ମିଶ୍ରିତ ଯୁଗଳ ଟ୍ରଫି ବଜାୟ ରଖିଲେ କ୍ରଜିକ୍‌-ସ୍କୁପ୍‌ସ୍କି

ଲଣ୍ଡନ : ଆମେରିକା ଓ ଇଂଲଣ୍ଡ ଯୋଡ଼ି ଡେସିରାଇ କ୍ରଜିକ୍‌ ଓ ନିଲ୍‌ ସ୍କୁପ୍‌ସ୍କି ୱିମ୍ବଲଡନ୍‌ ମିଶ୍ରିତ ଯୁଗଳ ଟ୍ରଫି ବଜାୟ ରଖିଛନ୍ତି। ଗୁରୁବାର ‌ଫାଇନାଲ୍‌ରେ ଏହି ଯୋଡ଼ି ୬-୪, ୬-୩ ସେଟ୍‌ରେ ଅଷ୍ଟ୍ରେଲିଆର ମାଥ୍ୟୁ ଏବ୍‌ଦେନ୍‌ ଓ ସାମ ସ୍ତୋସୁରଙ୍କୁ ହରାଇ ଲଗାତାର ଦ୍ବିତୀୟ ଥର ଲାଗି ଟ୍ରଫି କରାୟତ୍ତ କରିଥିଲେ। ଦ୍ବିତୀୟ ମାନ୍ୟତାପ୍ରାପ୍ତ ଏହି ଯୋଡ଼ି ମ୍ୟାଚ୍‌ ଜିତିବାକୁ ୧ ଘଣ୍ଟା ୨୭ ମିନିଟ୍‌ ନେଇଥିଲେ। ଚେକ୍‌ ଗଣରାଜ୍ୟର ଭାଇ ଭଉଣୀ ଯୋଡ଼ି ସିରିଲ ସୁକ ଓ ହେଲେନା ସୁକୋଭା (୧୯୯୭)ଙ୍କ ପରେ କ୍ରଜିକ୍‌ ଓ ସ୍କୁପ୍‌ସ୍କି ଯୋଡ଼ି ଅଲ୍‌ ଇଂଲଣ୍ଡ କ୍ଲବ୍‌ରେ ଟ୍ରଫି ବଜାୟ ରଖିବାରେ ପ୍ରଥମ ହୋଇଛନ୍ତି। ୨୮ ବର୍ଷୀୟା କ୍ରଜିକଙ୍କ ଏହା ଚତୁର୍ଥ ମିଶ୍ରିତ ଯୁଗଳ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି। ଗତ ବର୍ଷ ସେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି କର‌ାୟତ୍ତ କରିଥିଲେ। ଏବ୍‌ଦେନ୍‌ ମିଶ୍ରିତ ଯୁଗଳ ଟ୍ରଫି ଜିତିବାରେ ବିଫଳ ହୋଇଥିଲେ। ହେଲେ ପୁରୁଷ ଯୁଗଳ ଫାଇନାଲ୍‌ରେ ପହଞ୍ଚିଥିବାରୁ ଟ୍ରଫି ଜିତିବାର ଆଶା ରଖିଛନ୍ତି ସେ।

ସମ୍ବନ୍ଧିତ ଖବର