୨୦୨୪ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ମୀରାବାଈଙ୍କ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ଗତ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ଭାରତୀୟ ଭାରୋତ୍ତୋଳିକା ମୀରାବାଈ ଚାନୁ। ହେଲେ ସେ ସେଥିରେ ସନ୍ତୁଷ୍ଟ ନଥିଲେ। ସେ ସ୍ବର୍ଣ୍ଣ ପଦକ ଆଶା ରଖିଥଲେ। ତେଣୁ ଆଗାମୀ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ୟାରିସ୍‌ରେ ଟୋକିଓଠୁ ଉନ୍ନତ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲର ଲକ୍ଷ୍ୟ ରଖିଛନ୍ତି। ଟୋକିଓରେ ଚମତ୍କାର ପ୍ରଦର୍ଶନ ପରେ ସେ ଆକ୍‌ସନ୍‌କୁ ଫେରିଛନ୍ତି ଏବଂ ଏହାକୁ ମିସନ ପ୍ୟାରିସ୍‌ ୨୦୨୪ ଆଖ୍ୟା ଦେଇ ଟ୍ବିଟ୍‌ କରିଛନ୍ତି ମୀରାବାଈ। ଏହି ଅବସରରେ ସେ କହିଛନ୍ତି କ୍ରୀଡ଼ା ଜଗତକୁ ପ୍ରବେଶ ପାଇଁ ଆଗ୍ରହୀ ବାଳିକାମାନଙ୍କୁ ପ୍ରତ୍ୟେକ ସମର୍ଥ ଯୋଗାଇଦେବା ଉଚିତ।

ମୀରାବାଈଙ୍କ କହିବା କଥା ଥିଲା, ମୁଁ ଯେତେବେ‌ଳେ ଖେଳ ଆରମ୍ଭ କରିଥିଲି ସେତେବେଳେ ମୋତେ ୧୪ ବର୍ଷ ହୋଇଥିଲା। ବହୁ ସମସ୍ୟା ଦେଇ ମୁଁ ଗତି କରିଥିଲି। ପୂର୍ବରୁ ଯଥେଷ୍ଟ ସୁବିଧାସୁଯୋଗ ନଥିଲା ଏବଂ ମୋ ପରିବାର ବହୁ ସମସ୍ୟା ସତ୍ତ୍ବେ ସମର୍ଥନ କରିଥିଲେ। ପ୍ରଶିକ୍ଷଣ ସମୟରେ କଠିନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ପରିବାରର ସମର୍ଥନ ମୋତେ ଆଗକୁ ବଢ଼ିବା ପାଇଁ ସାହସ ଦେଇଥିଲା। ମୋର ସ୍ବପ୍ନ ପୂରଣ ଦିଗରେ ଆଗେଇଯିବା ପାଇଁ ପିତାମାତା ସବୁବେଳେ ଉତ୍ସାହ ଦେଉଥିଲେ। ଆଉ ସେମାନଙ୍କ ସ୍ବପ୍ନ ସାକାର କରିପାରିଥିବାରୁ ମୁଁ ଖୁସୀ। ତେଣୁ ପ୍ରତ୍ୟେକ ସେମାନଙ୍କ ଝିଅକୁ କ୍ରୀଡ଼ା ଦୁନିଆରେ ପ୍ରବେଶ କରିବାରେ ସମର୍ଥନ କରନ୍ତୁ ବୋଲି ମୀରାବାଇ ଅନୁରୋଧ କରିଛନ୍ତି। ମୁଁ ଭାଗ୍ୟବାନ ଯେ ମୋ ପରିବାର କ୍ରୀଡ଼ାପ୍ରେମୀ ଥିଲେ। ସେମାନଙ୍କ ସମର୍ଥନ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ସରକାର ମଧ୍ୟ ଏବେ ଆମକୁ ସହାୟତା ଯୋଗାଇ ଦେଉଛନ୍ତି। ଆଉ ମୋର ଆଶା ସରକାର ସେହି ସମର୍ଥନ ଆଗକୁ ଜାରି ରଖିବେ। ଭାରତର ଖେଳାଳିମାନେ କଠିନ ପରିଶ୍ରମ କରିଥା’ନ୍ତି। ଯଦି ଯୁବ ପିଢ଼ି ଆବଶ୍ୟକ ସମର୍ଥନ ପାଆନ୍ତି ତାହାଲେ ସେମାନେ ଆମକୁ ଗର୍ବିତ କରିବେ ବୋଲି ମୀରାବାଇ କହିଛନ୍ତି।

ସମ୍ବନ୍ଧିତ ଖବର