୨୧ ବର୍ଷ ତଳେ ମିତାଲି କରିଥିଲେ ଶତକୀୟ ପଦାର୍ପଣ

ନୂଆଦିଲ୍ଲୀ: ଆଜକୁ ଠିକ୍ ୨୧ ବ‌ର୍ଷ ତଳେ (୨୬ ଜୁନ୍‌ ୧୯୯୯) ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିଲେ ମିତାଲି ରାଜ। ମିଲଟନ୍ କେନ୍ସରେ ଆୟର୍ଲାଣ୍ଡ୍ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳି ଶତକୀୟ ପାଳି ସହ କରିଥିଲେ ଅନ୍ତର୍ଜାତୀୟ ଶୁଭାରମ୍ଭ। ସର୍ବକନିଷ୍ଠା ଭାବେ ଅନ୍ତର୍ଜାତୀୟ ଶତକ ହାସଲ କରିବାର କୀର୍ତ୍ତିମାନ ମଧ୍ୟ ମିତାଲିଙ୍କ ନାମରେ ଏପର୍ଯ୍ୟନ୍ତ ରହିଛି। ମାତ୍ର ୧୬ ବର୍ଷ ୨୦୫ ଦିନରେ ସେ ଶତକ ହାସଲ କରିଥିଲେ। ସେଦିନର ଯୁବା ଆଜି ମହିଳା ଦିନିକିଆର ଅଗ୍ରଣୀ ରନ୍ ସ୍କୋରର୍‌। ୨୦୯ ମ୍ୟାଚ୍‌ରୁ ୫୦.୬୪ ହାରରେ ସଂଗ୍ରହ କରିଛନ୍ତି ୬୮୮୮ ରନ୍‌। ଇଂଲଣ୍ଡର କାର୍ଲଟନ୍ ଏଡୱାର୍ଡସ (୧୯୧ ମ୍ୟାଚ୍‌, ୫୯୯୧ ରନ)ଙ୍କୁ ସେ ପଛରେ ପକାଇ ସାରିଛନ୍ତି। ମହିଳା କ୍ରିକେଟର୍‌ ସଚିନ ତେନ୍ଦୁଲକର ଭାବେ ବିବେଚିତ ହୁଅନ୍ତି ମିତାଲି।

ମିତାଲି ତାଙ୍କ ପଦାର୍ପଣ ଦିନିକିଆ ପାଳିରେ ୧୧୪* ରନ୍ କରିଥିଲେ। ତାଙ୍କ ସହିତ ଅନ୍ୟତମ ପଦାର୍ପଣକାରୀ ପ୍ରାରମ୍ଭିକ ବ୍ୟାଟର୍‌ ରେଶ୍ମା ଗାନ୍ଧୀ ମଧ୍ୟ ଶତକ (୧୦୪*) ହାସଲ କରିଥିଲେ। ଭାରତ ସେହି ମ୍ୟାଚ୍‌ରେ ବିନା କ୍ଷତିରେ ୨୫୮ ରନ୍ କରିବା ପରେ ଆୟର୍ଲାଣ୍ଡ୍‌କୁ ୯୭/୯ରେ ସୀମିତ ରଖି ୧୬୧ ରନ୍‌ରେ ଜିତିଥିଲା। ଏହା ପରେ ରେଶ୍ମା ମାତ୍ର ଗୋଟିଏ ଦିନିକିଆ ଖେଳିଥିଲେ। ମିତାଲି କିନ୍ତୁ ଢେର ଆଗକୁ ବଢ଼ି ଦେଶର ସଫଳତମ ମହିଳା କ୍ରିକେଟର୍‌ ପାଲଟି ଯାଇଥିଲେ। ଗତବର୍ଷ ଅକ୍ଟୋବରରେ ସେ ବିଶ୍ବ କ୍ରିକେଟ୍‌ର ପ୍ରଥମ ମହିଳା ଖେଳାଳି ଭାବେ ଅନ୍ତର୍ଜାତୀୟ ସ୍ତରରେ ୨୦ ବର୍ଷ ଅତିକ୍ରାନ୍ତ କରିଥିଲେ। ସର୍ବାଧିକ ମହିଳା ଦିନିକିଆ ଖେଳିବା କୀର୍ତ୍ତିମାନ ମଧ୍ୟ ତାଙ୍କ ନାମରେ ରହିଛି। ୩୭ ବର୍ଷୀୟ ମିତାଲି ଟି-୨୦ କ୍ରିକେଟ୍‌ରୁ ଅବସର‌ ନେଇ ସାରିଥିବା ବେଳେ ୨୦୨୧ରେ ନ୍ୟୁଜିଲାଣ୍ଡ୍‌ରେ‌ ଖେଳଯିବାକୁ ଥିବା ବିଶ୍ବକପ୍‌ ଜିତିବା ଲକ୍ଷ୍ୟରେ ରହିଛନ୍ତି।

ସମ୍ବନ୍ଧିତ ଖବର