ତୃତୀୟ ଦିନିକିଆ: ମିତାଲି ଦେଲେ ସାନ୍ତ୍ବନାମୂଳକ ବିଜୟ

ୱେର୍ସେଷ୍ଟର୍‌ : ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ଭାରତ ୪ ୱିକେଟ୍‌ରେ ବିଜୟୀ ହୋଇ ସମ୍ମାନ ରଖିଛି। ସାନ୍ତ୍ବନାମୂଳକ ବିଜୟ ସତ୍ତ୍ବେ ଭାରତ କିନ୍ତୁ ୧-୨ରେ ଶୃଙ୍ଖଳା ହାରିଛି। ଦୀପ୍ତି ଶର୍ମା (୩/୪୭)ଙ୍କ ବଢ଼ିଆ ବୋଲିଂ ପରେ ଅଧିନାୟିକା ମିତାଲି ରାଜଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ (୭୫*, ୮୬ ବଲ୍) ବଳରେ ଭାରତ ବିଜୟୀ ହୋଇଥିଲା। ବୋଲରମାନେ ଘରୋଇ ଦଳକୁ ୨୧୯ ରନ୍‌ରେ ଅଲଆଉଟ୍ କରି‌ ଦେଇଥିଲେ। ଭାରତ ୩ ବଲ୍ ପୂର୍ବରୁ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ସ୍ମୃତି ମନ୍ଧାନା (୪୯, ୫୭ ବଲ୍‌) ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ଶେଷ ଭାଗରେ ସ୍ନେହ ରାଣା (୨୪, ୨୨ ବଲ) ଭଲ ବ୍ୟାଟିଂ କରି ଦଳକୁ ବିଜୟ ମୁହଁରେ ପହଞ୍ଚାଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସହିତ ମିତାଲି ମଧ୍ୟ ସବୁ ଫର୍ମାଟ୍‌ରେ ଅଗ୍ରଣୀ (୧୦,୨୭୩ ରନ୍‌) ସ୍କୋରର୍ ହୋଇଥିଲେ। ଇଂଲଣ୍ଡର ପୂର୍ବତନ ଅଧିନାୟିକା ଚାର୍ଲଟ୍‌ ଏଡୱାର୍ଡସଙ୍କୁ ଅତିକ୍ରମ କରିଯାଇଥିଲେ।

ବର୍ଷା କାରଣରୁ ବିଳମ୍ବରେ ଆରମ୍ଭ ହୋଇଥିବା ଏହ‌ି ମ୍ୟାଚ୍‌କୁ ୪୭ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିବା ଭାରତୀୟ ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ବାହାର କରିଚାଲିଥିଲେ। ଇଂଲଣ୍ଡ ଅଧିନାୟିକା ହିଦର୍ ନାଇଟ୍ (୪୬, ୭୧ ବଲ୍‌) ଏବଂ ଉପ ଅଧିନାୟିକା ନାଟା‌ଲି ସିଭର୍ (୪୯, ୫୯ ବଲ୍) କେବଳ ଲଢ଼ିଥିଲେ। ଭାରତ ପକ୍ଷରୁ ଅଫସ୍ପିନର୍‌ ଦୀପ୍ତି ଶର୍ମା ସର୍ବାର୍ଧିକ ୩ ୱିକେଟ୍ ନେଇଥିବାବେଳେ ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ପୁନମ ୟାଦବ, ସ୍ନେହ ରାଣା ଏବଂ ହର୍ମନପ୍ରୀତ୍ କୌର୍ ପ୍ରତ୍ୟେକ ଗୋଟିଏ ‌ଲେଖାଏଁ ୱିକେଟ୍ ନେଇଥିଲେ। ୨ ଜଣ ରନ୍‌ ଆଉଟ୍ ହୋଇଥିଲେ।

ସମ୍ବନ୍ଧିତ ଖବର