ମ୍ୟାକ୍‌ଗ୍ରାଙ୍କ କୀର୍ତ୍ତିମାନ ଭାଙ୍ଗିଲେ ଷ୍ଟାର୍କ

ବର୍ମିଙ୍ଗ୍‌ହାମ୍‌: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଗୋଟିଏ ବିଶ୍ବକପ୍‌ରେ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ହୋଇଛନ୍ତି। ଚଳିତ ବିଶ୍ବକପ୍‌ରେ ସେ ଗୁରୁବାର ସେମିଫାଇନାଲ୍‌ ମଧ୍ୟରେ ୧୦ ମ୍ୟାଚ୍‌ ଖେଳି ୨୭ ୱିକେଟ୍‌ ଅକ୍ତିଆର କରି ନୂଆ କୀର୍ତିମାନ ରଚିଛନ୍ତି। ଏକ୍ଷେତ୍ରରେ ସେ ନିଜ ଦେଶର ପୂର୍ବତନ ଦ୍ରୁତ ବୋଲର ଗ୍ଲେନ୍‌ ମ୍ୟାକ୍‌ଗ୍ରା (୨୬ ୱିକେଟ୍‌, ୨୦୦୭ ବିଶ୍ବକପ୍‌)ଙ୍କ କିର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ‌ଜନି ବେୟାରଷ୍ଟୋଙ୍କ ୱିକେଟ୍‌ ଅକ୍ତିଆର କରିବା ପରେ ବାମହାତୀ ଷ୍ଟାର୍କ କୀର୍ତ୍ତିମାନ ନିଜ ନାମକୁ ନେଇଯାଇଥିଲେ। ଏବେ ଷ୍ଟାର୍କ ଏବଂ ମ୍ୟାକ୍‌ଗ୍ରାଙ୍କ ପଛକୁ ବିଶ୍ବକପ୍‌ର କୌଣସି ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ତାଲିକାରେ ଶ୍ରୀଲଙ୍କାର ଚମିନ୍ଦା‌ ଭାସ୍‌ (୨୩ ୱିକେଟ୍‌, ୨୦୦୩), ଅଷ୍ଟ୍ରେଲିଆର ସନ୍‌ ଟେଟ୍‌ (୨୩ ୱିକେଟ୍‌, ୨୦୦୭) ଏବଂ ସିଂହଳୀ ସ୍ପିନର ମୁଥେୟା ମୁରଲୀଧରନ୍‌ (୨୩ ୱିକେଟ୍‌, ୨୦୦୭) ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଚନ୍ତି।

ସମ୍ବନ୍ଧିତ ଖବର