ମତଦାତାଙ୍କୁ ଉତ୍ସାହିତ କର: କୋହଲି, ଧୋନି ଓ ରୋହିତଙ୍କୁ ‌େମ‌ାଦିଙ୍କ ସ୍ବତନ୍ତ୍ର ନିବେଦନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ନେଇ ସାରା ଦେଶର ରାଜନୈତିକ ମହଲ ଏବେ ବେଶ୍ ଚଳଚଞ୍ଚଳ। ନୂଆ ଭୋଟରଙ୍କୁ ନିଜ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ସବୁ ରାଜନୈତିକ ଦଳ ମଧ୍ୟରେ ବି ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଗଲାଣି। ଏଭଳି ସ୍ଥିତିରେ ଯୁବ ଭୋଟରମାନଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ବିଶେଷ କରି ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ଦେଢ଼ କୋଟିରୁ ଅଧିକ ୧୮-୧୯ ବର୍ଷ ବୟସର ଭୋଟରଙ୍କୁ ମତାଧିକାର ସାବ୍ୟସ୍ତ କରିବାକୁ ମୋଦି ଆହ୍ବାନ କରିଛନ୍ତି। ଏଥିନେଇ ସେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ ‌କୋହଲି , ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ବତନ୍ତ୍ର ନିବେଦନ କରିଛନ୍ତି। ନିଜ ନିଜର ପ୍ରଶଂସକଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେବା ଲାଗି ଉତ୍ସାହିତ କରିବାକୁ ମୋଦି କୋହଲି, ରୋହିତ ଓ ଧୋନିଙ୍କୁ ଆହ୍ବାନ କରିଛନ୍ତି। ଏହି ତିନି ଲୋକପ୍ରିୟ କ୍ରିକେଟରଙ୍କୁ ଟ୍ବିଟ୍ କରି ମୋଦି ଲେଖିଛନ୍ତି ଯେ କ୍ରିକେଟ୍ ପଡ଼ିଆରେ ଆପଣମାନେ ସବୁବେଳେ ନୂଆ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛନ୍ତି। ହେଲେ ଏଥର ୧୩୦ କୋଟି ଭାରତୀୟଙ୍କୁ ଭୋଟ ଦେବା ଲାଗି ଅନୁପ୍ରେରିତ କର। ଆସନ୍ତା ସାଧାରଣ ନିର୍ବାଚନରେ ସେମାନେ ଯେମିତି ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରନ୍ତି ସେଥିଲାଗି ସେମାନଙ୍କୁ ଉତ୍ସା‌ହିତ କରନ୍ତୁ। ଏହା ହେଲେ, ଗଣତନ୍ତ୍ରର ବିଜୟ ହେବ। ମୋଦି ମଧ୍ୟ ନିଜ ଟ୍ବିଟ୍‌କୁ ବିଭିନ୍ନ ବଲିଉଡ୍ ସେଲିବ୍ରେଟି ଏବଂ ରତନ ଟାଟା ଓ ଆନନ୍ଦ ମହିନ୍ଦ୍ରାଙ୍କ ଭଳି ବ୍ୟବସାୟୀଙ୍କୁ ଟ୍ୟାଗ୍ କରିଥିଲେ। ଏହା ପୂର୍ବରୁ ସ୍ବଚ୍ଛ ଭାରତ ଅଭିଯାନର ପ୍ରଚାର ପ୍ରସାର କରିବା ଲାଗି ମୋଦି ଏହି ନୀତି ଆପଣାଇଥିଲେ। ସୂଚନାଯୋଗ୍ୟ ଯେ ସଧାରଣ ନିର୍ବାଚନ ସାତଟି ପର୍ଯ୍ୟାୟରେ ଏପ୍ରିଲ ୧୧ରୁ ମେ ୧୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଭୋଟ ଗଣତି ମେ ୨୩ରେ କରାଯିବ।

ସମ୍ବନ୍ଧିତ ଖବର