ହାମିଲଟନ୍: ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ଦଳ ଏହାର ପାକିସ୍ତାନ ବିପକ୍ଷ ଶୃଙ୍ଖଳାର ଆରମ୍ଭ ଦିନ ଓହରିବାକୁ ନେଇ ଏବେ ଦୁଇ ଦେଶର ଖେଳାଳି ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ହାଫିଜ୍ ପ୍ରଥମେ ବିବାଦର ସୂତ୍ରପାତ କରିଥିଲେ। ନ୍ୟୁଜିଲାଣ୍ଡ୍ ଖେଳାଳିମାନେ କିଭଳି ସୁରକ୍ଷାକର୍ମୀଙ୍କ ବଳୟ ଭିତରେ ବିମାନବନ୍ଦର ଭିତରକୁ ପ୍ରବେଶ କରୁଛନ୍ତି ଏହାର ଏକ ଫଟୋ ଛାଡ଼ି ହାଫିଜ୍ ଲେଖିଥିଲେ, ‘ଆଶ୍ଚର୍ଯ୍ୟର ବିଷୟ ଯେଉଁ ସୁରକ୍ଷାକର୍ମୀଙ୍କୁ ଭ୍ରମଣକାରୀ ଦଳ ୨ ଦିନ ତଳେ ବିଶ୍ବାସକୁ ନେଉନଥିଲେ ଏବେ ସେମାନଙ୍କ ସହାୟତାରେ ଫେରୁଛନ୍ତି’। ଏହାର ଜବାବରେ ନ୍ୟୁଜିଲାଣ୍ଡ୍ ଦ୍ରୁତ ବୋଲର ମିଚେଲ୍ ମ୍ୟାକ୍ଲିନାଘନ କହିଥିଲେ, ‘ଏହା ଖରାପ ସ୍ବାଦର’। ନିଜ ଟ୍ବିଟର୍ ହ୍ୟାଣ୍ଡଲରେ ମିଚେଲ୍ ଲେଖିଥିଲେ ‘ଖେଳାଳି କି ସଂଗଠନକୁ ଦୋଷ ଦିଅ ନାହିଁ। ଆମ ସରକାରଙ୍କୁ ଦୋଷ ଦିଅ। ମିଳିଥିବା ସୂଚନା ମୁତାବକ ସେମାନେ କାର୍ଯ୍ୟ କରିଛନ୍ତି। ମୁଁ ଦୃଢ଼ ନିଶ୍ଚିତ ସମସ୍ତେ ନିଜକୁ ପ୍ରମାଣିତ କରିବାକୁ ଚାହୁଁଥିଲେ ଏବଂ ଖେଳିବାକୁ ମଧ୍ୟ। ସେମାନଙ୍କ ନିକଟରେ ଅନ୍ୟ କିଛି ବିକଳ୍ପ ନ ଥିଲା’। ମିଚେଲଙ୍କ ଏହି ଟ୍ବିଟ୍ ଭାଇରାଲ୍ ହେବାରୁ ଅବଶ୍ୟ ସେ ଏହାକୁ ହଟାଇ ଦେଇଛନ୍ତି।
ଅନ୍ୟପକ୍ଷରେ ନିଷ୍ପତ୍ତି ସପକ୍ଷରେ ଅଟଳ ରହିଛି ନ୍ୟୁଜିଲାଣ୍ଡ୍ କ୍ରିକେଟ୍। ଦଳକୁ ନିର୍ଦ୍ଧିଷ୍ଟ ଭାବେ ଧମକ ମିଳିବାରୁ ସରକାର ଆଉ କିଛି କରିବା ସ୍ଥିତିରେ ନ ଥିଲେ। ‘ଶୁକ୍ରବାର ସବୁକିଛି ବଦଳିଯାଇଥିଲା, ପରାମର୍ଶ ବଦଳିଥିଲା, ଧମକର ସ୍ତର ବି ବଦଳିଥିଲା। ପରିଣାମ ସ୍ବରୂପ ଆମକୁ ଏକମାତ୍ର ବିକଳ୍ପ ଦାୟିତ୍ବସମ୍ପର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିଥିଲା। ସେହି ଦେଶରେ ଆଉ ଅଟକିବାର ବାଟ ନଥିଲା’ ବୋଲି ପ୍ରକାଶ କରିଛନ୍ତି ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ହ୍ବାଇଟ୍। ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନ ଗସ୍ତ କରିଥିଲେ ମଧ୍ୟ ଶୃଙ୍ଖଳା ଆରମ୍ଭ ଦିନ ବାତିଲ କରିବାକୁ ପଡ଼ିଥିଲା। ନ୍ୟୁଜିଲାଣ୍ଡ୍ ଦଳ ଏବେ ଏକ ସ୍ବତନ୍ତ୍ର ଚାଟାର୍ଟ ଫ୍ଲାଇଟରେ ଦୁବାଇ ପହଞ୍ଚିସାରିଛି। ସଙ୍ଗରୋଧ ନିୟମ ପାଳନ ସହ ଖେଳାଳିମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/2465465d4g54d65gdgddggdgd.jpg)