ନୂଆଦିଲ୍ଲୀ: ଜାପାନର ହିରୋସିମାଠାରେ ଗତମାସରେ ଆୟୋଜିତ ଏଫ୍ଆଇଏଚ୍ ସିରିଜ୍ ଫାଇନାଲ୍ସ ଜିତିବା ପରେ ଭାରତୀୟ ମହିଳା ହକି ଦଳର ଆତ୍ମବିଶ୍ବାସ ଢେର ବଢ଼ିଛି। ସେଥିପାଇଁ ଟୋକିଓ ଅଲିମ୍ପିକ୍ସ (୨୦୨୦)ର ଯୋଗ୍ୟତା ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିବାକୁ ଦଳ ଆଶାବାଦୀ ଅଛି। ବହୁମୂଲ୍ୟ ଅଲିମ୍ପିକ୍ସ ଟିକେଟ ହାସଲ କରିବାକୁ ରାଣୀ ରାମପାଲଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ବି କଠିନ ପରିଶ୍ରମ କରୁଛି। ଏପରିକି ଏଥିଲାଗି ଦଳୀୟ ଖେଳାଳିମାନେ ନିଜର ଅତିପ୍ରିୟ ମିଠା ଓ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହୁଛନ୍ତି। ଭାରତୀୟ ଦଳର ଖାଦ୍ୟ ସାରଣୀ ନେଇ ଅଧିନାୟିକା ରାଣୀ ମଧ୍ୟ ଖାଦ୍ୟ ପରାମର୍ଶଦାତା ୱେନ୍ ଲମ୍ବାର୍ଡଙ୍କୁ ପ୍ରଶଂସା କରିଛନ୍ତି। ସାଂପ୍ରତିକ ଦଳ ପୂର୍ବରୁ ସବୁ ଭାରତୀୟ ଦଳଠାରୁ ଫିଟ୍ ବୋଲି ମଧ୍ୟ ସେ ଦାବି କରିଛନ୍ତି। ରାଣୀ କହିଛନ୍ତି, ମୁଁ ଦୃଢ଼ତାର ସହ କହି ପାରିବି ଯେ ମୁଁ ଦେଖିଥିବା ଦଳ ମଧ୍ୟରୁ ବର୍ତମାନର ଦଳ ସବୁଠାରୁ ଅଧିକ ଫିଟ୍ ଓ ସୁସ୍ଥ। ୱେନ୍ ପ୍ରତ୍ୟେକ ଖେଳାଳିଙ୍କ ଉପରେ ବ୍ୟକ୍ତିଗତ ଧ୍ୟାନ ଦେଉଛନ୍ତି। ଆମେ ସମସ୍ତେ ତାଙ୍କ ପରାମର୍ଶକୁ ମାନି ଚଳୁଛୁ। ମିଠା, ଚକୋଲେଟ୍, ମସଲା ଓ ତେଲ ଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରହୁଛୁ।
ସୂଚନାଯୋଗ୍ୟ ଯେ ଭାରତୀୟ ମହିଳା ହକି ଦଳ ମସ୍କୋ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏହା ହିଁ ଦଳର ସର୍ବଶ୍ରେଷ୍ଠ ଅଲିମ୍ପିକ୍ସ ପ୍ରଦର୍ଶନ ହୋଇରହିଛି। ଏଥି ସହିତ ଭାରତ ଦୀର୍ଘ ୩୬ ବର୍ଷର ବ୍ୟବଧାନ ପରେ ୨୦୧୬ ରିଓ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ସେଠାରେ କିନ୍ତୁ ନୈରାଶ୍ୟଜନକ ଭାବେ ଦ୍ବାଦଶ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଏଥିନେଇ ରାଣୀ କହିଛନ୍ତି, ରିଓରେ ଆମକୁ ଅନେକ କିଛି ଶିଖିବାକୁ ମିଳିଥିଲା। ଆମେ ଅବଶ୍ୟ ଆଶାଜନକ ପ୍ରଦର୍ଶନ କରି ପାରି ନଥିଲୁ। ଏଥର ଅଲିମ୍ପିକ୍ସକୁ ନେଇ ପିଲାମାନେ ବେଶ୍ ଉତ୍ସାହିତ ଅଛନ୍ତି। ପୁଣି ଥରେ ଅଲିମ୍ପିକ୍ସ ଟିକେଟ ହାସଲ କରିବାକୁ ସମସ୍ତେ ଲାଗିପଡ଼ିଛନ୍ତି। ହିମା ଦାସ ଏବଂ ଓଡ଼ିଆ ଧାବିକା ଦୂ୍ତି ଚାନ୍ଦଙ୍କ ସଫଳତାରୁ ଦଳ ପ୍ରେରଣା ନେଉଛି। ହିମା ମାତ୍ର ୨୦ ଦିନ ଭିତରେ ୫ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ଜିତିଥିଲା ବେଳେ ଦୂତି ପ୍ରଥମ ଭାରତୀୟ ଭାବେ ଇଟାଲିର ନାପୋଲିଠାରେ ଆୟୋଜିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଏଫଆଇଏଚ୍ ସିରିଜ୍ ଫାଇନାଲରେ ଆୟୋଜକ ଜାପାନକୁ ହରାଇ ଭାରତୀୟ ମହିଳା ହକି ଦଳ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିଥିଲା। ଯୋଗ୍ୟତା ପର୍ଯ୍ୟାୟ ଚଳିତ ବର୍ଷ ଶେଷ ଆଡ଼କୁ ଆୟୋଜିତ ହେବ। ୧୪ ଦଳକୁ ନେଇ ଖେଳାଯିବାକୁ ଥିବା ଏହି ଦ୍ବିପାକ୍ଷିକ ପ୍ରତିଯୋଗିତାର ଶ୍ରେଷ୍ଠ ୭ ଦଳ ଅଲିମ୍ପିକ୍ସ ଟିକେଟ ହାସଲ କରିବେ।