ଶ୍ରୀନଗରରେ ଖେଳିବାକୁ ମିନର୍ଭା ମନାକଲା

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କଶ୍ମୀରରେ କ୍ରୀଡ଼ା କାର୍ଯ୍ୟକ୍ରମ ମଧ୍ୟ ପ୍ରଭାବିତ ହେବାକୁ ଯାଉଛି। ଦେଶର ଅନ୍ୟତମ ଅଗ୍ରଣୀ ଫୁଟ୍‌ବଲ୍ କ୍ଲବ୍ ମିନର୍ଭା ପଞ୍ଜାବ ଏଫ୍‌ସି ଶୁକ୍ରବାର ସର୍ବଭାରତୀୟ ଫୁଟ୍‌ବଲ୍ ଫେଡେରେସନ୍‌ (ଏଆଇଏଫଏଫ)କୁ ପତ୍ର ଲେଖି ନଜର ପରବର୍ତୀ ଆଇ ଲିଗ୍‌ ମ୍ୟାଚ୍‌କୁ ଶ୍ରୀନଗରରେ ଖେଳିବାକୁ ରୋକଠୋକ୍ ମନା କରି ଦେଇଛି। ଏପରିକି ମ୍ୟାଚ୍‌କୁ ସ୍ଥାନାନ୍ତର କରାନଗଲେ ସେମାନେ ଦଣ୍ଡ ସ୍ବରୂପ ପଏଣ୍ଟ୍‌ ହାତଛଡ଼ା କରିବାକୁ ପ୍ରସ୍ତୁତ ବୋଲି ଜଣାଇ ଦେଇଛନ୍ତି। ଗତ ଥରର ବିଜେତା ମିନର୍ଭା ଫେବ୍ରୁଆରି ୧୮ ତାରିଖରେ ଶ୍ରୀନଗରରେ ରିୟଲ୍ କଶ୍ମିର ଏଫ୍‌ସି ସହିତ ଖେଳିବାର କାର୍ଯ୍ୟସୂଚୀ ଥିଲା। ଯେଉଁଠି ଆମ ୪୨ ଭାଇଙ୍କୁ ସହିଦ ହେବାକୁ ପଡ଼ିଛି‌ ସେଠାରେ ଆମେ ଫୁଟ୍‌ବଲ୍ ଖେଳିପାରିବୁ ନାହିଁ। ଏପରିକି ଆମ ପାଇଁ ଏଭଳି ପରିସ୍ଥିତିରେ ୩ ପଏଣ୍ଟ୍ ହରାଇବା ବଡ଼ କଥା ନୁହେଁ ବୋଲି ମିନର୍ଭା ଏଫ୍‌ସି ମାଲିକ ରଂଜିତ ବଜାଜ କହିଛନ୍ତି।

ମିତାଲି, କୋହଲି, ରୋହିତଙ୍କ ଶୋକ
ଦେଶବ୍ୟାପୀ କ୍ରୀଡ଼ାବିତ୍‌ମାନେ ମଧ୍ୟ ପୁଲୱାମା ଆତଙ୍କବାଦୀ ଘଟଣାକୁ ତୀବ୍ର ନିନ୍ଦା ଓ ସମାଲୋଚନା କରିଛନ୍ତି। ଭାରତ ପାଇଁ ଏହା ଏକ ଶୋକର ଦିନ ବୋଲି ନିଜ ଟ୍ବିଟର୍ ଆକାଉଣ୍ଟ୍‌ରେ‌ ଲେଖିଛନ୍ତି ଭାରତୀୟ ମହିଳା କ୍ରିକେଟ୍ ଦଳ ଅଧିନାୟିକା ମିତାଲି ରାଜ। ଆମେ ପ୍ରେମ ଦିବସ ପାଳୁଥିବା ବ‌େଳେ କାପୁରୁଷମାନେ ଘୃଣ୍ୟ କାମ କରିଛନ୍ତି ବୋଲି କହିଛନ୍ତି କ୍ରିକେଟର୍ ରୋହିତ ଶର୍ମା। ଏହି ଶୋକ ତାଲିକାରେ ହରଭଜନ ସିଂହ, ହାର୍ଦିକ ପାଣ୍ଡ୍ୟା, ଗୌତମ ଗମ୍ଭୀର, ରୂପୀନ୍ଦର ପାଲ୍‌ ସିଂହ, ବୀରେନ୍ଦ୍ର ସେହବାଗ, ବିରାଟ କୋହଲି ପ୍ରମୁଖ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର