ନୂଆଦିଲ୍ଲୀ: ୟୋ-ୟୋ ଟେଷ୍ଟ୍ କ’ଣ ଏବଂ ତାହା କିପରି ସହାୟକ ହୋଇଛି? ସେ ସଂପର୍କରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କଠାରୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଁ ଶୁଣିବାକୁ ପାଇଥିଲି ଯେ ଏବେ ଭାରତୀୟ କ୍ରିକେଟ୍ ଦଳ ପାଇଁ ‘ୟୋ-ୟୋ’ ଟେଷ୍ଟ୍ କରାଯାଉଛି। ସେ ଟେଷ୍ଟ୍ କ'ଣ? ବୋଲି ଏକ ଭର୍ଚୁଆଲ ବାର୍ତାଳାପ ବେଳେ ମୋଦି ପଚାରିଥିଲେ। ଏଥିରେ କୋହଲି ହସିଥିଲେ ଏବଂ ଉତ୍ତର ଦେଇଥିଲେ। ଫିଟ୍ନେସ୍ ଦୃଷ୍ଟିକୋଣରୁ ସେହି ଟେଷ୍ଟ୍ ଅତି ଗୁରୁତ୍ବପୂର୍ଣ୍ଣ। ଯଦି ଆମେ ସାରା ଦୁନିଆର ଫିଟ୍ନେସ୍ ସ୍ତର ସଂପର୍କରେ କହିବା, ତାହାଲେ ଅନ୍ୟାନ୍ୟ ଦଳମାନଙ୍କ ତୁଳନାରେ ଆମର ଫିଟ୍ନେସ୍ ସ୍ତର ନିମ୍ନରେ ରହିବ। ସେଥିପାଇଁ ଆମେ ୟୋ-ୟୋ ଟେଷ୍ଟ୍କୁ ଆପଣେଇବାକୁ ଚାହିଥିଲୁ। ଯାହାକି ଆମ ପାଇଁ ମୌଳିକ ଆବଶ୍ୟକତା ରହିଥିଲା ବୋଲି କୋହଲି ବୁଝାଇଥିଲେ। ‘‘ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ’’ର ପ୍ରଥମ ବର୍ଷ ପୂର୍ତ୍ତିକୁ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବେଳେ ମୋଦି ଏରୋବିକ୍ ଫିଟ୍ନେସ୍ ରୁଟିନ୍ ସଂପର୍କରେ ବି କୋହଲିଙ୍କୁ ପଚାରିଥିଲେ।
‘‘ଦୈନିକ କଷ୍ଟକର ରୁଟିନ୍ରେ ଦୁଇଟି ସେଟ୍ କୋନ୍ ଥାଏ, ଯାହାକି ୨୦ ମିଟର ଅଲଗା ରହିଥାଏ। ଥରେ ବିପ୍ ଶବ୍ଦ କଲେ ଖେଳାଳିଙ୍କୁ ପରବର୍ତୀ ଶବ୍ଦ ହେବା ପୂର୍ବରୁ ସେହି ସମୟ ମଧ୍ୟରେ ଆର ପାର୍ଶ୍ବର ଚିହ୍ନିତ ସ୍ଥାନରେ ଦୌଡ଼ି ପହଞ୍ଚିବା ଆବଶ୍ୟକ ରହିଥାଏ। ପୁଣି ତୃତୀୟ ବିପ୍ ଶବ୍ଦ ହେବା ବେଳକୁ ଆର ପାର୍ଶ୍ବରୁ ଫେରି ଯେଉଁଠାରୁ ଆରମ୍ଭ କରିଥିଲେ ସେଠାରେ ପହଞ୍ଚିବାକୁ ପଡ଼ିଥାଏ। ଏହି ଦୌଡ଼ ପାଇଁ ବିପ୍ର ଆବୃତ୍ତି ମଧ୍ୟ କ୍ରମେକ୍ରମେ ବୃଦ୍ଧି ପାଇଥାଏ। ଭାରତୀୟ ଦଳକୁ ମନୋନୀତ ହେବା ପାଇଁ ଏହି ଦୌଡ଼ ପରୀକ୍ଷାରେ ମୁଁ ଉତୀର୍ଣ୍ଣ ହୋଇଛି’’ ବୋଲି ଆଇପିଏଲ୍ ଖେଳିବା ପାଇଁ ସଂପ୍ରତି ୟୁଏଇରେ ଅବସ୍ଥାନ କରିଥିବା କୋହଲି ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ମୁଁ ଏକନିଶ୍ବାସରେ ଦ୍ରୁତ ବେଗରେ ଦୌଡ଼ିଥିଲି। କାରଣ ସେହି ପରିସ୍ଥିତିରେ ଯଦି ବିଫଳ ହେଉଛି ତାହାଲେ ଭାରତୀୟ ଦଳ ମନୋନୟନ ପାଇଁ ସୁଯୋଗ ମିଳିବନି ବୋଲି ଭୟ ଥାଏ। ତେଣୁ ସେହି ସଂସ୍କୃତିକୁ କାର୍ଯ୍ୟକାରୀ କରିବା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଏବଂ ଏହା ହିଁ ସାମଗ୍ରିକ ଫିଟ୍ନେସ୍ ସ୍ତରରେ ଉନ୍ନତି ଆଣିବା ଦିଗରେ ସହାୟକ ହୋଇଥାଏ ବୋଲି କୋହଲି ବୁଝାଇଥିଲେ। ‘‘ଉନ୍ନତ ଫିଟ୍ନେସ୍ ଖେଳାଳି ତଥା ବିଶେଷକରି ଦ୍ରୁତ ବୋଲରଙ୍କୁ ସଂକଟଜଜନ ସ୍ଥିତିରେ ଭଲ ପ୍ରଦର୍ଶନ କରିବାରେ ସହାୟକ ହୋଇଥାଏ ବୋଲି କୋହଲି କହିଥିଲେ। ଟେଷ୍ଟ୍ କ୍ରିକେଟ୍ରେ ଆମେ ବେଳେବେଳେ କ୍ଲାନ୍ତ ହୋଇପଡୁ। ଆମର ଦ୍ରୁତ ବୋଲରମାନେ ସଂପ୍ରତି ବିଶ୍ବର ଶ୍ରେଷ୍ଠ ଏବଂ ସେମାନେ ଟେଷ୍ଟ୍ର ଚତୁର୍ଥ ଓ ପଞ୍ଚମ ଦିନରେ ମଧ୍ୟ ସେମାନଙ୍କ ସାମର୍ଥ୍ୟ ଦେଖାଇପାରିଥା’ନ୍ତି’’ବୋଲି କୋହଲି କହିଥିଲେ।
କୋହଲି ଆହୁରି ମଧ୍ୟ କହିଥିଲେ ଯେ ସେ ତାଙ୍କ କ୍ୟାରିୟରର ଆରମ୍ଭରୁ ସନ୍ତୁଳିତ ଖାଦ୍ୟ ଅନୁସରଣ କରୁନଥିଲେ। ହେଲେ ପରବର୍ତୀ ସମୟରେ ଜୀବନଶୈଳୀକୁ ପୂରା ବଦଳାଇ ଦେଇ ଫିଟ୍ନେସ୍ ଉପରେ ଅଧିକ ଜୋର ଦେଉଛନ୍ତି। ଏହି ଅବସରରେ ମୋଦି ‘‘ଫିଟ୍ନେସ୍ କି ଡୋଜ୍, ଅଧା ଘଣ୍ଟା ରୋଜ’’ ସ୍ଲୋଗାନ୍କୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। ଏହି ବାର୍ତାଳାପ ସେସନ୍ରେ କୋହଲିଙ୍କ ବ୍ୟତୀତ ଅନ୍ୟ କ୍ରୀଡ଼ାବିତ୍ମାନଙ୍କ ମଧ୍ୟରେ ପାରାଲିମ୍ପିକ୍ ଜାଭେଲିନ୍ ସ୍ବର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝାରିଆ ଏବଂ ଜମ୍ମୁ ଓ କାଶ୍ମୀରର ମହିଳା ଫୁଟ୍ବଲ୍ ଖେଳାଳି ଅଫ୍ସାନ ଆସିକ୍ ଯୋଗ ଦେଇଥିଲେ। ଅଭିନେତା, ମଡେଲ ଓ ଧାବକ ମିଲିନ୍ଦ ସୋମନ ଏବଂ ପୁଷ୍ଟିକର ବିଶେଷଜ୍ଞ ରୁଜୁତା ଦିୱେକର ମଧ୍ୟ ଯୋଗ ଦେଇଥିଲେ। ୨୫ ବର୍ଷ ବୟସ୍କା ଅଫ୍ସାନଙ୍କୁ ମୋଦି ଏହି ଅବସରରେ ଭୂୟଶୀ ପ୍ରଶଂସା କରିଥିଲେ।