ପାକିସ୍ତାନର ମୁଖ୍ୟ ଚୟନକର୍ତ୍ତା ପଦରୁ ମିସ୍‌ବାଙ୍କ ଇସ୍ତଫା

ଲାହୋର: ପାକିସ୍ତାନର ପୂର୍ବତନ ଅଧିନାୟକ ମିସ୍‌ବା ଉଲ୍‌ ହକ୍‌ ଏହି ଦେଶର ଜାତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଉପରେ ଅଧିକ ଧ୍ୟାନ ଦେବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଲାହୋରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିସ୍‌ବା ସୂଚନା ଦେଇଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ମିସ୍‌ବାଙ୍କୁ ମୁଖ୍ୟ ଚୟନକର୍ତ୍ତା ଓ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୁଗ୍ମ ଦାୟିତ୍ବ ଦିଆଯାଇଥିଲା। ତେବେ ଆନୁଷ୍ଠାନିକ ଭାବେ ନଭେମ୍ବର ୩୦ ତାରିଖରେ ଚୟନକର୍ତ୍ତା ପଦ ତ୍ୟାଗ କରିବେ ବୋଲି କହିଛନ୍ତି ସେ।

ମିସ୍‌ବାଙ୍କ କହିବାନୁଯାୟୀ, ଜିମ୍ବାୱେ ବିପକ୍ଷ ଶୃଙ୍ଖଳା ପାଇଁ ସେ ଦଳ ଚୟନ କରିବେ ଏବ˚ ଏହାପରେ ପ୍ରଶିକ୍ଷଣ ଉପରେ ଅଧିକ ଧ୍ୟାନ ଦେବେ। ତେବେ ପାକିସ୍ତାନ କ୍ରିକେଟ ବୋର୍ଡର ଚାପ ଯୋଗୁଁ ସେ ଚୟନକର୍ତ୍ତା ପଦ ଛାଡ଼ି ପାରୁନଥିଲେ। ଏକା ସମୟରେ ଦୁଇଟି ଉଚ୍ଚସ୍ତରୀୟ କାର୍ଯ୍ୟ ସମ୍ଭାଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ଆଗକୁ ଯିଏବି ମୁଖ୍ୟ ଚୟନକର୍ତ୍ତା ହେବେ, ସେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିବେ ଏବ˚ ପାକିସ୍ତାନକୁ ପ୍ରତ୍ୟେକ ଫର୍ମାଟ୍‌ରେ ଶ୍ରେଷ୍ଠ ୩ ଦଳ ମଧ୍ୟରେ ରଖିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ତେବେ ଏଭଳି ନିଷ୍ପତ୍ତି ସହ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସହିତ ହୋଇଥିବା ସାକ୍ଷାତ ଆଲୋଚନାର କୌଣସି ସମ୍ପର୍କ ନଥିବା ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର