ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସକୁ ନଜରରେ ରଖି ସମସ୍ତ ଏଲିଟ୍ ଓ ଜୁନିୟର୍ କ୍ରୀଡ଼ାବିତ୍ ମାନଙ୍କୁ ସମ୍ପୂର୍ଣ୍ଣ ସହାୟତା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ପ୍ରକାଶ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ଆମ ଦେଶର କ୍ରୀଡ଼ାବିତ୍ମାନେ ଖୁସି ରହିଛନ୍ତି ଏବଂ ପ୍ରସ୍ତୁତ ଅଛନ୍ତି। ମହାମାରୀ ସତ୍ତ୍ବେ ସରକାର ସମସ୍ତ ସମ୍ଭାବ୍ୟ ଯୋଗାଇ ଦେଉଛନ୍ତି। ପ୍ରଥମ ଭାରତୀୟ ଅଶିଚାଳକ ଭାବେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଭବାନୀ ଦେବୀ ଏବଂ ଅଗ୍ରଣୀ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ମଧ୍ୟ ସରକାରଙ୍କ ସମର୍ଥନକୁ ନେଇ ପ୍ରଶଂସା କରିଛନ୍ତି। ସାଇ ଏବଂ ଟପ୍ସ ଦଳ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ବୋଲି ସିନ୍ଧୁ କହିଛନ୍ତି।
ଏହି ଅବସରରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ମଧ୍ୟ ସୂଚନା ଦେଇଛି ୧୯ ଜଣ ଅଲିମ୍ପିକ୍ ଅଭିମୁଖା ଆଥ୍ଲେଟ୍ଙ୍କୁ ଉଭୟ ଡୋଜ୍ ଟିକା ପ୍ରଦାନ କରାଯାଇସାରିଛି। ୧୩୧ ଆଥ୍ଲେଟ୍ ଏବଂ ୧୩ ଜଣ ପାରା ଆଥଲେଟ୍ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି। ସେହିଭଳି ପ୍ରଶିକ୍ଷକ ମଣ୍ଡଳିର ୨୩ ଜଣ ଉଭୟ ଡୋଜ୍ ଟିକା ନେଇଛନ୍ତି ଏବଂ ୮୭ ଜଣ ପ୍ରଥମ ଡୋଜ୍ ନେଇଛନ୍ତି। ଜାପାନ ସରକାର ଭାରତ, ପାକିସ୍ତାନ ଏବଂ ନେପାଳ ଜନସାଧାରଣଙ୍କ ଉପରେ କଟକଣା ଲାଗୁ କରିଥିଲେ ମଧ୍ୟ ଅଲିମ୍ପିକ୍ସ ବେଳକୁ ଏହି କଟକଣା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ନରିନ୍ଦର ଧୃବ ବାତ୍ରା ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ: ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ୯ ଭାରତୀୟ ମୁଷ୍ଟିଯୁଦ୍ଧାଙ୍କ ପାଇଁ ବିଦେଶରେ ଏକ ୩ ସପ୍ତାହିଆ ଅଭ୍ୟାସ ଶିବିରର ଆୟୋଜନ କରାଯିବ। ଦୁବାଇରେ ଅନୁଷ୍ଠିତ ଏସୀୟ ଚାମ୍ପିଅନ୍ସିପ୍ରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଯୋଦ୍ଧା ରେକର୍ଡ ପଦକ ଜିତିଥିବାର ଗୋଟିଏ ଦିନପରେ ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ଏଭଳି ଘୋଷଣା କରିଛି। ଜୁଲାଇ ୨୩ ତାରିଖରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଥିଲା ବେଳେ ଏହାର ୫ରୁ ୭ ଦିନ ପୂର୍ବରୁ ଭାରତୀୟ ଦଳ ସେଠରେ ପହଞ୍ଚିବେ। ''ଆମେ ବିଦେଶରେ ଅଭ୍ୟାସ କରିବୁ। ଏଥିପାଇଁ ଆଲୋଚନା ଚାଲିଛି। କେବେ ଏବଂ କେଉଁଠାରେ ତାହା କିଛି ଦିନ ପରେ ଜଣାପଡ଼ିବ।
ଆମେ କିଛି ଜିନିଷ ଠିକ୍ କରିବା ପାଇଁ ଦୁବାଇରୁ ଭାରତ ଫେରିଯିବୁ। ସେଠାରେ ପହଞ୍ଚିବା ପରେ ଅଲିମ୍ପିକ୍ସ ଲାଗି ଯୋଜନା ପ୍ରସ୍ତୁତ କରାଯିବ ବୋଲି ଭାରତୀୟ ପୁରୁଷ ମୁଷ୍ଟିଯୁଦ୍ଧର ଉଚ୍ଚଗୁଣବତ୍ତା ପ୍ରଦର୍ଶନ ନିର୍ଦେଶକ ସାଣ୍ଟିଆଗୋ ନିଭା କହିଛନ୍ତି। ଏସୀୟ ମୁଷ୍ଟିଯୁଦ୍ଧରେ ୧୦ ମହିଳା ଏବଂ ୫ ପୁରୁଷ ଭାରତୀୟ ପଦକ ଜିତିଥିଲେ। ଭାରତୀୟଙ୍କ ଏହି ପ୍ରଦର୍ଶନରେ ମୁଁ ଖୁସି। ପଦକ ନୁହେଁ ଆମ ପିଲାମାନେ ଭଲ ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ସ ପାଇଁ ଆମ ଖେଳାଳିମାନେ ଏବେ ୮୦ ପ୍ରତିଶତ ଫିଟ୍ ଅଛନ୍ତି ଆଉ ୨୦ ପ୍ରତିଶତ ଅଲିମ୍ପିକ୍ସ ପୂର୍ବରୁ ହେଇଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/f4h4fs65h456sfhhhhhhhhhhhhhhhhhhhhhhhhhhhhhhhhhhhhhhh.jpg)