ପାୱାର ମୋ‌ତେ ଅପମାନିତ କରିଥିଲେ: ମିତାଲି

ନୂଆଦିଲ୍ଲୀ: ସିଓଏ (ପ୍ରଶାସକ ସମିତି) ସଦସ୍ୟା ଡାଏନା ଏଡୁଲ୍‌ଜୀ ଏବଂ ପ୍ରଶିକ୍ଷକ ରମେଶ ପାୱାର ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍‌ ବେଳେ ମୋତେ ଖୁବ୍‌ ଅପମାନିତ କରିଛନ୍ତି। ଭାରତୀୟ ମହିଳା ଦଳର ବରିଷ୍ଠ ଖେଳାଳି ତଥା ଦିନିକିଆ ଦଳର ଅଧିନାୟିକା ମିତାଲି ରାଜ୍‌ ମଙ୍ଗଳବାର ଏପରି ଶାଣିତ ଅଭିଯୋଗ ଆଣିଛନ୍ତି। ମୋ ଖେଳ ଜୀବନକୁ ନଷ୍ଟଭ୍ରଷ୍ଟ କରିଦେବା ପାଇଁ କିଛି ବ୍ୟକ୍ତି ସେମାନଙ୍କ କ୍ଷମତାର ଦୁରୁପଯୋଗ କରିଛନ୍ତି ବୋଲି ମିତାଲି କହିଛନ୍ତି। ୱେଷ୍ଟଇଣ୍ଡିଜ୍‌ରେ ଶେଷ ହୋଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ୍‌ ବିପକ୍ଷ ସେମିଫାଇନାଲ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଥିବା ପ୍ରସଙ୍ଗକୁ ନେଇ ମିତାଲି ନିଜର ନିରବତା ଭଙ୍ଗ କରି ଏକଥା କହିଥିଲା ବେଳେ ତାଙ୍କ ବାଦ୍‌ ପଡ଼ିବା ପଛରେ ଏଡୁଲ୍‌ଜୀଙ୍କ ପ୍ରଚ୍ଛନ୍ନ ହାତ ଥିବା ଦୃଢ଼ତାର ସହ କହିଛନ୍ତି। ଏଡୁଲ୍‌ଜୀ ମୋ ବିପକ୍ଷରେ ତାଙ୍କ କ୍ଷମତାର ଉପଯୋଗ କରିଥିଲେ ବୋଲି ୩୫ ବର୍ଷ ବୟସ୍କା ମିତାଲି କହିଛନ୍ତି। ମୋ ଲମ୍ବା ୨୦ ବର୍ଷର କ୍ରିକେଟ୍‌ ଜୀବନରେ ପ୍ରଥମ ଥର ଲାଗି ମୁଁ ହତୋତ୍ସାହିତ ହେବା ସହ ମାନସିକ ଭାବେ ଆଘାତ ପାଇଥିଲି। ଫଳରେ ମୋ ପଛରେ ସେହି କ୍ଷମତାଶାଳୀ ବ୍ୟକ୍ତିମାନେ ପଡ଼ିଯାଇଥିବାରୁ ଏବେ ଦେଶ ପାଇଁ ଆଉ ସେବାର ଆବଶ୍ୟକତା ରହିଛି କି ନାହିଁ ତାହା ଚିନ୍ତା କରିବାକୁ ମୋ‌ତେ ବାଧ୍ୟ କରାଯାଇଛି ବୋଲି ମିତାଲି କ୍ଷୋଭର ସହ କହିଛନ୍ତି। ଦେଶପାଇଁ ମୁଁ ବିଶ୍ବକପ୍‌ ଜିତିବାକୁ ବ୍ୟଗ୍ର ଥିଲି। ହେଲେ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିବାରୁ ମୁଁ ଦୁଃଖିତ ହୋଇଛି। ପରୋକ୍ଷରେ ମୋର ବିଶ୍ବାସ ପ୍ରତି ସେହି ବ୍ୟକ୍ତିମାନେ କୁଠାରଘାତ କରିଛନ୍ତି ବୋଲି ମିତାଲି ମଙ୍ଗଳବାର ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସିଇଓ ରାହୁଲ୍‌ ଜୋହରି ଏବଂ କ୍ରିକେଟ୍‌ ପରିଚାଳନା ମହାପ୍ରବନ୍ଧକ ସାବା କରିମ୍‌ଙ୍କ ନିକଟକୁ ପତ୍ର ଲେଖି ଜଣାଇଛନ୍ତି। ଅନ୍ୟପକ୍ଷରେ ମୁଁ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌରଙ୍କୁ ଆଦୌ ଦୋଷ ଦେଉନାହିଁ। ମୋତେ ସେମିଫାଇନାଲ୍‌ ନଖେଳାଇବା ପ୍ରସଙ୍ଗରେ ସେ କେବଳ ପ୍ରଶିକ୍ଷକଙ୍କ ନିଷ୍ପତ୍ତିକୁ ସମର୍ଥନ ଦେଇଥିଲେ। ପୁଣି ପୂର୍ବତନ ଅଧିନାୟିକା ଏଡୁଲ୍‌ଜୀ ମଧ୍ୟ ମୋତେ ବାଦ୍‌ ଦେବା ନେଇ ପାୱାରଙ୍କ ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ ଦେଇଥିବାରୁ ଆହୁରି ଅପମାନିତ ବୋଧ କରିଥିଲି ବୋଲି ମିତାଲି କହିଛନ୍ତି।

ସମ୍ବନ୍ଧିତ ଖବର