ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାରେ ଭାରତକୁ ଶୁକ୍ରବାର ମିଶ୍ରଫଳ ମିଳିଛି। ପୁରୁଷ ଦଳ ଆୟର୍ଲାଣ୍ଡକୁ ହରାଇଥିଲା ବେଳେ ମହିଳା ଦଳ ଜର୍ମାନୀଠୁ ପରାଜିତ ହୋଇଛି। ଶୁକ୍ରବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ହର୍ମନପ୍ରୀତ ସିଂହ ନେତୃତ୍ବାଧୀନ ଭାରତୀୟ ଦଳ ୩-୧ ଗୋଲ୍ରେ ଆୟର୍ଲାଣ୍ଡକୁ ହରାଇଛି। ମ୍ୟାଚ୍ର ଅଷ୍ଟମ ମିନିଟ୍ରେ ଜେରେମି ଡନ୍କାନ୍ଙ୍କ ଫିଲ୍ଡ ଗୋଲ୍ରେ ଆୟର୍ଲାଣ୍ଡ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହି ମ୍ୟାଚ୍ ପୂର୍ବରୁ ଖେଳାଯାଇଥିବା ମହିଳା ମ୍ୟାଚ୍ରେ ଭାରତ ହାରିଥିବା ବେଳେ ଆରମ୍ଭରୁ ପୁରୁଷ ଦଳର ଗୋଲ୍ ବରଣ ଘରୋଇ ଦର୍ଶକଙ୍କୁ ନିରୁତ୍ସାହିତ କରିଥିଲା। ପ୍ରଥମ କ୍ବାର୍ଟରରେ ପଛରେ ପଡ଼ିଥିବା ଭାରତ ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ମନଦୀପ ସିଂହ (୨୨ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ରେ ସ୍ଥିତି ସମାନ କରି ଦେଇଥିଲା। ଏହାପରେ ଜର୍ମାନପ୍ରୀତ ସିଂହ (୪୫ ମିନିଟ୍) ଓ ସୁଖଜିତ ସିଂହ (୫୮ ମିନିଟ୍) ପେନାଲ୍ଟି କର୍ଣ୍ଣରରୁ ଦୁଇଟି ଗୋଲ୍ ଦେଇ ଦଳକୁ ବିଜୟ ଭେଟି ଦେବା ସହ ଘରୋଇ ଦର୍ଶକଙ୍କ ମୁହଁରେ ହସ ଫୁଟାଇଥିଲେ।
ପୂର୍ବରୁ ଖେଳାଯାଇଥିବା ମହିଳା ମ୍ୟାଚ୍ରେ ଭାରତ ୦-୪ ଗୋଲ୍ରେ ଜର୍ମାନୀଠୁ ହାରିଯାଇଛି। ମ୍ୟାଚ୍ର ତୃତୀୟ ମିନିଟ୍ରେ ଜର୍ମାନୀର ଆମେଲି ୱର୍ତମାନଙ୍କ ଗୋଲ୍ରେ ଘରୋଇ ଦଳ ପଛରେ ପଡ଼ିଥିଲା। ଏହାପରେ ସୋଫିଆ ଚ୍ବାବେ (୧୮, ୪୬ ମିନିଟ୍) ଦୁଇଟି ଏବଂ ଜୋହାନା ହେଚେନବର୍ଗ (୬୦ ମିନିଟ୍) ଗୋଟିଏ ଗୋଲ୍ ଦେଇ ଜର୍ମାନୀକୁ ବିଜୟ ଭେଟି ଦେଇଥିଲେ। ଅନ୍ୟ ଏକ ମହିଳା ମ୍ୟାଚ୍ରେ ନେଦରଲାଣ୍ଡ୍ସ ୫-୧ ଗୋଲ୍ରେ ଇଂଲଣ୍ଡକୁ ହରାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ଦୁଇ ଅଲିମ୍ପିଆନ୍ ଦିଲୀପ ତିର୍କି ଓ ରାଜରୁସ ବାର୍ଲା ଅତିଥି ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।