କୋହଲିଙ୍କ ଆହ୍ଵାନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ରାଠୋରଙ୍କ ସୁସ୍ଥତା ଅଭିଯାନକୁ ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଆରମ୍ଭ କରିଥିବା ସୁସ୍ଥତା ଅଭିଯାନ ଧୀରେ ଧୀରେ ସାରା ଦେଶରେ ବ୍ୟାପିବାରେ ଲାଗିଛି। ବୁଧବାର ଏଥିରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି, ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହଓ୍ଵାଲ ଯୋଡ଼ି ହୋଇଥିଲେ। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ, ବଲିଉଡ୍‌ ଅଭିନେତ୍ରୀ ତଥା କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ସାମିଲ ହୋଇଛନ୍ତି। କୋହଲି ଦେଇଥିବା ଶାରୀରିକ ସୁସ୍ଥତା (ଫିଟ୍‌ନେସ୍‌) ଆହ୍ଵାନକୁ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଓ ଅନୁଷ୍କା ଶର୍ମା ଗ୍ରହଣ କରିବା ପରେ ଏହି ଅଭିଯାନ ଅଧିକ ଚର୍ଚିତ ହେବାରେ ଲାଗିଛି। ସୂଚନାଯୋଗ୍ୟ ଯେ ସୋମବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ନିଜେ ବ୍ୟାୟାମ କରୁଥିବାର ଏକ ଭିଡିଓକୁ ଟ୍ଵିଟର୍‌ରେ ପ୍ରକାଶ କରିବା ସହ ନିଜ ନିଜର ସୁସ୍ଥତାର ମନ୍ତ୍ର ବାଣ୍ଟିବାକୁ କୋହଲି, ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହଓ୍ଵାଲଙ୍କୁ ଆହ୍ଵାନ କରିଥିଲେ। ଏହି ଆହ୍ଵାନକୁ କୋହଲି ଗ୍ରହଣ କରିବା ସହ ନିଜେ ବ୍ୟାୟମ କରୁଥିବାର ଦୃଶ୍ୟକୁ ଟ୍ଵିଟର୍‌ ପୃଷ୍ଠାରେ ପ୍ରକାଶ କରିଥିଲେ। ଏଥିସହ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ନିଜ ପତ୍ନୀ ଅନୁଷ୍କାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପରି କରିବା ପାଇଁ ମଧ୍ୟ ଟ୍ଵିଟର୍‌ରେ ଆହ୍ଵାନ୍‌ କରିଥିଲେ। ଏହି ଟ୍ଵିଟ୍‌ର ପ୍ରତିଉତ୍ତର ପ୍ରଧାନମନ୍ତ୍ରୀ ଗୁରୁବାର ଟ୍ଵିଟ୍‌ ମାଧ୍ୟମରେ ଦେଇଥିଲେ। କୋହଲିଙ୍କ ଆହ୍ଵାନ୍‌କୁ ଗ୍ରହଣ କଲି, ମୁଁ ଶୀଘ୍ର ମୋର ସୁସ୍ଥତା ଭିଡିଓ ପ୍ରକାଶ କରୁଛିି ବୋଲି ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରିଥିଲେ। ଅନ୍ୟପକ୍ଷରେ କୋହଲିଙ୍କ ପତ୍ନୀ ଅନୁଷ୍କା ମଧ୍ୟ ନିଜ ପତିଙ୍କ ଆହ୍ଵାନକୁ ଗ୍ରହଣ କରି ଟ୍ଵିଟର୍‌ରେ ନିଜେ ବ୍ୟାୟାମ କରୁଥିବାର ଭିଡିଓ ଛାଡ଼ିଛନ୍ତି। ଦେଶବାସୀଙ୍କୁ ବ୍ୟାୟାମର ଉପକାରିତା ଜଣାଇବାକୁ ରାଠୋର ଏହି ନିଆରା ଅଭିଯାନ ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ଅଭିଯାନରେ ଆଗକୁ ସାରା ଦେଶ ଯୋଡ଼ି ହେବ ବୋଲି ରାଠୋର ଆଶା ରଖିଛନ୍ତି। ଇତ୍ୟବସରରେ ଦକ୍ଷିଣଭାରତ ଅଭିନେତା ନାଗା ଚୈତନ୍ୟ, ତାଙ୍କ ପତ୍ନୀ ସାମନ୍ଥା, ଟାଇଗର ସ୍ରଫ୍‌ ପ୍ରମୁଖ ସେଲିବ୍ରେଟି ଏଥିରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର