ଲକ୍‌ଡାଉନ୍ ପୂର୍ବରୁ ମିନତି: ‘ଆଉ ସାଇକେଲ୍ ଚଳାଇ ପାରିବି ନାହିଁ’

ଭୁବନେଶ୍ବର: ରାଜ୍ୟର ପ୍ରଥମ ଅର୍ଜୁନ ପୁରସ୍କାର ବିଜୟିନୀ ମିନତି ମହାପାତ୍ରଙ୍କ ପାଇଁ ଏବେ ସମୟ ଭଲ ବିତିନାହିଁ। କେବଳ କରୋନା ମହାମାରୀର ଭୟାବହତା ପାଇଁ ନୁହେଁ ବ୍ୟକ୍ତିଗତ ଭାବେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାରୁ ଦେଶବ୍ୟାପୀ ଲକ୍‌ଡାଉନ୍ ପୂର୍ବରୁ ହିଁ ଲକ୍‌ଡାଉନ୍‌ ରହିବାକୁ ବାଧ୍ୟ ହୋଇଛନ୍ତି ଏହି ଖ୍ୟାତନାମା ସାଇକ୍ଲିଷ୍ଟ। ଫେବ୍ରୁଆରି ତୃତୀୟ ସପ୍ତାହରେ ପୁଅ ପାଖକୁ ଲକ୍ଷ୍ନୌ ଯାଇଥିଲେ। ଭ୍ରମଣ ଅବସରରେ ଦିନେ ରାସ୍ତାରେ ଅଟକିଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡ଼ିଯିବାରୁ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା। ଫଳରେ ଲକ୍ଷ୍ନୌରେ ଆଣ୍ଠୁରେ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହା ପରେ ଭୁବନେଶ୍ବର ଫେରି ଆସି ମିନତି କରୋନା ମହାମାରୀ ଗୃହାବଦ୍ଧର ଢେର ପୂର୍ବରୁ ହିଁ ଗୃହାବଦ୍ଧ ରହିବାକୁ ବାଧ୍ୟ ହୋଇଛନ୍ତି। ‘ମୁଁ ତ ଏବେ ଲକ୍‌ଡାଉନ୍ ପୂର୍ବରୁ ଲକ୍‌ଡାଉନ୍‌ ରହିଛି। ଫେବ୍ରୁଆରି ୨୫ରେ ଭୁବନେଶ୍ବର ଫେରି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସାମିଲ ହେବାର ସ୍ବପ୍ନ ଦେଖିଥିଲି। ତାହା ହୋଇପାରିଲା ନାହିଁ, ଚାଲିବାରେ ଅସୁବିଧା ହେଉଥିବାରୁ ଗୃହାବଦ୍ଧ ରହିଛି। ଏହି ଅବସରରେ ମୁଁ ମୋ ଖେଳ ଜୀବନର କାହାଣୀକୁ ମନେ ପକାଇ ଲିପିବଦ୍ଧ କରିବାର ଯୋଜନାରେ ରହିଛି। ମୋ ସମୟରେ ଜଣେ ମହିଳା ଭାବେ କିଭଳି ଖେଳକୁ ଆସିବା ଏବଂ ଜାତୀୟ ବିଜେତା ହେବାର ସଫଳତା ପାଇଥିଲି ଲେଖୁଛି। ସମ୍ପୂର୍ଣ୍ଣ ସଂଘର୍ଷମୟ ସ୍ମୃତିକୁ ମନେ ପକାଉଛି। ଦୁଃଖ ରହିଯିବ ଆଉ ସାଇକେଲ୍ ଚଳାଇପାରିବି ନାହିଁ’ ବୋଲି କହିଥିଲେ ଓଡ଼ିଶା ସାଇକ୍ଲିଂ ସଂଘର ସଭାପତି ଦାୟିତ୍ବ ତୁଲାଉଥିବା ଶ୍ରୀମତି ମହାପାତ୍ର।

ସତୁରୀ ଦଶକରେ ଅପ୍ରତିଦ୍ବନ୍ଦ୍ବୀ ଜାତୀୟ ବିଜୟିନୀ ଥିବା ପୁରୀ ଝିଅ ମିନତିଙ୍କୁ ୧୯୮୦ ମସିହାରେ ପ୍ରଥମ ଓଡ଼ିଆ ଭାବେ ଅର୍ଜୁନ ପୁରସ୍କାର ମିଳିଥିଲା। ଏହି ସମ୍ମାନ ପାଇବାରେ ଓଡ଼ିଆଙ୍କ ସଂଖ୍ୟା ୮ରେ ପହଞ୍ଚିଛି। କିନ୍ତୁ ସାଇକ୍ଲିଂରେ ମିନତି ଆଣିଥିବା ଗୌରବ ବହୁ ପଛରେ ପଡ଼ିଯାଇଛି। ରାଜ୍ୟରେ ଭେଲୋଡ୍ରମ୍‌ ପ୍ରତିଷ୍ଠା ପାଇଁ ପ୍ରୟାସ କରୁଥିବା ଶ୍ରୀମତି ମହାପାତ୍ର ପ୍ରକାଶ କରିଛନ୍ତି। ସମ୍ପ୍ରତି ଆର୍‌ଏସ୍‌ପିରୁ ଅବସର ନେଇ ଭୁବନେଶ୍ବର ପତିଙ୍କ ସହ ରହୁଛନ୍ତି ମିନତି। ଗତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରୁ ଓଡ଼ିଶାକୁ ଏକାଧିକ ସାଇକ୍ଲିଂ ସ୍ବର୍ଣ୍ଣ ପଦକ ମିଳିବା ପରେ ଓଡ଼ିଶା ପାଇଁ ସାଇକ୍ଲିଂ ଖେଳର ଏକ ଭଲ ସମୟ ଆସିଛି ବୋଲି କହିଥିଲେ ଏହି ୮ ଥର ଜାତୀୟ ବିଜୟିନୀ।

ସମ୍ବନ୍ଧିତ ଖବର