୨୦୨୧ ବର୍ଷ ଓଡ଼ିଶା କ୍ରୀଡ଼ାରେ ଅନେକ ପ୍ରଥମ ଯୋଡ଼ି ହୋଇଥିଲା। ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ କାଂସ୍ୟ ଜିତି ଓଡ଼ିଶାର ଅଲିମ୍ପିକ୍ସ ପଦକ ମରୁଡ଼ିର ଅବସାନ ଘଟାଇଥିଲେ। ସେହିପରି ପାରାଲିମ୍ପିକ୍ସରେ ପ୍ରମୋଦ ଭଗତ ବ୍ୟାଡ୍ମିଣ୍ଟନରେ ସ୍ବର୍ଣ୍ଣ ଜିତି ଆଉ ଏକ ପ୍ରଥମ ଯୋଡ଼ିଥିଲେ। ପ୍ରମୋଦ ମଧ୍ୟ ପ୍ରଥମ ଓଡ଼ିଆ ଭାବେ ଦେଶର ସର୍ବାଚ୍ଚ କ୍ରୀଡ଼ା ପୁରସ୍କାର ମେଜର ଧ୍ୟାନ୍ଚାନ୍ଦ ଖେଳରତ୍ନ ପାଇବାର ଗୌରବ ବହନ କରିଥିଲେ। ବୀରେନ୍ଦ୍ର ଓ ଅମିତଙ୍କୁ ଅର୍ଜୁନ ଏବଂ ସନ୍ତରଣ ପ୍ରଶିକ୍ଷକ ତପନ ପାଣିଗ୍ରାହୀଙ୍କୁ ମିଳିଥିଲା ଦ୍ରୋଣାଚାର୍ଯ୍ୟ। ଫଳରେ ଗୋଟିଏ ବର୍ଷରେ ୪ ଓଡ଼ିଆ ଜାତୀୟ କ୍ରୀଡ଼ା ପୁରସ୍କାର ପାଇବାରେ ଏହା ପ୍ରଥମ ଘଟଣା ହୋଇଥିଲା।
କରୋନା ମହାମାରୀର ପ୍ରାଦୁର୍ଭାବ ଯୋଗୁଁ ସାରା ଭାରତରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହେଉନଥିଲା ବେଳେ ଓଡ଼ିଶାରେ ସଫଳତାର ସହ ଏଫ୍ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଆୟୋଜନ କରି ନୂଆ ଅଧ୍ୟାୟ ଯୋଡ଼ିଥିଲା। ଏହା ମଧ୍ୟ କରୋନା ପରଠୁ ଭାରତରେ ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା ଥିଲା। ଆଇପିଏଲ୍ ଏବଂ ଟି-୨୦ ବିଶ୍ବକପ୍ ମଧ୍ୟ ଭାରତରୁ ୟୁଏଇକୁ ସ୍ଥାନାନ୍ତର ହୋଇଥିଲା ବେଳେ ଓଡ଼ିଶା କିନ୍ତୁ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ଜୈବ ବଳୟରେ ଆୟୋଜନ କରି ଭୁବନେଶ୍ବର ଦେଶର କ୍ରୀଡ଼ା ରାଜଧାନୀ ବୋଲି ପୁଣି ଥରେ ପ୍ରମାଣିତ କରିଥିଲା। ଧାବିକା ଦୂତି ଚାନ୍ଦଙ୍କ ସମେତ ହକିରେ ବୀରେନ୍ଦ୍ର, ଅମିତ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କ ଭଳି ୫ ଓଡ଼ିଆ ଅଲିମ୍ପିକ୍ସରେ ଭାଗନେବା ରାଜ୍ୟ ପାଇଁ ଆଉ ଏକ ସଫଳତା ହୋଇଥିଲା। ଫୁଟ୍ବଲ୍, ଭାରୋତ୍ତୋଳନ, ସନ୍ତରଣ, ବନ୍ଧୁକଚାଳନା, ଚେସ୍, ଭଲିବଲ୍ରେ ସଫଳତା ମିଳିଥିଲା ବେଳେ ଲୋକପ୍ରିୟ କ୍ରିକେଟ୍ରେ ନିରାଶ ହେବାକୁ ପଡ଼ିଥିଲା।
ଖାଲି ଓଡ଼ିଶା ନୁହେଁ ପାରା ବ୍ୟାଡ୍ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କ ନାମରେ ମଧ୍ୟ ବହୁ ପ୍ରଥମ ଯୋଡ଼ି ହୋଇଥିଲା। ମେଜର ଧ୍ୟାନ୍ଚାନ୍ଦ ଖେଳରତ୍ନ ପୁରସ୍କାର ଏବଂ ପାରାଲିମ୍ପିକ୍ସ ବ୍ୟାଡ୍ମିଣ୍ଟନ୍ରେ ଖେଳିବା ଓ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଓଡ଼ିଆ ହୋଇଥିଲେ। ହେଲେ ପାରାଲିମ୍ପିକ୍ସରେ ଯୁଗଳ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ମିଶ୍ରିତ ଯୁଗଳରେ ପଲକ କୋହଲିଙ୍କ ସହ ଖେଳୁଥିବା ପ୍ରମୋଦ ସେମିଫାଇନାଲ୍ରେ ହାରି ଯାଇଥିଲେ। ଖାଲି ଏତିକି ନୁହେଁ ବିଡବ୍ଲୁଏଫ୍ ପୁରସ୍କାର ଦୌଡ଼ରେ ସାମିଲ ହେବାରେ ପ୍ରମୋଦ ପ୍ରଥମ ଓଡ଼ିଆ ହୋଇଥିଲେ।
ପୂର୍ଣ୍ଣ ଋତୁରେ ଋତାପର୍ଣ୍ଣା
ଋତାପର୍ଣ୍ଣା ପଣ୍ଡା ଉବେର କପ୍ ଓ ସୁଦିରମଣ କପ୍ରେ ନିଜର ଦମ୍ ଦେଖାଇଥିଲେ। ଅଶ୍ବିନୀ ପୋନ୍ନାପ୍ପାଙ୍କ ସହ ମିଶି ସେ ଉବେର କପ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେହିପରି ସୁଦିରମଣ କପ୍ରେ ସେ ପୂର୍ବତନ ଏକନମ୍ବର କିଦାମ୍ବି ଶ୍ରୀକାନ୍ତଙ୍କ ସହ ମିଶ୍ରିତ ଯୁଗଳ ଖେଳିବାର ସୁଯୋଗ ପାଇଥିଲେ ଏବଂ ପ୍ରଥମ ଓଡ଼ିଆ ହୋଇଥିଲେ। ତାଙ୍କ ଭଉଣୀ ସ୍ବେତପର୍ଣ୍ଣା ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ପାରାବ୍ୟାଡ୍ମିଣ୍ଟନ୍ରେ ପ୍ରମୋଦଙ୍କ ଅଧିପତ୍ୟ ଥିଲା ବେଳେ ଉଗାଣ୍ଡାରେ ସ୍ବର୍ଣ୍ଣ ଜିତି ଦୀପରଂଜନ ବିଷୋୟୀ ନୂଆ ସମ୍ଭାବନା ଭାବେ ଉଭା ହୋଇଥିଲେ।
ରଗ୍ବି ଗର୍ବ
୩ ଓଡ଼ିଆ ଝିଅ ତାରୁଲତା ନାୟକ, ମାମା ନାୟକ ଓ ନିର୍ମଳା ରାଉତ ୧୮ ବର୍ଷରୁ କମ୍ ଭାରତୀୟ ଏସୀୟ ରଗ୍ବି ସେଭେନ୍ସ ଦଳରେ ସ୍ଥାନ ପାଇଥିଲେ। ଏମାନଙ୍କ ଚମତ୍କାର ପ୍ରଦର୍ଶନରେ ଭାରତ ରୌପ୍ୟ ପଦକ ଜିତିଥିଲା। ହକି ପରେ ଓଡ଼ିଶା ଜାତୀୟ ରଗ୍ବି ଦଳର ପ୍ରାୟୋଜକ ହୋଇଥିବାରୁ ଏହା ରାଜ୍ୟକୁ ଗର୍ବିତ କରିଥିଲା। ସେହିପରି ଭୁବନେଶ୍ବରରେ ଆୟୋଜିତ ହୋଇଥିବା ଜାତୀୟ କନିଷ୍ଠ ରଗ୍ବି ସେଭେନ୍ସରେ ଓଡ଼ିଶା ବାଳକ ବିଜେତା ହୋଇଥିଲା ବେଳେ ବାଳିକା ଦଳ କାଂସ୍ୟ ପଦକ ଜିତିଥିଲା। ଜାତୀୟ ବରିଷ୍ଠ ରଗ୍ବି ସେଭେନ୍ସର ବି ଓଡ଼ିଶା ଆୟୋଜକ ରହିଥିଲା। ଏଥିରେ ଓଡ଼ିଶା ବାଳିକା ବିଜେତା ଏବଂ ବାଳିକା କାଂସ୍ୟ ଜିତିଥିଲେ।
ହକି ଚମକ
ହକିରେ ଓଡ଼ିଆଙ୍କ ଚମକ ଦେଖିବାକୁ ମିଳିଥିଲା। ଭାରତୀୟ ପୁରୁଷ ଓ ମହିଳା ସହ କନିଷ୍ଠ ଦଳରେ ଏକାଧିକ ଓଡ଼ିଆ ଖେଳାଳିଙ୍କୁ ମିଳିଥିଲା ସୁଯୋଗ। ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଅଲିମ୍ପିକ୍ସ କାଂସ୍ୟ ବିଜେତା ଦଳର ସଦସ୍ୟ ରହିଥିଲେ। ସେହିପରି ଚତୁର୍ଥ ସ୍ଥାନରେ ରହି ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସଫଳତା ଆଣିଥିବା ମହିଳା ଦଳରେ ଥିଲେ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ। ପୁଣି ଭୁବନେଶ୍ବରରେ ଆୟୋଜିତ କନିଷ୍ଠ ହକି ବିଶ୍ବକପ୍ ଭାରତୀୟ ଦଳରେ ୩ ଜଣ ସୁଦୀପ ଚିର୍ମାକୋ, ସୁନିଲ ଯୋଯୋ ଓ ଅଭିଷେକ ଲାକ୍ରା ଖେଳିଥିଲେ। ଏହି ପ୍ରତିଯୋଗିତା ପରିଚାଳନାରେ ବିଭୂକଲ୍ୟାଣ ନାୟକ (ସ୍ବାସ୍ଥ୍ୟ) ଓ ବିଶ୍ବରଂଜନ ଷଡ଼ଙ୍ଗୀ (ବୈଷୟିକ) ସହଯୋଗ କରିଥିଲେ। ବିଭୂକଲ୍ୟାଣ ମଧ୍ୟ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ୨୦୨୩ ବିଶ୍ବକପ୍ ଅଧିକାରୀ ତାଲିକାରେ ସ୍ଥାନିତ ହୋଇଛନ୍ତି। ଏସୀୟ ଚାମ୍ପିଅନ୍ସ ଟ୍ରଫି ଦଳରେ ଦୀପସାନ ତିର୍କି, ନୀଲମ ସଂଜୀବ ଖେସ୍ ଓ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଥିଲେ। ବାଳିକା ଦଳରେ ଅଜ୍ମିନା କୁଜୁର ଓ ଜୀବନ କିଶୋରୀ ଟୋପ୍ପୋ ନିଜର ଚମକ ଦେଖାଇଥିଲେ। ଅଲିମ୍ପିକ୍ସ ସଫଳତା ଲାଗି ଭାରତୀୟ ଦଳକୁ ସମ୍ବର୍ଦ୍ଧିତ ସହ ପୁରସ୍କୃତ କରି ଖେଳାଳିଙ୍କ ହୃଦୟ ଜିତିଥିଲା ଓଡ଼ିଶା ସରକାର।