ବେଙ୍ଗାଲୁରୁ: ଶୁକ୍ରବାର ଥିଲା କର୍ଣ୍ଣାଟକ ଅଲ୍ରାଉଣ୍ଡର ଅଭିମନ୍ୟୁ ମିଥୁନଙ୍କ ୩୦ତମ ଜନ୍ମଦିବସ। ବିଜୟ ହଜାରେ ଟ୍ରଫି ଫାଇନାଲ୍ରେ ହ୍ୟାଟ୍ରିକ୍ ଅର୍ଜନ କରି ମିଥୁନ ଏହି ଦିନକୁ ଅଧିକ ସ୍ମରଣୀୟ କରିଛନ୍ତି। ତାଙ୍କ ଜନ୍ମଦିନର ହ୍ୟାଟ୍ରିକ୍ ସହ ୫ ୱିକେଟ୍ ଦଖଲ ସାଙ୍ଗକୁ ଭାରତୀୟ ଦଳର ଦୁଇ ସଦସ୍ୟ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ୍ଙ୍କ ଅପରାଜିତ ଅର୍ଧଶତକ ବଳରେ କର୍ଣ୍ଣାଟକ ଚଳିତ ବର୍ଷର ବିଜୟ ହଜାରେ ଟ୍ରଫି ଜିତିନେଲା। ଏଥି ସହିତ କର୍ଣ୍ଣାଟକ ମଧ୍ୟ ଚତୁର୍ଥ ଥର ପାଇଁ ବିଜୟ ହଜାରେ ଟ୍ରଫି ବିଜେତା ହେଲା। ଶୁକ୍ରବାର ବର୍ଷା ବାଧାପ୍ରାପ୍ତ ଫାଇନାଲ୍ରେ କର୍ଣ୍ଣାଟକ ‘ଭିଜେଡି’ ପ୍ରଣାଳିରେ ୨୦୧୭ର ବିଜେତା ତଥା ଗତବର୍ଷର ଉପବିଜେତା ତାମିଲନାଡୁକୁ ୬୦ ରନ୍ରେ ପରାସ୍ତ କରିଦେଲା।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଶୁକ୍ରବାର ଖେଳାଯାଇଥିବା ଫାଇନାଲ୍ରେ କର୍ଣ୍ଣାଟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ତାମିଲନାଡୁକୁ ଆହ୍ବାନ ଦେଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅଭିନବ ମୁକୁନ୍ଦ (୮୫) ଓ ବାବା ଅପରାଜିତ (୬୬)ଙ୍କ ଅର୍ଧଶତକକୀୟ ପାଳି ସାଙ୍ଗକୁ ଅଲ୍ରାଉଣ୍ଡର ବିଜୟ ଶଙ୍କର (୩୮), ଶାହରୁଖ ଖାନ୍ (୨୭)ଙ୍କ ଦ୍ରୁତ ରନ୍ ସତ୍ତ୍ବେ କର୍ଣ୍ଣାଟକ ବୋଲର ପୂରା ଆଧିପତ୍ୟ ବିସ୍ତାର କରିଥିଲେ। ବିଶେଷକରି ମିଥୁନ ୯.୫-୦-୩୪-୫ ବୋଲିଂ ଚିତ୍ର ପାଇଥିଲା ବେଳେ ଭି କୌଶିକଙ୍କ ୨ ୱିକେଟ୍ ଦଖଲ ଯୋଗୁଁ ତାମିଲନାଡୁ ୪୯.୫ ଓଭରରେ ୨୫୨ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ମିଥୁନ ପ୍ରଥମ ଥର ଲାଗି ଲିଷ୍ଟ-ଏ କ୍ରିକେଟ୍ରେ ୫ ୱିକେଟ୍ ସଫଳତା ହାତେଇଥିଲେ। ସେ ମଧ୍ୟ ବିଜୟ ହଜାରେ ଟ୍ରଫିରେ କଣ୍ଣାଟକର ପ୍ରଥମ ଖେଳାଳି ଭାବେ ହ୍ୟାଟ୍ରିକ୍ ଅର୍ଜନ କରିବାର ଗୌରବ ପାଇଥିଲେ। ତାମିଲନାଡୁ ଅଧିନାୟକ ଦୀନେଶ କାର୍ତ୍ତିକ ୧୧, ରବିଚନ୍ଦ୍ରନ୍ ଅଶ୍ବିନ୍ ୮ ଓ ଅଲ୍ରାଉଣ୍ଡର ୱାସିଂଟନ୍ ସୁନ୍ଦର ୨ ରନ୍ କରିଥିଲା ବେଳେ ମୁରଲୀ ବିଜୟ ଖାତା ଖୋଲି ପାରିନଥିଲେ।
ଜବାବରେ କର୍ଣ୍ଣାଟକ ୩୪ ରନ୍ରେ ଦେବଦତ୍ତ ପାଡିକଲ୍ଙ୍କ ୱିକେଟ୍ ହରାଇଥିଲା। ୱାସିଂଟନ୍ ସୁନ୍ଦର ଏହି ୱିକେଟ୍ ନେଇଥିଲେ। ହେଲେ ଲୋକେଶ ରାହୁଲ (୫୨* ରନ୍, ୭୨ ବଲ୍, ୫ ଚୌକା) ଓ ମୟଙ୍କ ଅଗ୍ରୱାଲ (୬୯* ରନ୍, ୫୫ ବଲ୍, ୭ ଚୌକା, ୩ ଛକା) ନିଜ ନିଜର ଅର୍ଧଶତକ ସାଙ୍ଗକୁ ଅବିଭାଜିତ ଦ୍ବିତୀୟ ୱିକେଟ୍ରେ ୧୧୨ ରନ୍ ଯୋଡ଼ିବାରୁ କର୍ଣ୍ଣାଟକ ସ୍କୋର୍ ୨୩ ଓଭରରେ ୧୪୬/୧ରେ ପହଞ୍ଚିଥିଲା। କିନ୍ତୁ ବର୍ଷା ପ୍ରାୟ ୪୦ ମିନିଟ୍ ଧରି ବାଧା ସୃଷ୍ଟି କରିବା ଏବଂ ପରେ ମ୍ୟାଚ୍ ଶେଷ କରିବାକୁ ସମୟ ଅଭାବରୁ ଅମ୍ପାୟାର ସେହିଠାରୁ ହିଁ ଖେଳ ବାତିଲ କରିଦେଇଥିଲେ। ସେତେବେଳେକୁ ଭିଜେଡି ପ୍ରଣାଳି ଅନୁଯାୟୀ କର୍ଣ୍ଣାଟକକୁ ଜିତିବା ପାଇଁ ୮୬ ରନ୍ ଆବଶ୍ୟକ ଥିଲା। ମାତ୍ର ଦଳ ୬୦ ରନ୍ ଆଗରେ ରହିଥିଲା। ତେଣୁ କର୍ଣ୍ଣାଟକକୁ ବିଜେତା ଘୋଷଣା କରାଯାଇଥିଲା।