ମିତାଲି ବାଦ୍‌ ପ୍ରସଙ୍ଗ, ପ୍ରଶିକ୍ଷକ, ପ୍ରବନ୍ଧକ ଓ ଜୋହରିଙ୍କୁ ସ୍ପଷ୍ଟୀକରଣ ମାଗିଲା ସିଓଏ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ରେ ଶେଷ ହୋଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ୍‌ଠୁ ହାରି ବିଦାୟ ନେଇଥିବା ଭାରତୀୟ ଦଳ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ସେମିଫାଇନାଲ୍‌ରେ ଅଭିଜ୍ଞ ତଥା ଚମତ୍କାର ଫର୍ମରେ ଥିବା ପୂର୍ବତନ ଅଧିନାୟିକା ମିତାଲି ରାଜ୍‌ଙ୍କୁ ନଖେଳାଇବା ପ୍ରସଙ୍ଗକୁ ନେଇ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର ଚାରିଆଡୁ ସମାଲୋଚନାର ଶିକାର ହୋଇଥିଲା ବେଳେ ତାଙ୍କ ନେତୃତ୍ବ ପ୍ରତି ଅଙ୍ଗୁଳି ଉଠିଛି। ଏପରିକି ନିଜର ପତିଆରା ପାଇଁ ମିତାଲିଙ୍କୁ ସେମିଫାଇନାଲ୍‌ରୁ ଦୂ‌ରେଇ ରଖି ହର୍‌ମନ୍‌ପ୍ରୀତ୍‌ ଦଳକୁ ପରାଜୟ ମୁହଁକୁ ଠେଲିଦେଇଥିବା ମିତାଲିଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ଆରୋପ ଲଗାଇଛନ୍ତି। ଏହି ପ୍ରସଙ୍ଗ ଏବେ ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ପ୍ରଶାସକ ସମିତି (ସିଓଏ) ନିକଟରେ ପହଞ୍ଚିଛି। ସିଓଏ ଏଥିରେ ହସ୍ତକ୍ଷେପ କରି ମିତାଲିଙ୍କୁ କାହିଁକି ଖେଳାଗଲା ନାହିଁ, ତାଙ୍କ ଫିଟ୍‌ନେସ୍‌ ଠିକ୍‌ ଥିଲା ନା ନାହିଁ ଏବଂ ଏହାର କାରଣ କ’ଣ ବୋଲି ସିଓଏ ଉତ୍ତର ଚାହିଁଛି। ଏଥିପାଇଁ ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ୍‌ ଜୋହରିଙ୍କ ସମେତ ଦୁଇ ବରିଷ୍ଠ ଅଧିକାରୀ (ଦଳର ପ୍ରଶିକ୍ଷକ ରମେଶ ପାୱାର ଓ ପ୍ରବନ୍ଧକ ତୃପ୍ତି ଭଟ୍ଟାଚାର୍ଯ୍ୟ)ଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ଆସନ୍ତାକାଲି (ସୋମବାର) ଉଭୟ ପ୍ରଶିକ୍ଷକ ଓ ପ୍ରବନ୍ଧକ ସିଓଏ ନିକଟରେ ହାଜର ହେବାପାଇଁ ନିର୍ଦେଶ ଦିଆଯାଇଥିଲା ବେଳେ ବିଶ୍ବକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ନେଇ ରିପୋର୍ଟ ସେହିଦିନ ସିଓଏକୁ ହସ୍ତାନ୍ତର କରିବାକୁ ଜୋହରିଙ୍କୁ କୁହାଯାଇଛି। କେବଳ ସେତିକି ନୁହେଁ, ମନୋନୟନ ବୈଠକର କିଛି ମିନିଟ୍‌ ମଧ୍ୟରେ ନିଷ୍ପତ୍ତି କିପରି ଗଣମାଧ୍ୟମକୁ ବିଭ୍ରାଟ ହେଲା ସେ ନେଇ ମଧ୍ୟ ସିଓଏ ପ୍ରଶ୍ନ ଉଠାଇଛନ୍ତି। ଏଥି ସହିତ ମିତାଲି ଓ ହର୍‌ମନ୍‌ପ୍ରୀତ୍‌ ମଧ୍ୟରେ ବିବାଦ ଥିବା ପଦାକୁ ଆସିଛି। ତେଣୁ ଉଭୟ ମିତାଲି ଓ ହର୍‌ମନ୍‌ପ୍ରୀତ୍‌ଙ୍କୁ ମଧ୍ୟ ସିଓଏ ସମନ କରିବାକୁ ନିଷ୍ପତ୍ତି ନେଇଛି। ଉଭୟଙ୍କ ସହ ସିଓଏ ଆଲୋଚନା କରି ବିବାଦର ସମାଧାନ ପନ୍ଥା ବାହାର କରିବ ବୋଲି ଏହାର ମୁଖ୍ୟ ବିନୋଦ ରାଏ କହିଛନ୍ତି।

ମିତାଲି ସେମିଫାଇନାଲ୍‌ ପୂର୍ବରୁ ଫିଟ୍‌ ହୋଇଯାଇଥିଲେ। ସେ ମଧ୍ୟ ପୂର୍ବରୁ ୨ଟି ମ୍ୟାଚ୍‌ରେ ଅର୍ଧଶତକ ଜମାଇଥିଲେ। ତେଣୁ ଇଂଲଣ୍ଡ୍‌ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବେ ବୋଲି ନିଷତ୍ତି ନିଆଯାଇଥିଲା। ହେଲେ କ’ଣ ହେଲା କେଜାଣି ଶେଷ ମୁହୂର୍ତ୍ତରେ ତାଙ୍କୁ ଖେଳାଯାଇନଥିଲା। ଯାହା ଫଳରେ ଭାରତ ୮ ୱିକେଟ୍‌ର ଶୋଚନୀୟ ପରାଜୟ ବରଣ କରି ବିଶ୍ବକପ୍‌ରୁ ବିଦାୟ ନେଇଥିଲା। ତେବେ ମିତାଲି ଫିଟ୍‌ ଥିଲେ ମଧ୍ୟ ପୂର୍ବ ମ୍ୟାଚ୍‌ର ବିଜୟୀ ଦଳକୁ ଖେଳାଇବାକୁ ଦଳୀୟ କର୍ତୃପକ୍ଷ ନି‌ଷ୍ପତ୍ତି ନେବାରୁ ମିତାଲିଙ୍କୁ ବାହାରେ ବସିବାକୁ ପଡ଼ିଲା ବୋଲି ହର୍‌ମନ୍‌ପ୍ରୀତ୍‌ ସଫେଇ ଦେଇଛନ୍ତି। ଇଂଲଣ୍ଡ୍‌ ବିପକ୍ଷ ମ୍ୟାଚ୍‌ର ଗୋଟିଏ ଘଣ୍ଟା ପୂର୍ବରୁ ମନୋନୟନ ସମିତି ବୈଠକ ବସିଥିଲା। ସେହି ବୈଠକରେ ଜାତୀୟ ଚୟନକର୍ତା ସୁଧା ଶାହା ଓ ଦଳ ପ୍ରବନ୍ଧକ ଭଟ୍ଟାଚାର୍ଯ୍ୟ ଯୋଗ ଦେଇଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜୟଧାରାରେ ଥିବା ଦଳ ହିଁ ସେମିଫାଇନାଲ୍‌ ଖେଳିଥିଲା।

ଅନ୍ୟପକ୍ଷରେ ଭଟ୍ଟାଚାର୍ଯ୍ୟଙ୍କ କହିବା କଥା ହେଲା, ପ୍ରବନ୍ଧକ ଭାବେ ମୁଁ ବୈଠକ ଆହୁତ କରିଥିଲି। ଅଧିନାୟିକା, ପ୍ରଶିକ୍ଷକ ଓ ଚୟନକର୍ତା ୱିକେଟ୍‌ ଓ ପିଚ୍‌ ନେଇ ଆଲୋଚନା କରିଥିଲେ ଏବଂ ପୂର୍ବ ମ୍ୟାଚ୍‌ର ଚୂଡାନ୍ତ ଦଳକୁ ସେମିଫାଇନାଲ୍‌ରେ ଖେଳାଇବାର ନିଷ୍ପତ୍ତି ପ୍ରଶିକ୍ଷକ ନେଇଥିଲେ। ଉଭୟ ହର୍‌ମନ୍‌ପ୍ରୀତ୍‌ ଓ ସ୍ମୃତି ମନ୍ଧାନା ମଧ୍ୟ ଇଂଲଣ୍ଡ୍‌ ବିପକ୍ଷ ମ୍ୟାଚ୍‌ ପାଇଁ ଜଣେ ଅତିରିକ୍ତ ବୋଲରର ଆବଶ୍ୟକତା ଥିବା ମତ ଦେଇଥିଲେ। ଏକଥା ଭଟ୍ଟାଚାର୍ଯ୍ୟ ମଧ୍ୟ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପ୍ରୋଟୋକଲ୍‌ ଅନୁଯାୟୀ ବୈଠକ ଶେଷ ହେବାର ଗୋଟିଏ ମିନିଟ୍‌ ମଧ୍ୟରେ ରିପୋର୍ଟ ଜୋହରି ଓ ସାବା କରିମ୍‌ (ବିସିସିଆଇ ମହାପ୍ରବନ୍ଧକ, କ୍ରିକେଟ୍‌)ଙ୍କ ପାଖକୁ ପଠାଇ ଦିଆଯାଇଥିଲା। ହେଲେ ବୈଠକର ନିଷ୍ପତ୍ତି କିପରି ଗଣମାଧ୍ୟମରେ ପ୍ରଘଟ ହେଲା ତାହା ମୁଁ ଜାଣିନାହିଁ ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର