ମିତେଶ ଓ ପ୍ରସାଦ ସମ୍ବର୍ଧିତ

ଅନ୍ତର୍ଜାତୀୟ ସାମରିକ କଳା କ୍ରୀଡ଼ା ପଦକ ବିଜେତା

ଭୁବନେଶ୍ୱର: ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ମାର୍ଚ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ତୃତୀୟ ଅନ୍ତର୍ଜାତୀୟ ଏବଂ ଥାଇ ସାମରିକ କଳା କ୍ରୀଡ଼ା ଉତ୍ସବରେ ପଦକ ଜିତିଥିବା ଦୁଇ ଓଡ଼ିଆ ମିତେଶ କୁମାର ପତି ଏବଂ ପ୍ରସାଦ କୁମାର ନାୟକଙ୍କୁ ଗୁରୁବାର ନିଖିଳ ଓଡ଼ିଶା କିକ୍‌ ବକ୍ସିଂ ସଂଘ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ମିତେଶ ୫୭ କିଲୋଗ୍ରାମ କନିଷ୍ଠ ବର୍ଗରେ ଏବଂ ତାଙ୍କ ଗୁରୁ ପ୍ରସାଦ କୁମାର ନାୟକ ସେହି ଓଜନ୍‌ ବର୍ଗ ବରିଷ୍ଠ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ଉଭୟ ଖେଳାଳି କେ-୧ର ଚୂଡାନ୍ତ ପର୍ଯ୍ୟାୟରେ ଆମେରିକୀୟ ପ୍ରତିଯୋଗୀଙ୍କୁ ପରାସ୍ତ କରିଥିଲେ। କଟକ ଏହି ଗୁରୁ-ଶିଷ୍ୟ ଯୋଡ଼ି ଏବେ ଭାରତ ପାଇଁ ଗୌରବ ଆଣିଛନ୍ତି। ଉଭୟ ଅନ୍ତର୍ଜାତୀୟ ପଦାର୍ପଣରେ ପଦକ ଜିତିଥିବାରୁ ଖୁସୀ ଜାହିର କରିଥିଲେ। ଶରୀର ଅସୁସ୍ଥତା କାରଣରୁ ମୁଁ ସ୍ୱର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହୋଇଥିଲି ବୋଲି କହିଥିଲେ ପ୍ରସାଦ। କିନ୍ତୁ ନିଜ ଶିଷ୍ୟ ମିତେଶଙ୍କ ଜରିଆରେ ସେ ସ୍ୱର୍ଣ୍ଣିମ ସଫଳତା ପାଇଥିବାରୁ ତାଙ୍କର ଢ଼େର ପ୍ରଶଂସା କରିଥିଲେ। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ସମ୍ବର୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ପୃଥ୍ଵୀରାଜ ହରିଚନ୍ଦନ, ନିଖିଳ ଓଡ଼ିଶା କିକ୍‌ବକ୍ସିଂ ସଂଘର ସଭାପତି ଶିବାନନ୍ଦ ରାୟ, ଉପ ସଭାପତି ମନୋଜ ଶୁକ୍ଳା, ସମ୍ପାଦକ ତଥା ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କିକ୍‌ ବକ୍ସର ବିଭୂତିଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ୧୯ ଜଣିଆ ଭାରତୀୟ ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରି ମୋଟ ୧୦ ପଦକ ଜିତିଛନ୍ତି। ବ୍ୟାଙ୍କକ୍‌ର ନିମୁବୁୁର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଗ୍ରାଣ୍ଡମାଷ୍ଟର୍‌ ସୁଧାଂଶୁ ଶେଖର ହରିଚନ୍ଦନଙ୍କ ନେତୃତ୍ୱରେ ଏକ ୧୯ ଜଣିଆ ଭାରତୀୟ ଦଳ ପ୍ରତିନିିଧିତ୍ୱ କରିଛନ୍ତି। ଏଥିରେ ଓଡ଼ିଶା ଓ କିଟ୍‌ ବିଶ୍ୱବିଦ୍ୟାଳୟ ସମେତ ଆସାମ ପୁଲିସ୍‌, ପଣ୍ଡିଚେରୀ, ତେଲେଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗର ଖେଳାଳି ଭାଗ ନେଇଥିଲେ। ଭାରତ ୧ ସ୍ୱର୍ଣ୍ଣ, ୭ ରୌପ୍ୟ ଏବଂ ୨ କାଂସ୍ୟ ସହିତ ମୋଟ ୧୦ ପଦକ ଜିତିଥିଲା। ଅନ୍ୟତମ ଓଡ଼ିଆ କିଟ୍‌ ବିଶ୍ୱବିଦ୍ୟାଳୟର କୁମାର ଦେବଦତ୍ତ ଏହି ପ୍ରତିଯୋଗିତାରେ ଅଫିସିଆଲ୍‌ ଭାବେ ମଧ୍ୟ ଭାଗ ନେଇଥିଲେ।

ହଲ୍‌ ଅଫ୍‌ ଫେମ୍‌ରେ ହରିଚନ୍ଦନ

ତୃତୀୟ ଅନ୍ତର୍ଜାତୀୟ ତଥା ଥାଇ ସାମରିକ କଳା କ୍ରୀଡ଼ା ମହୋତ୍ସବ ଅବସରରେ କେବଳ ଯେ ଓଡ଼ିଆ ପିଲା ୨ ପଦକ ଜିତିଥିଲେ ତା ନୁହେଁ। ଭାରତୀୟ ଦଳର ଚିଫ୍‌ ଡି’ ମିସନ୍‌ ଦାୟିତ୍ୱରେ ଥିବା ସୁଧାଂଶୁ ଶେଖର ହରିଚନ୍ଦନଙ୍କୁ ମଧ୍ୟ ‘ଏସିଆ ପାସିଫିକ୍‌ ମାର୍ସାଲ ଆର୍ଟ ହଲ୍‌ ଅଫ୍‌ ଫେମ୍‌’ରେ ସାମିଲ କରାଯାଇଥିଲା। ଦୁଇ ଖେଳାଳିଙ୍କ ସହିତ ଶ୍ରୀ ହରିଚନ୍ଦନଙ୍କୁ ମଧ୍ୟ ଗୁରୁବାର ସମ୍ବର୍ଧିତ କରାଯାଇଥିଲା। ଏଭଳି ଏକ ଗୌରବ ପାଇବାରେ ସେ ସମ୍ଭବତଃ ପ୍ରଥମ ଓଡ଼ିଆ ହେବାର ଗୌରବ ପାଇଛନ୍ତି। ଏହା କେବଳ ଓଡ଼ିଶା ନୁହେଁ ଦେଶ ପାଇଁ ମଧ୍ୟ ଗୌରବର ବିଷୟ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ଦୀର୍ଘ ୪ ଦଶନ୍ଧି ଧରି ଦେଶରେ ସାମରିକ କଳା କ୍ରୀଡ଼ାକୁ ପ୍ରୋତ୍ସାହିତ କରି ଆସୁଥିବା ଶ୍ରୀ ହରିଚନ୍ଦନ କହିଥିଲେ ୧୯୯୩ ମସିହାରେ କିକ୍‌ ବକ୍ସିଂକୁ ଭାରତରେ ମୁଁ ଆରମ୍ଭ କରିଥିଲି। କିନ୍ତୁ ଦୁଃଖର କଥା କିଛି ବ୍ୟକ୍ତି ଏହାକୁ ବ୍ୟବସାୟରେ ପରିଣତ କରିବା ଏବଂ ନକଲି ପଦକ ଜିତିବା ପରେ ଧରାପଡ଼ିବା ଭଳି ଘଟଣା ମୋତେ ଦୁଃଖ ଦେଇଥିଲା। ଏବେ କିନ୍ତୁ କିକ୍‌ ବକ୍ସରମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରି ଆସିଛି। ଏହି ଖେଳ ଫିଟ୍‌ନେସ ବଢ଼ାଇବା ସହିତ ବହୁ ଖେଳାଳିଙ୍କୁ ପୁଲିସ୍‌ ଓ ଆର୍ମି ଆଦିରେ ନିଯୁକ୍ତି ଦେବାରେ ବଡ଼ ଯୋଗଦାନ ରଖିଛି ବୋଲି ସେ ହରିଚନ୍ଦନ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର