ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ମନ୍ତ୍ରୀ, କ୍ରୀଡ଼ାବିତ୍‌ ଓ ପ୍ରଶିକ୍ଷକ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ସହ ସଚିନ ତେନ୍ଦୁଲକର, ପିଭି ସିନ୍ଧୁ, ହରଭଜନ ସିଂହ, ବୀରେନ୍ଦ୍ର ସେହବାଗ, ଗୌତମ ଗମ୍ଭୀର, ଭିଭିଏସ୍‌ ଲକ୍ଷ୍ମଣ, ସୁରେଶ ରାଇନା, ଶ୍ରେୟସ ଆୟର, ମହମ୍ମଦ କୈଫ୍‌, ମନୁ ଭାକର ଓ ବହୁ କ୍ରୀଡ଼ାବିତ୍‌ ରବିବାର ଅନ୍ତର୍ଜତୀୟ ଯୋଗ ଦିବସ ପାଳନ କରିଛନ୍ତି। ଏଥିସହ ଏମାନେ ପିତୃ ଦିବସକୁ ପାଳନ କରିବା ସହ ନିଜ ନିଜ ଟ୍ବିଟର୍‌ ପୃଷ୍ଠାରେ ଫଟୋ ପୋଷ୍ଟ୍‌ କରି ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରିଜିଜୁ ଯୋଗାସନ କରି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ସହ ସଂପ୍ରତି କରୋନା‌ ବିପକ୍ଷ ଦେଶର ଲଢ଼େଇରେ ଏହା ଅତ୍ୟନ୍ତ ଉପଯୋଗୀ ବୋଲି ‌କହିଛନ୍ତି। ନିଜ ଟ୍ବିଟର୍‌ ପୃଷ୍ଠାରେ ସେ ଯୋଗ କରୁଥିବାର ଭିଡିଓ ଛାଡ଼ିବା ସହ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଥିଲେ। ସଚିନ ପୁଅ ଅର୍ଜୁନ ଓ ଝିଅ ସାରା ସହ ଯୋଗ କରୁଥିବା ଏକ ଫଟୋ ଟ୍ବିଟର୍‌ରେ ପକାଇ ‘ଯୋଗ ସହ ପିତୃ ଦିବସ ପାଳନ’ ବୋଲି ଲେଖିଛନ୍ତି।

‘ଯୋଗ ଆମ ସହ କେଉଁ ଯୁଗରୁ ରହି ଆସିଛି ଆମେ ଜାଣିନେ। ସ୍ବାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ। ସ୍ବାସ୍ଥ୍ୟ ଓ ଜୀବନଶୈଳୀ ଏବଂ ଖୁସି ରଖିବା ଲାଗି ଏହାର ଆବଶ୍ୟକତା ଜରୁରି। ଅନ୍ତର୍ଜାତୀୟ ଯୋଗ ଦିବସ’ ବୋଲି ବ୍ୟାଡ୍‌ମିଣ୍ଟନ୍‌ ତାରକା ‌ପିଭି ସିନ୍ଧୁ ଟ୍ବିଟ୍‌ କରିଛନ୍ତି। ପୂର୍ବତନ ‌ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ‌ସେହବାଗ ଟ୍ବିଟର୍‌ରେ ଭିଡିଓ ପୋଷ୍ଟ୍‌ କରି ଲେଖିଛନ୍ତି ଯେ ‘ଟିକେ ସମୟ ମିଳିଲେ ଯୋଗ ହେଉଛି ବିକଳ୍ପ, ଅନ୍ତର୍ଜାତୀୟ ଯୋଗ ଦିବସ’। ଭଜି ଝିଅ ଓ ପତ୍ନୀଙ୍କ ସହ ଯୋଗ କରୁଥିବା ଫ‌ଟୋକୁ ଟ୍ବିଟର୍‌ରେ ପୋଷ୍ଟ୍‌ କରି ଲେଖିଛନ୍ତି ‘ଯୋଗ ହିଁ ଜୀବନ’। ‘ଯୋଗ ହେଉଛି ନିଜ ଯାତ୍ରା, ନିଜ ପାଇଁ, ନିଜର: ଭଗବତ ଗୀତା’ ଗୌତମ ଗମ୍ଭୀର ନିଜ ଟ୍ବିଟର୍‌ ପୃ‌ଷ୍ଠାରେ ପ୍ରକାଶ କରିଛନ୍ତି। ବ୍ୟାଟିଂ ମହାନ ଲକ୍ଷ୍ମଣ ଲେଖିଛନ୍ତି ଯେ ‘ଯୋଗ କେବଳ ପଟି ଉପରେ କଲେ ହେବନି। ଯୋଗକୁ ମନଧ୍ୟାନ ଦେଇ କଲେ ଏହାର ମଜା ପାଇବେ’। ‘ଯୋଗ ଜୀବନର ଅଂଶ ନହେଲେ ବି ଜୀବନ ଯାତ୍ରାର ଅଂଶ’ ବୋଲି ରାଇନା କହିଛନ୍ତି। ବନ୍ଧୁକଚାଳିକା ମନୁ ଭାକର କହିଛନ୍ତି ଯେ ‘ଯୋଗ ଦିବସର ଶୁଭେଚ୍ଛ‌ା। ଏହାକୁ ପ୍ରତିଦିନ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ।’

ସୂଚନାଯୋଗ୍ୟ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସେପ୍ଟେମ୍ବର ୨୭ ତାରିଖରେ ସଂଯୁକ୍ତରାଷ୍ଟ୍ର ସାଧାରଣ ପରିଷଦ (ୟୁଏନ୍‌ଜିଏ)ରେ ନିଜ ଭାଷଣରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ପ୍ରସ୍ତାବ ରଖିଥିଲେ। ଏହା ପରେ ସଂଯୁକ୍ତ ରାଷ୍ଟ୍ର ଜୁନ୍‌ ୨୧ ତାରିଖକୁ ଯୋଗ ଦିବସ ପାଳନ କରିବାକୁ ଘୋ‌ଷଣା କରିଥିଲା। ଏହି ଦିନ ଲୋକମାନଙ୍କୁ ସୁସ୍ଥ ରଖିବା‌ରେ ଯୋଗର ଆବଶ୍ୟକତା ଉପରେ ସଚେତନା କରାଯାଉଛି।

ସମ୍ବନ୍ଧିତ ଖବର