ସ‌ଚିନ ପ୍ରେରଣାଦାୟୀ ଅଧିନାୟକ ହୋଇପାରିନଥିଲେ: ଶଶୀ ଥରୁର

ସଚିନ ନାଁର ଅପବ୍ୟବହାର କରାଯାଉଛି

ନୂଆଦିଲ୍ଲୀ: ଅଧିନାୟକ ଭାବେ ସଚିନ ତେନ୍ଦୁଲକର ତାଙ୍କୁ ଆଦୌ ପ୍ରଭାବିତ କରିପାରିନଥିବା ପୂର୍ବତନ ସାଂସଦ ଶଶୀ ଥରୁର କହିଛନ୍ତି। ୯୦ ଦଶକ ମଧ୍ୟଭାଗରେ ସଚିନ ଅଧିନାୟକ ହେବା ପାଇଁ ଭଲ ବିକଳ୍ପ ଥିଲେ। କିନ୍ତୁ ସଚିନ୍‌ଙ୍କୁ ଯେତେବେଳେ ଏହି ଦାୟିତ୍ବ ଦିଆଯାଇଥିଲା, ସେତେବେଳେ ତାଙ୍କ ଧାରଣା ବଦଳିଯାଇଥିଲା। କାରଣ ତାଙ୍କ ଅଧିନରେ ଭଲ ଫଳାଫଳ ଆସିନଥିଲା। ଅଧିନାୟକ ନଥିଲା ବେଳେ ସେ ଅଧିକ ସକ୍ରିୟ ରହୁଥିଲେ। ସେ ସ୍ଲିପ୍‌ ଅଞ୍ଚଳରେ କ୍ଷେତ୍ରରକ୍ଷଣ କରୁଥିଲେ, ଅଧିନାୟକଙ୍କ ପାଖକୁ ଯାଇ ପରାମର୍ଶ ଦେଉଥିଲେ ଓ ଅନ୍ୟମାନଙ୍କୁ ଉତ୍ସାହିତ କରିପାରୁଥିଲେ ବୋଲି ଥରୁର କହିଛନ୍ତି।

ସଚିନ୍‌ଙ୍କୁ ୧୯୯୬ ମସିହାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ କରାଯାଇଥିଲା। ମୋଟ ୭୩ଟି ଦିନିକିଆରେ ସେ ଭାରତର ନେତୃତ୍ବ ନେଇଥିଲା ବେଳେ ୨୩ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ। ତାଙ୍କ ବିଜୟ ହାର ମାତ୍ର ୩୫.୦୭ ପ୍ରତିଶତ ରହିଥିଲା। ଟେଷ୍ଟରେ ସେ ଆହୁରି ଖରାପ ପରିସଂଖ୍ୟାନ ଦେଇଥିଲେ। ‌ତାଙ୍କ ନେତୃତ୍ବରେ ଭାରତ ଖେଳିଥିବା ୨୫ ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଥିଲା ବେଳେ ୯ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ମୋଟ ଉପରେ ସଚିନ୍‌ ୯୮ ବ୍ୟାଚ୍‌ରେ ନେତୃତ୍ବ ନେଇଥିଲା ବେଳେ ଭାରତ ସେଥିରୁ ମାତ୍ର ୨୭ ବିଜୟ ପାଇଥିଲା। ତେଣୁ ସଚିନ୍‌ଙ୍କ ନେତୃତ୍ବ ବେଳେ ଭାରତ ଏକ ଦୁର୍ବଳ ଦଳ ହୋଇଯାଇଥିଲା‌। ଏପରିକି ସେ ଜଣେ ପ୍ରେରଣାଦାୟୀ ଅଧିନାୟକ‌ ହୋଇପାରିନଥିଲେ ବୋଲି ସ୍ବୀକାର କରିବେ। ତାଙ୍କର ବ୍ୟାଟିଂ ଉପରୁ ଧ୍ୟାନ ହଟୁଥିବାରୁ ସ୍ବଇଚ୍ଛାରେ ସେ ଅଧିନାୟକତ୍ବ ଭାର ଛାଡ଼ିଦେଇଥିଲେ ଏବଂ ପୁଣି ଯେତେବେଳେ ପରବର୍ତ୍ତୀ ସମୟରେ ଆଉଥରେ ତାଙ୍କୁ ଏହି ଦାୟିତ୍ବ ବହନ କରିବାକୁ ସୁଯୋଗ ଦିଆଗ‌ଲ‌ା, ସଚିନ୍‌ ତାହାକୁ ପ୍ରତ୍ୟାଖ୍ୟାନ କରିଥିବା ଥରୁର କହିଛନ୍ତି। ସଚିନ୍‌ଙ୍କ ନେତୃତ୍ବରେ ୧୯୯୯ରେ ସବୁଠୁ ଦୟନୀୟ ବିଦେଶ ଗସ୍ତ ହୋଇଥିଲା। ଏହି ବର୍ଷ ଦଳ ଅଷ୍ଟ୍ରେଲିଆ ଯାଇଥିଲା ବେଳେ ଟେଷ୍ଟ ଶୃଙ୍ଖଳାରେ ୦-୩ରେ ପରାଜିତ ହୋଇଥିଲା ଏବଂ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ୧୪ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ପାଇଥିଲା। ତୃତୀୟ ଦଳ ଭାବେ ପାକିସ୍ତାନ ଏହି ଶୃଙ୍ଖଳାରେ ଅଂଶଗ୍ରହଣ କରିଥିଲା। ଏହାପରେ ସେ ଅଳ୍ପ କିଛି ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକ ରହିଥିଲେ ବି ୨୦୦୦ ମସିହାରେ ସୌରଭ ଗାଙ୍ଗୁଲିଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରିଥିଲେ।

ସଚିନ ନାଁର ଅପବ୍ୟବହାର କରାଯାଉଛି
ମୁମ୍ବାଇ: ମୁମ୍ବାଇ କ୍ରିକେଟ୍‌ ସଂଘର ଚୟନକର୍ତ୍ତା ଓ ପ୍ରଶିକ୍ଷକ ହେବା ପାଇଁ କେତେକ ବ୍ୟକ୍ତି କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ନାମକୁ ବ୍ୟବହାର କରୁଥିବା କ୍ରିକେଟ ଉନ୍ନୟନ ସମିତି (ସିଆଇସି) ଅଧ୍ୟକ୍ଷ ଲାଲଚନ୍ଦ ରାଜପୁତ ସଂଘର ସଭାପତି ବିଜୟ ପାଟିଲଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାଜପୁତଙ୍କ ସହ ରାଜୁ କୁଲକର୍ଣ୍ଣି, ସମୀର ଦିଘେ ଏହି ସମିତିରେ ଥିବାବେଳେ ଗତ ବୁଧବାର ଓ ଗୁରୁବାର ବିଭିନ୍ନ ବୟସବର୍ଗ ପାଇଁ ୨୪ ଜଣ ପ୍ରଶିକ୍ଷକଙ୍କ ସାକ୍ଷାତକାର ନେଇସାରିଲେଣି। ଶନିବାର ଚୟନକର୍ତ୍ତାଙ୍କ ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ।

‌ସଂଘ ସଭାପତିଙ୍କୁ କରିଥିବା ଇ-ମେଲ୍‌ରେ ରାଜପୁତ କହିଛନ୍ତି ଯେ ଆପେକ୍ସ କାଉନସିଲ ସଦସ୍ୟ ଅମିତ ଡାନି ତାଙ୍କୁ କିଛି ପ୍ରାର୍ଥିଙ୍କୁ ଉକ୍ତ ପଦବି ପାଇଁ ଚୟନ କରିବାକୁ ବାଧ୍ୟ କରୁଛନ୍ତି। ହେଲେ ସେ ସବୁବେଳେ ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ପ୍ରତ୍ୟେକ ପରାମର୍ଶକୁ ସେ ସ୍ବାଗତ ମଧ୍ୟ କରିବେ। କିନ୍ତୁ ଡାନି କାହାକୁ ଚୟନ କରାଯିବ କାହାକୁ କରାଯିବନି ତାହା କହିପାରିବେ ନାହିଁ। ଯଦି କେହି ସେମାନଙ୍କ ନାମ ଜାଣିବାକୁ ଚାହୁଁଛନ୍ତି, ‌ତାହେଲେ‌ ସେଗୁଡ଼ିକ ମୋ ପାଖରେ ଅଛି। କିନ୍ତୁ ତାହାକୁ ଏଠାରେ ପ୍ରକାଶ କରିବାକୁ ଚାହୁଁନଥିବା ରାଜପୁତ ଉଲ୍ଲେଖ କରିଛନ୍ତି।

ତେବେ ରାଜପୁତଙ୍କ ଅଭିଯୋଗକୁ ଡାନି ଖଣ୍ଡନ କରିଛନ୍ତି। ସେ କେବେ ବି ତେନ୍ଦୁଲକରଙ୍କ ନାମ ବ୍ୟବହାର କରିନାହାନ୍ତି। କୌଣସି ଖରାପ ବାଟରେ ସେ ‌ସଚିନଙ୍କ ନାମ କାହିଁକି ବ୍ୟବ‌ହାର କରିବେ ବୋଲି ପାଲଟା ପ୍ରଶ୍ନ ପଚାରିଛନ୍ତି। ଯଦି ସଚିନଙ୍କର କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଆଗ୍ରହ ଥାଏ, ତାହେଲେ ସେ ସିଧାସଳଖ ଏମ୍‌ସିଏକୁ ଜଣାଇପାରିବେ। ଏହା ମୋ ଭିତରେ ଓ ସିଆଇସି ମଧ୍ୟରେ କେବଳ ଏକ ଭୁଲ୍‌ ବୁଝାମଣା। ତେଣୁ କଥା ପରିଷ୍କାର କରିବାକୁ ମୁଁ ପ୍ରସ୍ତୁତ ଥିବା ଡାନି ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର