ମିସନ୍ ‘୨୦୨୪-୨୮’ ଅଲିମ୍ପିକ୍ସ: ସୁନ୍ଦରଗଡ଼ ସମେତ ୭ ସ୍ଥାନରେ ହକି ହାଇପର୍ଫମାନ୍ସ ସେଣ୍ଟର

ଭୁବନେଶ୍ବର: ଦେଶର କନିଷ୍ଠ ଓ ଉପକନିଷ୍ଠସ୍ତରୀୟ ହକି ଖେଳାଳିଙ୍କୁ ଆଧୁନିକ ଓ ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରଦାନ କରିବା ପାଇଁ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ) ଓ ହକି ଇଣ୍ଡିଆ ହାତ ମିଳାଇଛନ୍ତି। ସମଗ୍ର ଭାରତ ବର୍ଷର ଯୁବ ଓ ଉଦୀୟମାନ ହକି ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ୨୦୨୪ (ପ୍ୟାରିସ୍) ଓ ୨୦୨୮ (ଲସଏଞ୍ଜେଲ୍ସ) ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବା ଲକ୍ଷ୍ୟ ନେଇ ଉଭୟ କ୍ରୀଡ଼ା ସଂସ୍ଥା ଦେଶରେ ଆଉ ୭ଟି ହକି ହାଇପର୍ଫମାନ୍ସ ସେଣ୍ଟର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ହାଇପର୍ଫମାନ୍ସ ସେଣ୍ଟରଗୁଡ଼ିକ ବଛାଯାଇଥିବା ସ୍ଥାନରେ ପୂର୍ବରୁ ଥିବା ସାଇ କେନ୍ଦ୍ରରେ ଚାଲିବ। ହାଇପର୍ଫମାନ୍ସ କେନ୍ଦ୍ର ସ୍ଥାପିତ ହେବାକୁ ଥିବା ସହରଗୁଡ଼ିକ ହେଲା ବେଙ୍ଗାଲୁରୁ, ନୂଆଦିଲ୍ଲୀ, ସୁନ୍ଦରଗଡ଼, ଭୋପାଳ, ଇମ୍ଫାଲ, ପୁଣେ ଓ ରାଞ୍ଚି। ସେଥିମଧ୍ୟରୁ ସାଇ ସୁନ୍ଦରଗଡ଼, ସାଇ ଭୋପାଳ ଓ ସାଇ ବେଙ୍ଗାଲୁରୁ କେନ୍ଦ୍ର ଆସନ୍ତା ତିନି ମାସ ମଧ୍ୟରେ କାର୍ଯ୍ୟାରମ୍ଭ କରିବେ। ଅବଶିଷ୍ଟ କେନ୍ଦ୍ରଗୁଡ଼ିକ ବର୍ଷକ ଭିତରେ ଚାଲୁହେବେ। ୭ଟି ଯାକ ହାଇପର୍ଫମାନ୍ସ ସେଣ୍ଟର ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ସ୍ଥାପିତ ହେବ। ସୁନ୍ଦରଗଡ଼ ସାଇକେନ୍ଦ୍ରରେ ସ୍ଥାପିତ ହେବାକୁ ଥିବା ହାଇପର୍ଫମାନ୍ସ ସେଣ୍ଟରରେ ପୂର୍ବାଞ୍ଚଳର ପିଲାମାନେ ସୁଯୋଗ ପାଇବେ। ପୂର୍ବାଞ୍ଚଳର ଦ୍ବିତୀୟ ‌ହାଇପର୍ଫମାନ୍ସ ସେଣ୍ଟର ଭାବେ ରାଞ୍ଚିକୁ ବଛାଯାଇଛି। ଏହି ହାଇପର୍ଫମାନ୍ସ ସେଣ୍ଟରଗୁଡ଼ିକରେ ଦକ୍ଷ ପେସାଦାର ପ୍ରଶିକ୍ଷଣ ଦେବା ସହ କ୍ରୀଡ଼ା‌ ବିଜ୍ଞାନ ଏବଂ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବ। ହକି ‌ଖେଳୁଥିବା ଲୋକଙ୍କ ସଂଖ୍ୟା ଏବଂ ପୂର୍ବରୁ ଥିବା ହକି ଭିତ୍ତିଭୂମିକୁ ବିଚାରକୁ ନେଇ ପ୍ରଥମ ପର୍ଯ୍ୟାୟରେ ଏହି ୭ ସ୍ଥାନକୁ ବଛା ଯାଇଛି। ଆଗକୁ ଏହି ସଂଖ୍ୟା ବଢ଼ିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ସଂପ୍ରତି ଦେଶରେ ଥିବା ସାଇ କେନ୍ଦ୍ର ଓ ହକି ଏକାଡେମି ଏହି ହାଇପର୍ଫମାନ୍ସ ସେଣ୍ଟରକୁ ପିଲା ଯୋଗାଇବେ। ପ୍ରତ୍ୟେକ କେନ୍ଦ୍ରରେ ୭୨ ଜଣ ଲେଖାଏଁ ପୁରୁଷ ଓ ମହିଳା ଖେଳାଳିଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ। ୧୪ରୁ ୨୪ ବର୍ଷ ବୟସର ଖେଳାଳି ଏଥିଲାଗି ଯୋଗ୍ୟ ବିବେଚିତ ହେବେ।

ସମ୍ବନ୍ଧିତ ଖବର