ବିଶ୍ୱ କୀର୍ତିମାନ ଭାଙ୍ଗିଲେ ମିତାଲି

ସର୍ବାଧିକ ଦିନିକିଆରେ ନେତୃତ୍ୱ ନେବାରେ ଏଡ୍‌ଓ୍ଵାର୍ଡସ୍‌ଙ୍କୁ ଟପିଲେ

ଗଲ୍‌: ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହୋଇଥିବା ଆଇସିସି ମହିଳା କ୍ରିକେଟ୍‌ ଚାମ୍ପିଅନ୍‌ସିପ୍‌ର ମଙ୍ଗଳବାର ପ୍ରଥମ ମ୍ୟାଚ୍‌ରେ ଭାରତ ବୃହତ୍‌ ବିଜୟ ହାସଲ କରିଥିଲା। ଭାରତ ୯ ଓ୍ଵିକେଟ୍‌ରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ତେବେ ଏହି ମ୍ୟାଚ୍‌ ଅବସରରେ ଅଧିନାୟିକା ମିତାଲି ରାଜ୍‌ ମହିଳା କ୍ରିକେଟ୍‌ରେ ନୂଆ ବିଶ୍ୱ କୀର୍ତିମାନର ଅଧିକାରୀ ହୋଇଛନ୍ତି। ଦିନିକିଆ ଆନ୍ତର୍ଜାତିକ ମହିଳା କ୍ରିକେଟ୍‌ରେ ସର୍ବାଧିକ ମ୍ୟାଚ୍‌ରେ ନେତୃତ୍ୱ ନେବାରେ ମିତାଲି ବିଶ୍ୱ କୀର୍ତିମାନ ଭାଙ୍ଗି ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ମଙ୍ଗଳବାର ମ୍ୟାଚ୍‌ ଅଧିନାୟିକା ଭାବେ ମିତାଲିଙ୍କର ୧୧୮ତମ ଦିନିକିଆ ଆନ୍ତର୍ଜାତିକ ଥିଲା। ଏକ୍ଷେତ୍ରରେ ସେ ପୂର୍ବତନ ଇଂଲଣ୍ଡ ଅଧିନାୟିକା ଚାର୍ଲୋଟ୍‌ ଏଡ୍‌ଓ୍ଵାର୍ଡସ୍‌ (୧୧୭)ଙ୍କ ବିଶ୍ୱ କୀର୍ତିମାନକୁ ଟପି ଯାଇଥିଲେ। ମିତାଲିଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ୭୨ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ବିଜୟ ପାଇଥିଲା ବେଳେ ୪୩ରେ ହାରିଛି। ଦେଶ ପାଇଁ ମୋଟ ୧୯୫ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ମିତାଲିଙ୍କ ବିଜୟ ପ୍ରତିଶତ ୬୨.୬୦ ରହିଛି। ୩୫ ବର୍ଷ ବୟସ୍କା ମିତାଲି ମଧ୍ୟ ତାଙ୍କ ନେତୃତ୍ୱ କାଳରେ ଭାରତକୁ ଦୁଇ ଥର ବିଶ୍ୱକପ୍‌ ଫାଇନାଲ୍‌ ନେଇଥିଲେ। ହେଲେ ଟ୍ରଫି ଭେଟି ଦେଇପାରିନଥିଲେ। ୨୦୦୫ରେ ପ୍ରଥମ ଥର ବିଶ୍ୱ କପ୍‌ ଫାଇନାଲ୍‌ ପହଞ୍ଚିଥିଲେ ମଧ୍ୟ ଅଷ୍ଟ୍ରେଲିଆ ନିକଟରୁ ଦଳ ହାରିଥିଲା। ପୁଣି ୧୨ ବର୍ଷ ପରେ ତଥା ୨୦୧୭ରେ ଫାଇନାଲ୍‌ ପହଞ୍ଚି ଟ୍ରଫି ଜିତିବାର ଦାବିଦାର ଥିଲା ବେଳେ ଇଂଲଣ୍ଡଠୁ ୯ ରନ୍‌ରେ ହାରିଯାଇଥିଲା।

ସମ୍ବନ୍ଧିତ ଖବର