ଟ୍ବେଣ୍ଟି-୨୦ରୁ ଅବସର ନେଲେ ମିତାଲି

ନୂଆଦିଲ୍ଲୀ: ଭାରତୀୟ ମହିଳା‌ ଦଳର ମହାନ୍‌ ତାରକା ତଥା ଦିନିକିଆ ଦଳର ଅଧିନାୟିକା ମିତାଲି ରାଜ୍‌ ଟ୍ବେଣ୍ଟି-୨୦ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ୨୦୨୧ ଦିନିକିଆ ବିଶ୍ବକପ୍‌ ଉପରେ ଦୃଷ୍ଟିନିବଦ୍ଧ କରିବା ପାଇଁ ଏବଂ ଭାରତକୁ ୫୦ ଓଭରିଆ ବିଶ୍ବକପ୍‌ ବିଜେତା କରାଇବାର ସ୍ବପ୍ନ ସାକାର କରିବା ଲକ୍ଷ୍ୟରେ ଟ୍ବେଣ୍ଟି-୨୦ ଫର୍ମାଟ୍‌ରୁ ଅବସର ନେଲି ବୋଲି ମଙ୍ଗଳବାର ନିଜର ନିଷ୍ପତ୍ତି ଘୋଷଣା ବେଳେ ମିତାଲି କହିଛନ୍ତି। ୨୦୦୬ରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ପଦାର୍ପଣଠାରୁ ଏପର୍ଯ୍ୟନ୍ତ ଭାରତ ପାଇଁ ପ୍ରତିନିଧିତ୍ବ କରିଆସିଥିବା ମିତାଲି ନ୍ୟୁଜିଲାଣ୍ଡ୍‌ରେ ଆୟୋଜିତ ହେବାକୁ ଥିବା ୨୦୨୧ ଦିନିକିଆ ବିଶ୍ବକପ୍‌ ଉପରେ ପୂରା ଧ୍ୟାନ ଦେବେ ବୋଲି ବିସିସିଆଇ ପ୍ରେସ୍‌ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି। ବିଶେଷକରି ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ପ୍ରସ୍ତୁତି ଚଳାଇଥିଲା ବେଳେ ମିତାଲିଙ୍କ ଅବସର ନିଷ୍ପତ୍ତି ଅଧିକାଂଶଙ୍କୁ ଚକିତ କରିଛି। କାରଣ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଖେଳିବେ ବୋଲି ମିତାଲି ଗତ ସପ୍ତାହରେ କହିଥିଲେ। ହେଲେ ତାଙ୍କୁ ଦଳରେ ସ୍ଥାନ ମିଳିବ ନା ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମଙ୍ଗଳବାର ଅଚାନକ ଅବସର ନିଷ୍ପତ୍ତି କିଛି ଅକୁହା ଦିଗ ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ହେଲେ ଏପର୍ଯ୍ୟନ୍ତ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଖେଳିବାର ସୁଯୋଗ ମିଳିଆସିଥିବାରୁ ବିସିସିଆଇକୁ ଧନ୍ୟବାଦ ଦେଇଛନ୍ତି ମିତାଲି।

୩୬ ବର୍ଷ ବୟସ୍କା ମିତାଲି ମୋଟ ୮୯ ମ୍ୟାଚ୍‌ ଖେଳିଥିଲା ବେଳେ ୩୨ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ଏହା ମଧ୍ୟରେ ୨୦୧୨ (ଶ୍ରୀଲଙ୍କା), ୨୦୧୪ (ବାଂଲାଦେଶ) ଓ ୨୦୧୬ (ଭାରତ) ଭଳି ତିନିଟି ବିଶ୍ବକପ୍‌ ସାମିଲ ରହିଛି। ଯାହା ଫଳରେ ଏକାଧିକ ବିଶ୍ବକପ୍‌ରେ ଦଳର ନେତୃତ୍ବ ନେବାରେ ମିତାଲି ପ୍ରଥମ ଭାରତୀୟ ମହିଳା ଥିଲେ। ମିତାଲି ମଧ୍ୟ ୩୭.୫ ହାରରେ ୨୩୬୪ ରନ୍‌ କରି ଟ୍ବେଣ୍ଟି-୨୦ରେ ଭାରତର ସର୍ବୋଚ୍ଚ ସ୍କୋରର୍‌ ରହିଥିଲେ। ଏହି ଫର୍ମାଟ୍‌ରେ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌ ଅପରାଜିତ ୯୭। ଗତ ମାର୍ଚରେ ଗୌହାଟିରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ତାଙ୍କର ଶେଷ ଟ୍ବେଣ୍ଟି-୨୦ ଥିଲା। ସେ ମଧ୍ୟ ପ୍ରଥମ ଭାରତୀୟ (ମହିଳା ବା ପୁରୁଷ) ଭାବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୨୦୦୦ ରନ୍‌ ପୂରଣ କରିଥିଲେ। ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବେଳେ ହିଁ ତାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଫର୍ମରେ ଥିବା ସତ୍ତ୍ବେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରୁ ତାଙ୍କୁ ବାଦ୍‌ ଦେବା ଏବଂ ସେହି ମ୍ୟାଚ୍‌‌ରେ ଭାରତ ହାରିବାକୁ ସହଜରେ ଗ୍ରହଣ କରିନଥିଲେ ମିତାଲିଙ୍କ ପ୍ରଶଂସକ। ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର ଏବଂ ମୁଖ୍ୟ ପ୍ରଶିକ୍ଷକ ରମେଶ ପାୱାର ଏହି ମାମଲାରେ ବିବାଦକୁ ଆସିଥିଲେ। ପାଳି ଆରମ୍ଭ ନକଲେ ଅବସର ନେଇଯାଅ ବୋଲି ସେତେବେଳେ ମିତାଲିଙ୍କୁ ପାୱାର ଧମକ ଦେଇଥିବା କଥା ଉଠିଥିଲା। ତେବେ ସମୟକ୍ରମେ ପାୱାରଙ୍କୁ ପଦ ହରାଇବା ସାଙ୍ଗକୁ ସେହି ବିବାଦ ନିରବି ଯାଇଥିଲା। ଶେଷରେ ମିତାଲି ମଧ୍ୟ ନ୍ୟୁଜିଲାଣ୍ଡ୍‌ ଏବଂ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଦଳରେ ସ୍ଥାନ ପାଇଥିଲେ। ହେଲେ ମିତାଲି ଆଉ ଆଗକୁ ବଢ଼ିବାକୁ ଆଗ୍ରହୀ ନଥିଲେ। ୨୦୨୦ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଯୁବ ଖେଳାଳିଙ୍କୁ ସୁଯୋଗ ଦେବାପାଇଁ ସେ ଅବସର ନିଷ୍ପତ୍ତି ନେଇଗଲେ ବୋଲି ମିତାଲି କହିଛନ୍ତି।

ସମ୍ବନ୍ଧିତ ଖବର