ନୂଆଦିଲ୍ଲୀ: ବରିଷ୍ଠ ଖେଳାଳି ତଥା ଦିନିକିଆ ଦଳର ଅଧିନାୟିକା ମିତାଲି ରାଜ୍ଙ୍କ ସହ ବିବାଦ ଏବଂ ବିଶ୍ବକପ୍ରେ ଇଂଲଣ୍ଡ୍ଠୁ ସେମିଫାଇନାଲ୍ ହାରି ଭାରତ ବିଦା ହେବା ଭଳି ଦୁଇଟି ଘଟଣା ମୁଖ୍ୟ ପ୍ରଶିକ୍ଷକ ରମେଶ ପାୱାରଙ୍କ ପାଇଁ କାଳ ହେଲା। ବିଶେଷକରି ମିତାଲିଙ୍କୁ ସେମିଫାଇନାଲ୍ରୁ ବାଦ୍ ଦେବା ଏବଂ ତାଙ୍କ ସହ ବିବାଦକୁ ସାଧାରଣରେ ତୀବ୍ର କରିବାକୁ ନେଇ ପାୱାର ଫସିଗଲେ। ଆଜି (ନଭେମ୍ବର ୩୦) ଦଳର ପ୍ରଶିକ୍ଷକ ପଦରୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲା ବେଳେ ଆଉ ମିଆଦ ବଢ଼ାଯିବ ନାହିଁ ବୋଲି ବିସିସିଆଇ କହିଦେଇଛି। ମୁଖ୍ୟତଃ ଶୁକ୍ରବାର ଏହି ପଦ ପାଇଁ ବିସିସିଆଇ ନୂଆ ପ୍ରଶିକ୍ଷକ ସନ୍ଧାନରେ ଦରଖାସ୍ତ ଆହ୍ବାନ କରିବା ପରେ ପାୱାରଙ୍କ କାର୍ଯ୍ୟକାଳର ଅନ୍ତ ଘଟିଲା ବୋଲି ସ୍ପଷ୍ଟ ହୋଇଯାଇଛି। ନୂଆ ପ୍ରଶିକ୍ଷକ ଭାବେ ପୂର୍ବତନ ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ଟମ୍ ମୁଡି, ଡେଭ୍ ହ୍ବାଟ୍ମୋର ଏବଂ ଭେଙ୍କଟେଶ ପ୍ରସାଦଙ୍କ ନାମ ବିକଳ୍ପ ଭାବେ ଉଭା ହୋଇଛି। ବିକଳ୍ପ ପ୍ରାର୍ଥୀମାନଙ୍କଠାରୁ ଡିସେମ୍ବର ୨୦ ତାରିଖରେ ମୁମ୍ବାଇ ମୁଖ୍ୟାଳୟରେ ବିସିସିଆଇ ସାକ୍ଷାତକାର ନେବ। ଉପଯୁକ୍ତ ପ୍ରାର୍ଥୀଙ୍କୁ ୨ ବର୍ଷ ପାଇଁ ପୂର୍ଣ୍ଣକାଳୀନ ଭିତ୍ତିରେ ନିଯୁକ୍ତି ଦିଆଯିବ। ତେବେ ପ୍ରଶିକ୍ଷକ ପ୍ରାର୍ଥୀଙ୍କ ବୟସ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ବୋଲି ବିସିସିଆଇ ସୂଚାଇ ଦେଇଛି।
ଗତ ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍ ବେଳେ ଇଂଲଣ୍ଡ୍ ବିପକ୍ଷ ସେମିଫାଇନାଲ୍ରୁ ମିତାଲିଙ୍କୁ ବାଦ୍ ଦିଆଯାଇଥିବା ପ୍ରସଙ୍ଗ ତୀବ୍ର ହୋଇଥିଲା। ଉଭୟ ମିତାଲି ଓ ପାୱାର ପରସ୍ପର ପ୍ରତି ଆକ୍ଷେପ କରି ଚାଲିଥିଲେ। ଦଳର ଅଧିକାଂଶ ଖେଳାଳି ପାୱାରଙ୍କୁ ସମର୍ଥନ ଦେଉଥିଲେ ମଧ୍ୟ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ)ର ଅଧିକାରୀମାନଙ୍କୁ ପ୍ରଭାବିତ କରିପାରିନଥିଲା। କ୍ରମାଗତ ଦୁଇଟି ଅର୍ଧଶତକ ହାସଲ ସାଙ୍ଗକୁ ଦୁଇ ଥର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ସତ୍ତ୍ବେ ମିତାଲିଙ୍କୁ ସେମିଫାଇନାଲ୍ରୁ ବଞ୍ଚିତ କରିବା ପାୱାରଙ୍କ ବଡ଼ ଭୁଲ୍ ବୋଲି ବିସିସିଆଇ କିଛି ପ୍ରଭାବଶାଳୀ ଅଧିକାରୀ ଅନୁଭବ କରିସାରିଥିଲେ। ଏପରିକି ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ବାହ୍ୟ ଚାପରୁ ମୁକୁଳିନପାରି ମିତାଲିଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦେବା ଦଳ ପାଇଁ ବଡ଼ କ୍ଷତି ହେଲା ବୋଲି ଭାବି ସାରିଥିଲେ। ପୁଣି ପାୱାର କିଛି ନିଷ୍ପତ୍ତି ନେବା ପୂର୍ବରୁ ମିତାଲିଙ୍କ ସହ ନିହାତି ଆଲୋଚନା କରିବାର ଥିଲା। ଯାହାକି ପାୱାର କରିନଥିଲେ ବୋଲି ବିସିସିଆଇ କହିଛି। ମ୍ୟାଚ୍ ଦିନ ମୁମ୍ବାଇରୁ ଗୋଟିଏ ଫୋନ୍ କଲ୍ ପାର୍ଇ ସିଧାସଳଖ ମିତାଲିଙ୍କୁ ବାଦ୍ ଦେବା ପରିବର୍ତେ ପାୱାର ତାଙ୍କ ସହ କଥା ହେବା ଉଚିତ ଥିଲା। ଏହା କ୍ରିକେଟ୍ର ଭାବନା ପ୍ରତି କୁଠାରଘାତ ବୋଲି ଜଣେ ଅଧିକାରୀ କହିଥିଲେ। ପାୱାର ଓ ମିତାଲିଙ୍କ ବିବାଦ ଏବେ ଦଳର ମନୋବଳକୁ କ୍ଷତିଗ୍ରସ୍ତ କରିଛି। ଆଗକୁ ଏହା ଜାରି ରହିଲେ ମହିଳା କ୍ରିକେଟ୍ ଦଳର ପ୍ରଦର୍ଶନ ବ୍ୟାଘାତ ହେବା ନିଶ୍ଚିତ ବୋଲି ଅଧିକାରୀମାନେ ଅନୁଭବ କରିଥିଲେ। ତେଣୁ କୌଣସି ବିବାଦ ପରେ ପ୍ରଶିକ୍ଷକ ପଦ ହରାଇବାର ପରମ୍ପରା ରହିଥିବାରୁ ପାୱାରଙ୍କ କ୍ଷେତ୍ରରେ କାର୍ଯ୍ୟକାଳ ବୃଦ୍ଧିର ସମ୍ଭାବନା କ୍ଷୀଣ ବୋଲି ସ୍ପଷ୍ଟ ହୋଇଥିଲା। ଶେଷରେ ଶୁକ୍ରବାର ବିସିସିଆଇ ନୂଆ ପ୍ରଶିକ୍ଷକ ସନ୍ଧାନରେ ଦରଖାସ୍ତ ଆହ୍ବାନ କରିବାପରେ ପାୱାରଙ୍କ କ୍ଷମତାର ଅନ୍ତଘଟିଲା।