ଗମ୍ଭୀରଙ୍କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସଦ୍ୟ ଅବସରପ୍ରାପ୍ତ ଦୁଇ ଥର ବିଶ୍ବକପ୍ ବିଜେତା କ୍ରିକେଟର୍ ଗୌତମ ଗମ୍ଭୀରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଉଚ୍ଚ ପ୍ରଶଂସା କରି ଏକ ସ୍ବତନ୍ତ୍ର ବାର୍ତା ଦେଇଛନ୍ତି। ଅବହେଳିତ ଲୋକଙ୍କ ପାଇଁ ଗମ୍ଭୀରଙ୍କ ସକରାତ୍ମକ ଆଚରଣକୁ ମୋଦୀ ପ୍ରଶଂସା କରିଛନ୍ତି। ଗମ୍ଭୀର ୨୦୦୭‌ ମସିହାର ଟ୍ବେଣ୍ଟି-୨୦ ଏବଂ ୨୦୧୧ ମସିହାର ୫୦-୫୦ ଓଭର ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଥିଲେ। ଭାରତୀୟ କ୍ରୀଡ଼ାକୁ ତୁମ ଅବଦାନ ଲାଗି ମୁଁ ଅଭିନନ୍ଦନ ଜଣାଉଛି ଏବଂ ଉତ୍‌ଥାନ ପତନ ଭରା ଜୀବନରେ ଉଲ୍ଲେଖନୀୟ ଥିଲା ବୋଲି ମୋଦୀ ପ୍ରକାଶ କରିଛନ୍ତି। ଏହାର ଉତ୍ତରରେ ଗମ୍ଭୀର ମଧ୍ୟ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦେଶବାସୀଙ୍କ ଭଲ ପାଇବା ଏବଂ ସମର୍ଥନ ବିନା ଏହା ସମ୍ଭବ ହୋଇନଥାନ୍ତା ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ପାଇଥିବା ବାର୍ତା ଏବଂ ନିଜର ଉତ୍ତର ରଖି ଗମ୍ଭୀର ଏହାକୁ ଟ୍ବିଟର୍ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଗମ୍ଭୀର ଏଭଳି ଜଣେ କ୍ରିକେଟର୍ ଦେଶର ବିଭିନ୍ନ ଚିନ୍ତାଜନକ ପ୍ରସଙ୍ଗରେ ମୁହଁ‌ ଖୋଲିଥାନ୍ତି। ବିଶେଷ କରି ଦେଶର ଏକତା ଏବଂ ସଂହିତା ପ୍ରସଙ୍ଗରେ ସେ ମତ ରଖିଥାନ୍ତି। ସାମାଜିକ ଦାୟିତ୍ବବୋଧତାକୁ ସଠିକ ଭାବେ ତୁଲାଉଥିବାରୁ ମୋଦୀଙ୍କ ମୁହଁରୁ ପ୍ରଶଂସା ପାଇଥିବା ବିଶ୍ବାସ କରାଯାଉଛି। ଗତ ମାସରେ ୩୭ ବର୍ଷୀୟ ଗମ୍ଭୀର ଅବସର ଘୋଷଣା କରିଥିଲେ। ରାଜନୀତିରେ ଯୋଗଦେବା ଲାଗି ତାଙ୍କ ନାମକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲେ ମଧ୍ୟ ସେ ଏହାକୁ ସ୍ପଷ୍ଟଭାବେ ଖଣ୍ଡନ୍ କରି ସାରିଛନ୍ତି।

ସମ୍ବନ୍ଧିତ ଖବର