କ୍ରୀଡ଼ା ମହାସଂଘ ସ୍ବୀକୃତି ପ୍ରତ୍ୟାହାର ନେଇ ଅସନ୍ତୋଷ ତୀବ୍ର, ଏସ୍‌ଏଲ୍‌ପି ଦାୟର କରିବ କ୍ରୀଡ଼ା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ସର୍ବଭାରତୀୟ ଫୁଟବଲ୍ ମହାସଂଘ, ହକି ଇଣ୍ଡିଆ ଓ ସର୍ବଭାରତୀୟ ବ୍ୟାଡମିଣ୍ଟନ୍ ମହାସଂଘ ସମେତ ୫୪ ଜାତୀୟ କ୍ରୀଡ଼ା ମହାସଂଘର ସ୍ବୀକୃତିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ଉପସଚିବ ଏସପିଏସ୍ ତୋମାର ଭାରତୀୟ କ୍ରୀଡ଼ା ପ୍ରାଧିକାରଣ (ସାଇ) ମହାସଚିବଙ୍କୁ ପତ୍ର ଲେଖି ଏହି ବିଷୟ ଜଣାଇ ଦେଇଛନ୍ତି। ଫଳରେ ଏହି ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ମିଳୁଥିବା ଅର୍ଥିକ ଅନୁଦାନ ବନ୍ଦ ହୋଇଯାଇଛି। ଅଭ୍ୟାସ ଶିବିର ଓ ବିଭିନ୍ନ ପ୍ରତିଯୋଗିତା ପାଇଁ ମନ୍ତ୍ରାଳୟ ଦେଉଥିବା ଆର୍ଥିକ ସହାୟତା ମଧ୍ୟ ମିଳିବ ନାହିଁ। ତେବେ କୋଭିଡ୍-୧୯ ସଙ୍କଟ ପାଇଁ ଅଧିକାଂଶ ଖେଳ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ଏହି ନିଷ୍ପତ୍ତିର ତୁରନ୍ତ ପ୍ରଭାବ ପଡ଼ିବ ନାହିଁ। ସରକାର ପାଣ୍ଠି ଦେବା ବନ୍ଦ କରିଦେଲେ କିନ୍ତୁ ଆସନ୍ତା ଜୁଲାଇ ମାସରେ ଆୟୋଜିତ ହେବାକୁ ଥିବା ମୁଷ୍ଟିଯୁଦ୍ଧ ଓ କୁସ୍ତି ପ୍ରଶିକ୍ଷଣ ଶିବିର ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହା ପୂର୍ବରୁ କ୍ରୀଡ଼ା ମନ୍ତ୍ରାଳୟ ଏହି ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ସର୍ତ୍ତମୂଳକ ସ୍ବୀକୃତି ଦେଇଥିଲା। ତେବେ ଗତ ବୁଧବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଏକ ଖଣ୍ଡପୀଠ ସାନି ନିର୍ଦ୍ଦେଶ ଜାରି କରି ଦୁଇ ଦିନ ଭିତରେ କ୍ରୀଡ଼ା ମନ୍ତ୍ରାଳୟ ଦେଇଥିବା ସ୍ବୀକୃତିକୁ ପ୍ରତ୍ୟା‌ହାର କରିନେବାକୁ କହିଥିଲେ। କେନ୍ଦ୍ର ସରକାର ଅନୁଦାନ ଦେବା ବନ୍ଦ କରିଦେଲେ ସର୍ବଭାରତୀୟ ଫୁଟବଲ୍ ମହାସଂଘର ୧୭ ବର୍ଷରୁ କମ୍ ଫିଫା ମହିଳା ଫୁଟବଲ୍ ବିଶ୍ବକପ୍‌ ପ୍ରସ୍ତୁତିରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବାର ବି ଆଶଙ୍କା ରହିଛି। ତେବେ ଉଚ୍ଚନ୍ୟାୟା‌ଳୟଙ୍କ ଏହି ନିର୍ଦ୍ଦେଶ ବିରୋଧରେ କ୍ରୀଡ଼ା ମହାସଂଘ ଆବେଦନ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି। ସେହିଭଳି ବହୁ କ୍ରୀଡ଼ା ପ୍ରଶାସକ ପତ୍ର ଲେଖି ନିଷ୍ପତ୍ତିର ପୁନର୍ବିଚାର କରିବାକୁ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କୁ ଅନୁରୋଧ କରିଛନ୍ତି। ସେପଟେ ଏହି ନିର୍ଦ୍ଦେଶକୁ ନେଇ ଦେଶରେ କ୍ରୀଡ଼ା ଜଗତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ସ୍ବୀକୃତି ପ୍ରତ୍ୟା‌ହାର ହୋଇଥିବା କ୍ରୀଡ଼ା ମହାସଂଘ: ସର୍ବଭାତୀୟ ଚେସ୍ ମହାସଂଘ, ସର୍ବଭାରତୀୟ ଫୁଟବଲ୍ ମହାସଂଘ, ସର୍ବଭାରାତୀୟ ବଧିର କ୍ରୀଡ଼ା ପରିଷଦ, ସର୍ବଭାରତୀୟ ଟେନିସ୍ ମହାସଂଘ, ସର୍ବଭାରତୀୟ କ୍ୟାରମ୍ ମହାସଂଘ, ଆମେଚର ବାସ୍କେଟବଲ୍ ମହାସଂଘ, ଆମେଚର କବାଡ଼ି ମହାସଂଘ, ଆମେଚର ସଫ୍ଟ ଟେନିସ୍ ମହାସଂଘ, ଭାରତୀୟ ଦୌଡ଼କୁଦ ମହାସଂଘ, ଭାରତୀୟ ଆତ୍ୟପତ୍ୟ ମହାସଂଘ, ଭାରତୀୟ ବ୍ୟାଡମିଣ୍ଟନ୍ ମହାସଂଘ, ଭାରତୀୟ ବାସ୍କେଟବଲ୍ ମହାସଂଘ, ଭାରତୀୟ ବ୍ରିଜ୍ ମହାସଂଘ, ସାଇକେଲ ପୋଲୋ ମହାସଂଘ, ସାଇକ୍ଲିଂ ମହାସଂଘ, ଅଶ୍ବଚାଳନା ମହାସଂଘ, ଅସିଚାଳନା ମହାସଂଘ, ହ୍ୟାଣ୍ଡବଲ୍ ମହାସଂଘ, ହକି ଇଣ୍ଡିଆ, ଭାରତୀୟ ପୋଲୋ ସଂଘ, ଭାରତୀୟ ସୁନ୍ଦର ସ୍ବାସ୍ଥ୍ୟ ମହାସଂଘ, ଭାରତୀୟ କାୟାକିଂ ଓ କାନୋଇଂ ସଂଘ, ଭାରତୀୟ ପେନଚାକ ସିଲାଟ ମହାସଂଘ, ଭାରତୀୟ ରଗବି ଫୁଟବଲ୍ ୟୁନିୟନ, ଭାରତୀୟ ଟ୍ରାଏଥଲନ ମହାସଂଘ, ଭାରତୀୟ ଭାରୋତ୍ତୋଳନ ମହାସଂଘ, ଜୁଡୋ ମହାସଂଘ, ଭାରତୀୟ କରାଟେ ସଂଘ, ଭାରତୀୟ ଖୋଖୋ ମହାସଂଘ, ଭାରତୀୟ କୁଡୋ ଅନ୍ତର୍ଜାତୀୟ ମହାସଂଘ, ଭାରତୀୟ ମାଲଖମ୍ବ ମହାସଂଘ, ଜାତୀୟ ରାଇଫଲ ସଂଘ, ଭାରତୀୟ ନେଟବଲ୍ ମହାସଂଘ, ରୋଲ୍ ବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆ, ଭାରତୀୟ ରୋଲର ସ୍କେଟିଂ ମହାସଂଘ, ଭାରତୀୟ ସିକପଟାକ୍ର ମହାସଂଘ, ସୁଟିଂ ବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆ, ଭାରତୀୟ ସପ୍ଟବଲ୍ ସଂଘ, ସ୍ପେଶାଲ ଅଲିମ୍ପିକ୍ସ ଭାରତ, ଭାରତୀୟ ସ୍କ୍ବାସ୍ ରୢାକେଟ୍ ମହାସଂଘ, ଭାରତୀୟ ସନ୍ତରଣ ମହାସଂଘ, ଭାରତୀୟ ଟେବୁଲ ଟେନିସ୍ ମହାସଂଘ, ଭାରତୀୟ ଟେନିକୋଏଟ୍ ମହାସଂଘ, ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ମହାସଂଘ, ଟେନ୍ ପିନ୍ ବୋଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ, ଦି ଫେଡେରେସନ୍ ଅଫ୍ ମୋଟର ସ୍ପୋର୍ଟସ କ୍ଲବ୍ ଅଫ୍ ଇଣ୍ଡିଆ, ଭାରତୀୟ ଟଗ୍ ଅଫ୍ ୱାର ମହାସଂଘ, ଭାରତୀୟ ଭଲିବଲ୍ ମହାସଂଘ, ଭାରତୀୟ କୁସ୍ତି ମହାସଂଘ, ଭାରତୀୟ ଉଷୁ ସଂଘ, ଭାରତୀୟ ୟାଚିଂ ସଂଘ।

ଏସ୍‌ଏଲ୍‌ପି ଦାୟର କରିବ କ୍ରୀଡ଼ା ମନ୍ତ୍ରାଳୟ
ନୂଆଦିଲ୍ଲୀ: ୫୪ ଜାତୀୟ କ୍ରୀଡ଼ା ମହାସଂଘର ସ୍ବୀକୃତି ପ୍ରତ୍ୟାହାର କରିବା ଲାଗି ଦିଲ୍ଲୀ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ ଦେଶର କ୍ରୀଡ଼ା ଜଗତରେ ଅଚଳାବସ୍ଥା ସୃଷ୍ଟି ହେବାର ଆଶଙ୍କା ବଢ଼ିଛି। ସେଥିପାଇଁ କ୍ରୀଡ଼ା ମନ୍ତ୍ରାଳୟ ଉଚ୍ଚନ୍ୟାୟାଳୟଙ୍କ ରାୟ ବିରୋଧରେ ଉଚ୍ଚତମ ନ୍ୟାୟାଳୟକୁ ଯିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ମନ୍ତ୍ରାଳୟ ଏଥିନେଇ ଉଚ୍ଚତମ ନ୍ୟାୟାଳୟରେ ଖୁବଶୀଘ୍ର ଏକ ସ୍ପେଶାଲ ଲିଭ୍ ପିଟିସନ୍ ବା ଏସ୍‌ଏଲ୍‌ପି ଦାୟର କରିବ। ସୋଲିସିଟର ଜେନେରାଲ ତୁଷାର ମେହଟ୍ଟା କିମ୍ବା ଅଟର୍ନି ଜେନେରାଲ କେକେ ଭେନୁଗୋପାଳ ଏଥିରେ ସରକାରଙ୍କ ପକ୍ଷ ରଖିପାରନ୍ତି। କାରଣ ଉଚ୍ଚ ନ୍ୟାୟାଳୟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଅଗଷ୍ଟ ମାସକୁ ଧାର୍ଯ୍ୟ କରିଛନ୍ତି। ଏଥିଲାଗି ଢେର ଦିନ ବାକି ଥିବାରୁ ଖେଳାଳିମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ କ୍ରୀଡ଼ା ମନ୍ତ୍ରାଳୟ ଏସଏଲପି ଦାୟର କରିବା ବିକଳ୍ପକୁ ଗୁରୁତର ସହ ଚିନ୍ତା କରୁଛି। ସେହିଭଳି ପରବର୍ତ୍ତୀ ଶୁଣାଣିର ତାରିଖ ଆଗକୁ ଘୁଞ୍ଚାଇବା ଲାଗି ମଧ୍ୟ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ଖଣ୍ଡପୀଠକୁ ପ୍ରାର୍ଥନା କରିବାକୁ କ୍ରୀଡ଼ା ମନ୍ତ୍ରାଳୟ ଚିନ୍ତା କରୁଛି।

ସମ୍ବନ୍ଧିତ ଖବର