫାଇଦାରେ ରହିବ। ଏପରିସ୍ଥଳେ ମିଲ୍‌ନେ ନ୍ୟୁଜିଲାଣ୍ଡକୁ ବିଜୟୀ ହେବାର ମାନସିକ ଆଶା ଦେଇଛନ୍ତି। ତାଙ୍କୁ ଆରମ୍ଭରୁ ବିଶ୍ବକପ୍‌ ଦଳରେ ସ୍ଥାନ ନମିଳିବାକୁ ନେଇ ମିଲ୍‌ନେ ହତୋତ୍ସାହ ହୋଇପଡ଼ିଥିଲେ। କିନ୍ତୁ ଫର୍ଗୁସନ୍‌ଙ୍କ ଆହତ ତାଙ୍କ ପାଇଁ ଆଶୀର୍ବାଦ ହୋଇଛି। ହେଲେ ସେ ଦଳ ସହ ସାର୍‌ଜାରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳାଯାଇନଥିଲା। ତାଙ୍କୁ ଖେଳାଇଥିଲେ ସେ ନିଶ୍ଚିତ ପାକିସ୍ତାନ ବିପକ୍ଷରେ ଦଳକୁ ବିଜୟୀ ହେବାରେ ସହାୟକ ହୋଇଥା’ନ୍ତେ ବୋଲି ମିଲ୍‌ନେ କହିଛନ୍ତି। ଆଇପିଏଲ୍‌ର ଅଭିଜ୍ଞତା ହିଁ ୟୁଏଇରେ ଭଲ ପ୍ରଦର୍ଶନ କରିବାରେ ମୋତେ ସହାୟକ ହେବ ବୋଲି ସେ କହିଛନ୍ତି। ୱକେଟ୍‌କୁ ତୀବ୍ର ଗତିରେ ବୋଲିଂ କରିବା ଏବଂ ଅବିଶ୍ବସନୀୟ ବାଉଁସ ଜରିଆରେ ମୁଁ ବ୍ୟାଟର୍‌ମାନଙ୍କୁ ଅଡୁଆରେ ପକାଇପାରିବି ବୋଲି ମିଲ୍‌ନେ ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧିତ ଖବର