ମୀରାବାଇଙ୍କୁ ନାଡା ଅଡୁଆ

ନୂଆଦିଲ୍ଲୀ: ଭାରତୀୟ ଭାରୋତ୍ତୋଳିକା ସାଇଖୋମ୍‌ ମୀରାବାଇ ଚାନୁଙ୍କ ପାଇଁ ନାଡା ଅଡୁଆ କରୁଛି। ଭାରତୀୟ କ୍ରୀଡ଼ା ଇତିହାସରେ ଯାହା କେବେ ଘଟିନଥିଲା ତାହା ମୀରାବାଇଙ୍କ କ୍ଷେତ୍ରରେ ଘଟୁଛି। ଏପରିକି ନିକଟରେ ବିଶ୍ୱ ବିଜୟିନୀ ହୋଇଥିବା ମୀରାବାଇଙ୍କୁ ଉଭୟ ଆନ୍ତର୍ଜାତିକ ଭାରୋତ୍ତୋଳନ ସଂଘ ଓ ଜାତୀୟ ଡୋପିଂ ନିରୋଧୀ ସଂସ୍ଥା ଟାର୍ଗେଟ କରିଛନ୍ତି। ଯାହାର ଫଳସ୍ୱରୂପ ୨୪ ଘଣ୍ଟା ମଧ୍ୟରେ ଦୁଇ ଥର ଏବଂ ଗୋଟିଏ ମାସରେ ୪ ଥର ମୀରାବାଇ ଡୋପ୍‌ ପରୀକ୍ଷା ଦେବାକୁ ବାଧ୍ୟ ହୋଇଛନ୍ତି। ଜଣେ ଭାରତୀୟ ଆଥ୍‌ଲେଟ୍‌ଙ୍କ କ୍ଷେତ୍ରରେ ଏଭଳି ଘଟଣା ଇତିହାସରେ ପ୍ରଥମ ଥର ପାଇଁ ଘଟିଛି ବୋଲି ସେ କହିଛନ୍ତି। ପ୍ରଥମ ଥର ଲାଗି ପାତିଆଲା ଜାତୀୟ ଶିବିରରେ ନାଡାର ଡୋପ୍‌ ନିୟଂତ୍ରଣ ଅଧିକାରୀ (ଡିସିଓ)ମାନେ ତାଙ୍କଠୁ ରକ୍ତ ଓ ମୂତ୍ର ନମୂନା ସଂଗ୍ରହ କରିଥିଲେ। ପୁଣି ଆଶ୍ଚର୍ଯ୍ୟଜନକ ଭାବେ ଏହାର ପରଦିନ ସେ ଅନ୍ତଃରେଳବାଇ ପ୍ରତିଯୋଗିତାରେ ଭାଗ ନେବାକୁ କପୁରତାଲା ପହଞ୍ଚିବା ମାତ୍ରେ ସେହି ଡିସିଏମାନେ ମୂତ୍ର ନମୂନା ସଂଗ୍ରହ କରିଥିଲେ। ଏହା ପୂର୍ବରୁ ନଭେମ୍ବର ୧୨ ତାରିଖରେ ଲାସ୍‌ ଭେଗାସ୍‌ ଏବଂ ନଭେମ୍ବର ୨୮ରେ ଦୁଇ ଥର ଏଭଳି ନମୂନା ସଂଗ୍ରହ କରିଥିଲେ। ତେବେ ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି ବୋଲି ମୀରାବାଇ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର