ଟୋକିଓ ପହଞ୍ଚିଲେ ମୀରାବାଇ

ଟୋକିଓ ବାହାରି‌ଲା ଭାରତୀୟ ବୁନ୍ଧକଚାଳନା ଦଳ

ନୂଆଦିଲ୍ଲୀ : ଭାରତୀୟ ତାରକା ଭାରୋତ୍ତୋଳକ ସାଇଖୋମ ମୀରାବାଇ ଚାନୁ (୪୯ କେଜି) ଆମେରିକାର ସେଣ୍ଟ୍‌ ଲୁସିଆରେ ‌ଅଭ୍ୟାସ ଶେଷ କରିବା ପରେ ଅଲିମ୍ପିକ୍ସ ଲାଗି ଶୁକ୍ରବାର ଟୋକିଓରେ ପହଞ୍ଚିଛନ୍ତି। ଟାର୍ଗେଟ ଅଲିମ୍ପିକ ପୋଡିୟମ ଯୋଜନା (ଟପ୍ସ)ରେ ଜାତୀୟ ପ୍ରଶିକ୍ଷକ ବିଜୟ ଶର୍ମା ଏବଂ ସହପ୍ରଶିକ୍ଷକ ସନ୍ଦୀପ କୁମାରଙ୍କ ତତ୍ତ୍ବାବଧାନରେ ମୀରାବାଇ ୫୦ ଦିନ ଧରି ଆମେରିକାରେ ତାଲିମ ନେଉଥିଲେ। ଏବେ ସେ ପ୍ରଶିକ୍ଷକ ବିଜୟ, ସନ୍ଦୀପ, ପ୍ରମୋଦ ଏବଂ ଫିଜିଓଥେରାପିଷ୍ଟ ଅଲପ ଜାଭେଦକରଙ୍କ ସହ ଟୋକିଓ ଗସ୍ତ କରିଛନ୍ତି। ଚାନୁଙ୍କ ଏହା ଦ୍ବିତୀୟ ଅଲିମ୍ପିକ୍ସ। ଗତ ରିଓ ଅଲିମ୍ପିକ୍ସରେ ସେ ୪୮ କେଜି ବର୍ଗରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଖାଲି ହାତରେ ଫେରିଥିଲେ। ଚଳିତ ବର୍ଷ ଏହି ପୁରୁଣା ବିଫଳତାକୁ ଭୁଲି ଭାରତ ପାଇଁ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି।

ଟୋକିଓ ବାହାରି‌ଲା ଭାରତୀୟ ବୁନ୍ଧକଚାଳନା ଦଳ
ନୂଆଦିଲ୍ଲୀ : ଅଲିମ୍ପିକ୍ସ ପ୍ରସ୍ତୁତ ଲାଗି କ୍ରୋଏସିଆ ଓ ଇଟାଲିରେ ଥିବା ଭାରତୀୟ ବନ୍ଧୁକଚାଳନା ଦଳ ରବିବାର ସୁଦ୍ଧା ଟୋକିଓରେ ପହଞ୍ଚିବ। କ୍ରୋଏସିଆର ଜାଗ୍ରେବରେ ୧୩ ଜଣିଆ ପିସ୍ତଲ ଓ ରାଇଫଲ ଦଳ ଏବଂ ଇଟାଲିର ଆମଷ୍ଟରଡାମରେ ଦୁଇ ସ୍କିଟ୍‌ ବନ୍ଧୁକଚାଳକ ମିରାଜ ଅହମଦ ଖାନ ଏବଂ ଅଙ୍ଗଦ ବୀର ସିଂ ତାଲିମ ନେଉଥିଲେ। ଜାଗ୍ରେବରେ ପିସ୍ତଲ ଓ ରାଇଫଲ ଦଳର ଅଭ୍ୟାସ ଗୁରୁବାର ଶେ‌ଷ ହୋଇଛି। ‌ଅଭ୍ୟାସ ଶେଷ ହେବା ପରେ କ୍ରୋଏସିଆ ପକ୍ଷରୁ ଭାରତୀୟ ଦଳକୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଟୋକିଓ ପୂର୍ବରୁ ସମସ୍ତ ଭାରତୀୟ ଖେଳଳିଙ୍କ କୋଭିଡ ରିପୋର୍ଟ ନେଗେଟିଭ୍‌ ରହିଛି। ଜାଗ୍ରେବରୁ ଭାରତୀୟ ଦଳ ଆମଷ୍ଟରଡାମ ଦେଇ ଟୋକିଓରେ ପହଞ୍ଚିବେ। ଆମଷ୍ଟରଡାମରେ ଥିବା ମିରାଜ ଓ ଅଙ୍ଗଦ ସେମାନଙ୍କ ସହ ଟୋକିଓ ଅଭିମୁଖେ ଯାତ୍ରା କରିବେ। ଖେଳାଳିମାନଙ୍କ ସହ ତାଲିମ‌ ବେଳେ ଥିବା କିଛି ପ୍ରଶିକ୍ଷକ ଟୋକିଓ ଯିବେ। ଆଉ କିଛି ଶନିବାର ଭାରତ ଫେରିଆସିବେ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅଲିମ୍ପିକ୍ସରେ ରେକର୍ଡ ସଂଖ୍ୟକ ୧୫ ଜଣ ବନ୍ଧୁକଚାଳକ ଭାରତରୁ ପ୍ରତିନିଧିତ୍ବ କରିବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ୮ ରାଇଫଲ, ୫ ପିସ୍ତଲ ଏବଂ ୨ ଜଣ ସ୍କିଟ୍‌ ବନ୍ଧୁକଚାଳକ।

ସମ୍ବନ୍ଧିତ ଖବର