କଟକ: ବିହାରର ପୂର୍ବତନ ନିର୍ବାଚନ ଆୟୁକ୍ତ ଏମ୍ଏଲ୍ ମଜୁମଦାର ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେବେ। ଏନେଇ କୌଣସି ଔପଚାରିକ ସୂଚନା ଦିଆଯାଇନଥିଲେ ବି ମଜୁମଦାର ଏହି ନୂଆ ନିଯୁକ୍ତି ପାଇଁ ସହମତି ଦେଇସାରିଛନ୍ତି। ଆସନ୍ତା ସପ୍ତାହରେ ସେ ଓସିଏ କାର୍ଯ୍ୟାଳୟକୁ ଆସି ଅବଶିଷ୍ଟ ଔପଚାରିକ କାର୍ଯ୍ୟଗୁଡିକ ପୂରଣ କରିବା ପରେ ତାଙ୍କ ନାମ ଘୋଷଣା କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଏହାଫଳରେ ଦୀର୍ଘ ଦିନଧରି ନିର୍ବାଚନ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା, ସେଥିରୁ ଆଶ୍ବସ୍ତି ମିଳିଥିବା କୁହାଯାଉଛି। ଖୁବ୍ଶୀଘ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବା ପରେ ନିର୍ବାଚନ ନିୟମାବଳୀ ପ୍ରକାଶ କରାଯିବ ବୋଲି କୁହାଯାଇଛି।
ବିହାର କ୍ୟାଡର ୧୯୬୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ମଜୁମଦାର କଲିକତା ବିଶ୍ବବିଦ୍ୟାଳୟରେ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ପାସ୍ କରିଥିଲେ। ବିହାର ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ସଚିବ ପାହ୍ୟାରେ ସେ କାର୍ଯ୍ୟ କରିଛନ୍ତି। ମାଇନି˚ ଓ ନନ୍ ଫେରିୟସ୍ ମେଟାଲ ସେକ୍ଟରରେ ତାଙ୍କର ଦୀର୍ଘ ୧୩ ବର୍ଷର କାର୍ଯ୍ୟ କରିବା ଅଭିଜ୍ଞତା ରହିଛି। ଏଥିସହିତ ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧିନରେ ସେ ମାଇନି˚ର ବିଶେଷଜ୍ଞ ମୂଲ୍ୟାଙ୍କନ ସମିତିର ଅଧ୍ୟକ୍ଷ ଭାବେ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ଲଣ୍ତନର ରାଜ୍ୟଗୋଷ୍ଠୀ ସଚିବାଳୟରେ ସେ ସୀମିତ ସମୟ ପାଇଁ ଉପଦେଷ୍ଠା ଭାବେ କାର୍ଯ୍ୟ କରିଛନ୍ତି। ୨୦୦୦ ମସିହାରେ କେନ୍ଦ୍ର ସରକାରଙ୍କ ଅଧିନରେ ସଚିବ ସ୍ତରରୁ ଅବସର ନେବା ପରେ ସେ ବିହାର ନିର୍ବାଚନ ଆୟୁକ୍ତ ଭାବେ ସେହିବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଦାୟିତ୍ବ ଗ୍ରହଣ କରିଥିଲେ। ବିହାରର ତୃତୀୟ ନିର୍ବାଚନ ଆୟୁକ୍ତ ଭାବେ ସେ ଏହି ଭାର ସମ୍ଭାଳିଥିବା ବେଳେ ଗୋଟିଏ ବର୍ଷ ମଧ୍ୟରେ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ କରି ଚର୍ଚ୍ଚିତ ହୋଇଥିଲେ। ବିହାରର ଜଣେ ସଫଳ ନିର୍ବାଚନ ଆୟୁକ୍ତ ଭାବେ ତାଙ୍କର ଖ୍ୟାତି ରହିଛି।
ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଆହୁରି ୧୪ ଜଣ ରାଜ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ କରିପାରିନଥିବା ସୂଚନା ମିଳିଛି। ଓଡ଼ିଶା ବ୍ୟତୀତ ଆନ୍ଧ୍ରପ୍ରଦେଶ ପାଇଁ ଭଲଵର ଲାଲ୍, ଅରୁଣାଚଳ ପ୍ରଦେଶ ପାଇଁ ରମେଶ ନେଗି, ବିହାର ପାଇଁ ହେମ ଚାନ୍ଦ ସିରୋହୀ, ପଣ୍ତିଚେରୀ ପାଇଁ ଟିଏସ୍ କ୍ରିଷ୍ଣମୂର୍ତ୍ତି, ଗୋଆ ପାଇଁ ଏମ୍ ମୋଦାସିର, ହିମାଚଳ ପ୍ରଦେଶ ପାଇଁ ମନୀଷା ନନ୍ଦ, ହାଇଦ୍ରାବାଦ ପାଇଁ ଭିଏସ୍ ସମ୍ପଥ, ଝାଡ଼ଖଣ୍ତ ପାଇଁ ଶିବ ବସନ୍ତ, କର୍ଣ୍ଣାଟକ ପାଇଁ ଏମ୍ଆର୍ ହେଗ୍ଡେ, କେରଳ ପାଇଁ କେ ଶ୍ରୀଧରଣ ନାୟର, ମେଘାଳୟ ପାଇଁ ପ୍ରଶାନ୍ତ ନାଏକ, ନାଗାଲାଣ୍ତ ପାଇଁ ଲାଲଥରା, ମଣିପୁର ପାଇଁ ପିସି ଲମକୁଙ୍ଗା, ପଞ୍ଜାବ ପାଇଁ ରାଜୀବ ଶର୍ମା, ସିକିମ୍ ପାଇଁ ସେ ଟେନ୍ ଦୋର୍ଜି, ତ୍ରିପୁରା ପାଇଁ କିଶୋର ଆମ୍ବୁଲି, ଉତ୍ତରପ୍ରଦେଶ ପାଇଁ ନବୀନ ଚାଵଲା ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି।