ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)ର କାର୍ଯ୍ୟକାରିଣୀ ବୈଠକରେ ମଙ୍ଗଳବାର ଏହାର ବର୍ଷିକ ପୁରସ୍କାର ଘୋଷଣା ହୋଇଛି। ସାଫ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ଦଳର ପ୍ରମୁଖ ୱିଙ୍ଗର ଲାଲିଆଞ୍ଜୁଆଲା ଚାଙ୍ଗଟେ ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସାଇପ୍ରସରେ ଆପୋଲନ୍‌ରୁ ଖେଳୁଥିବା ମନୀଷା କଲ୍ୟାଣ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ବିବେଚିତ ହୋଇଛନ୍ତି। ୨୧ ବର୍ଷୀୟ ଆକାଶ ମିଶ୍ର ଏବଂ ୧୬ ବର୍ଷୀୟା ଶିଲ୍‌ଜି ଶାଜି ଯଥାକ୍ରମେ ପୁରୁଷ ଓ ମହିଳାର ଉଦୀୟମାନ ଖେଳାଳି ହୋଇଛନ୍ତି। ଓଡ଼ିଶା ଏଫ୍‌ସିକୁ ସୁପର କପ୍‌ ବିଜେତା କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା କ୍ଲିଫର୍ଡ ମିରାଣ୍ଡା ଶ୍ରେଷ୍ଠ ପୁରୁଷ ପ୍ରଶିକ୍ଷକ ପୁରସ୍କାର କରାୟତ୍ତ କରିଛନ୍ତି। ୧୭ ବର୍ଷରୁ କମ୍‌ ମହିଳା ଦଳର ମୁଖ୍ୟ ଏବଂ ବରିଷ୍ଠ ଦଳର ସହଯୋଗୀ ପ୍ରଶିକ୍ଷକ ପ୍ରିୟା ପିଭିଙ୍କୁ ଶ୍ରେଷ୍ଠ ମହିଳା ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି।