ମୀରପୁର : ଏଠାରେ ଆୟୋଜିତ ଏକମାତ୍ର ଟେଷ୍ଟରେ ବାଂଲାଦେଶ ୫୪୬ ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହାଫଳରେ ବିଗତ ୯୦ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ବ୍ୟବଧାନର ବିଜୟ ଭାବେ କୀର୍ତ୍ତିମାନ ରଚିଛି। ଏଥିସହ ରନ୍ ଭିତ୍ତିକ ବିଜୟ ବ୍ୟବଧାନରେ ଏହି ମ୍ୟାଚ୍ ତୃତୀୟରେ ରହିଛି। ୧୯୨୮ରେ ବ୍ରିସବେନ୍ରେ ଇଂଲଣ୍ଡ ୬୭୫ ରନ୍ରେ ଅଷ୍ଟ୍ରେଲିଆକୁ ଓ ୧୯୩୪ରେ ଦ ଓଭାଲ୍ରେ ଅଷ୍ଟ୍ରେଲିଆ ୫୬୨ ରନ୍ରେ ଇଂଲଣ୍ଡକୁ ହରାଇଥିଲେ। ତେବେ ଆଫଗାନିସ୍ତାନ ବିପକ୍ଷ ବିଜୟରେ ବାଂଲାଦେଶର ତସ୍କିନ ଅହମଦଙ୍କ ବଡ଼ ଭୂମିକା ରହିଥିଲା। ତସ୍କିନ୍ଙ୍କ ଶ୍ରେଷ୍ଠ ପ୍ରଦର୍ଶନ (୪/୩୭) ବଳରେ ବାଂଲାଦେଶ ଚତୁର୍ଥ ଦିନରେ ମ୍ୟାଚ୍ରେ ବିଜୟୀ ହୋଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନଜମୁଲ୍ ହୋସେନ୍ ସାନ୍ତୋଙ୍କ ଶତକ (୧୪୬) ସହାୟତାରେ ୩୮୨ ରନ୍ କରିଥିଲା ବେଳେ ଆଫଗାନିସ୍ତାନ ୧୪୬ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଦ୍ବିତୀୟ ପାଳିରେ ବାଂଲାଦେଶ ପାଇଁ ସାନ୍ତୋ ପୁଣି ଏକ ଶତକ (୧୨୪) ଜମାଇଥିଲା ବେଳେ ମୋମିନୁଲ ହକ୍ (୧୨୧*) ଙ୍କ ଶତକ ଏବଂ ଜାକିର ହାସନ (୭୧) ଓ ଅଧିନାୟକ ଲିଟନ ଦାସ (୬୬*)ଙ୍କ ଅର୍ଦ୍ଧଶତକ ସହାୟତାରେ ଦଳ ୪୨୫/୪ ରେ ପାଳି ଘୋଷଣା କରିଥିଲା। ଏହାଫଳରେ ଆଫଗାନିସ୍ତାନ ପାଇଁ ୬୬୨ ରନ୍ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାକୁ ପିଛା କରି ଭ୍ରମଣକାରୀ ଦଳ କେବଳ ୧୧୫ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ରହମତ ଶାହ ସର୍ବାଧିକ ୩୦ ରନ୍ କରିଥିଲା ବେଳେ ବିଜୟୀ ଦଳର ତସ୍କିନ୍, ସୋରିଫୁଲ ଇସଲାମ୍ (୩/୨୮), ମେହିଦି ହାସନ ମିରାଜ (୧/୫) ଓ ଏବାଦତ ହୋସେନ୍ (୧/୨୨) ଆଫଗାନିସ୍ତାନ ବ୍ୟାଟିଂକ୍ରମକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଦୁଇଟି ଶତକୀୟ ପାଳି ପାଇଁ ସାନ୍ତୋଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।