ଷ୍ଟାଡିୟମ ନବୀକରଣ ତଦାରଖ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର: ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶନିବାର ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମର ନବୀକରଣ କାର୍ଯ୍ୟ ଏବଂ ଭିତ୍ତିଭୂମି ତଦାରଖ କରିଛନ୍ତି। ଏହି ଅବସରରେ ଶ୍ରୀ ବେହେରା ଆସନ୍ତାବର୍ଷ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ୍ ବିଶ୍ବକପ୍ ମ୍ୟାଚ୍ ଲାଗି ପଡ଼ିଆ ପ୍ରସ୍ତୁତି, ଷ୍ଟାଡିୟମର ଆଧୁନିକୀକରଣ ଏବଂ ପୁନଃନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ତ୍ରୀ ଏଠାରେ ପ୍ରତିଷ୍ଠା ହେବାକୁ ଥିବା ଡାଲମିଆ ଭାରତ ଗୋପୀଚାନ୍ଦ ଓଡ଼ିଶା ବ୍ୟାଡମିଣ୍ଟନ୍ ଏକାଡେମି ପାଇଁ ୩ ଏକର ପରିମିତ ଜମି ବୁଲି ଦେଖିବା ସହ ଗଗନ ନାରଙ୍ଗ ସୁଟିଂ ହାଇ ପର୍ଫମାନ୍ସ ସେଣ୍ଟରର ଆଭ୍ୟନ୍ତରୀଣ କାର୍ଯ୍ୟ, ଗେଟ୍ ନଂ-୧ ନିକଟସ୍ଥ ହାଇପର୍ଫମାନ୍ସ ଛାତ୍ରାବାସ, ମହୁମୁଖୀ ଇନଡୋର ହଲ୍ ନିର୍ମାଣ ଆଦି ବିଷୟରେ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ। ଶ୍ରୀ ବେହେରା ନାଭାଲ ଟାଟା ହକି ଏକାଡେମି ନିମନ୍ତେ ହେବାକୁ ଥିବା ୧୧ ମହଲା ବିଷ୍ଠିଷ୍ଟ କୋଠା ନିର୍ମାଣର ଅଗ୍ରଗତି ନେଇ ଆଲୋଚନା ବି କରିଥିଲେ। ଏହି ଅବସରରେ କ୍ରୀଡ଼ା ବିଭାଗ ଉପ ଶାସନ ସଚିବ ରଞ୍ଜିତ ପରିଡ଼ା ଏବଂ କଳିଙ୍ଗ ଷ୍ଟାଡିୟମ ଭାରପ୍ରାପ୍ତ ଅଧିକାରୀ ବାରଜ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର