ଟୋକିଓ ପାରାଲିମ୍ପିଆନ୍‌ଙ୍କୁ ‌ମୋଦୀଙ୍କ ଶୁଭକାମନା: ‘ତୁମେମାନେ ଦିବ୍ୟାଙ୍ଗ ନୁହଁ, ଦିବ୍ୟାସ୍ତ୍ର’

୭୫ ବିଦ୍ୟାଳୟ ପରିଦର୍ଶନ କରିବାକୁ ଅଲିମ୍ପିଆନ୍‌ଙ୍କୁ ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ: ଚଳିତ ମାସ ୨୪ ତାରିଖରୁ ଟୋକିଓରେ ଆରମ୍ଭ ହେବାକୁ ଯାଉଛି ପାରାଲିମ୍ପିକ୍ସ। ଏହା ସେପ୍ଟେମ୍ବର ୫ରେ ଶେଷ ହେବ। ଟୋକିଓ ଗସ୍ତ କରିବା ପୂର୍ବରୁ ପରାଲିମ୍ପିକ୍ସରେ ଭାଗ ନେବାକୁ ଥିବା କିଛି ଦିବ୍ୟାଙ୍ଗ ଖେଳାଳି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଭାବ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‌ଟୋକିଓରେ ସଫଳତା ହାସଲ ପାଇଁ ଖେଳାଳିମାନଙ୍କୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଥିଲେ। ‘‘ତୁମେମାନେ ବିଜେତା ଏବଂ ରୋଲ୍‌ ମଡେଲ। ଟୋକଓରେ ପଦକର ବୋଝ ନ ନେଇ ନିଜର ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କର। ବିନା ଚାପରେ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଅ। ୧୪୦ କୋଟି ଭାରତୀୟଙ୍କ ସମର୍ଥନ ତୁମମାନଙ୍କ ସହ ରହିଛି। ଏହା ତୁମ ମନୋବଳ ବଢ଼ାଇବ। ପ୍ରତିଯୋଗିତାରେ ବିଜୟ ପାଇବା ତୁମମାନଙ୍କର ବାମ ହାତ‌ର ଖେଳ। ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ କିଛି ଖେଳାଳି ପଦକ ଜିତିଲେ କିଛି ଏଥିରୁ ବଞ୍ଚିତ ହେଲେ କିନ୍ତୁ ଦେଶ ସମସ୍ତଙ୍କ ସହ ରହିଛି। ଆପଣମାନେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଜିତିବାର ଆଗ୍ରହ ରହିଛି।

କରୋନା ଭଳି ମହାମାରୀରେ ବି ତୁମେମାନେ ପଛଘୁଞ୍ଚା ଦେଇନ। ଏହା ହେଉଛି କ୍ରୀଡ଼ାବିତ୍‌ ସ୍ପିରିଟ୍‌। ତୁମମାନେ ସ୍ବପ୍ନ ଦେଖିଛ ଏବଂ କରି ଦେଖାଛ। ଏହା ହିଁ ଅସଲ ବିଜେତା’’ ବୋଲି ନରେନ୍ଦ୍ର ମୋଦୀ ଖେଳାଳିମାନଙ୍କ ସହ କଥା ହେଳା ବେଳେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଭର୍ଚୁଆଲ୍‌ ଭାବ ବିନିମୟ କାର୍ଯ୍ୟକ୍ରମରେ ୧୦ ଜଣ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ଯୋଡ଼ି ହୋଇଥିଲେ। ଏଥିରେ ଥିଲେ ରିଓ ସ୍ବର୍ଣ୍ଣ ବିଜେତା ଦେବେନ୍ଦ୍ର ଝଝାରିଆ (ଜାଭ୍‌ଲିନ୍‌), ମାରିୟାପ୍ପାନ ଥାଙ୍ଗାଭେଲୁ (ଉଚ୍ଚ ଡିଆଁ), ଜ୍ୟୋତି ବାଲାନ, ରାକେଶ କୁମାର (ତୀରନ୍ଦାଜି), ସୋମନ ରାଣା (ଦୌଡ଼କୁଦ), ପଲକ କୋହଲି, ପାରୁଲ ପରମର (ବ୍ୟାଡ୍‌ମିଣ୍ଟନ), ପ୍ରାଚୀ ଯାଦବ (କାନୋଇଂ), ସକିନା ଖାତୁନ (ଶକ୍ତିଉତ୍ତୋଳକ) ଓ ସିଂହରାଜ (ବନ୍ଧୁକଚାଳନା)।

‘‘ତୁମେମାନେ ଜୀବନରେ ବହୁ କଷ୍ଟ ଦେଖିଛ। କିନ୍ତୁ ଏଥିରେ ହାରି ଯାଇନ ଏବଂ ଲଢ଼େଇ ଜାରି ରଖିଛ। ତୁମମାନଙ୍କ କଠିନ ପରିଶ୍ରମ ଏବଂ ଏକାଗ୍ରତା ଯୋଗୁଁ ସବୁ ପ୍ରକାର ବାଧାବିଘ୍ନକୁ ମାତ୍‌ ଦେଇପାରିଛ। ଏବେ ତୁମେମାନେ ବଡ଼ କ୍ରୀଡ଼ା ମହାକୁମ୍ଭରେ ଦେଶର ପ୍ରତିନିଧିତ୍ବ କରିବାକୁ ଯାଉଛ। ସେଠାରେ ବିନା ଚାପରେ ଖେଳ। ମୋର ବିଶ୍ବାସ ରହିଛି, ତୁମେମାନେ ୧୦୦ ପ୍ରତିଶତ ଦେବ ଏବଂ ପଦକ ଆପେ ଆପେ ଆସିବ। ତୁମମାନେ ଦେଶକୁ ଗର୍ବିତ କରିବ। ମୋର ବିଶ୍ବାସ ଆଗାମୀ ପରାଲିମ୍ପିକ୍ସରେ ଭାରତ ଇତିହାସ ନିଶ୍ଚିତ ରଚିବ। ତୁମେମାନେ ଦିବ୍ୟାଙ୍ଗ ନୁହଁ ଦିବ୍ୟାସ୍ତ୍ର’’ ବୋଲି ମୋଦୀ କହିଛନ୍ତି। ଆଗାମୀ ପାରାଲିମ୍ପିକ୍ସରେ ଭାରତରୁ ୫୪ ପ୍ରତିଯୋଗୀ ୯ଟି ଇଭେଣ୍ଟରେ ଭାଗନେବେ। ଜାଭ୍‌ଲିନ୍‌ ଫିଙ୍ଗାଳି ଝଝାରିଆଙ୍କଠୁ ଭାରତ ତୃତୀୟ ସ୍ବର୍ଣ୍ଣ ପଦକ ଅଶାରେ ରହିଛି। ଝଝାରିଆ ୨୦୦୪ ଓ ୨୦୧୬ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ତାଙ୍କ ସହ ମରିୟାପ୍ପାନ ଓ ସନ୍ଦୀପ ଚୌଧୁରୀଙ୍କଠୁ ମଧ୍ୟ ପଦକ ଆଶା ରହିଛି। ବ୍ୟାଡ୍‌ମିଣ୍ଟନ୍‌ରେ ମଧ୍ୟ ଓଡ଼ିଆ ପୁଅ ପ୍ର ମୋଦ ଭଗତ ପଦକ ଜିତିବା ସମ୍ଭାବନା ରହିଛି। ଅଗଷ୍ଟ ୨୭ ତାରିଖ ଉଭୟ ପୁରୁଷ ଓ ମହିଳା ତୀରନ୍ଦାଜିରୁ ଭାରତ ପାରାଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, କ୍ରୀଡ଼ା ସଚିବ ରବି ମିତ୍ତଲ, ଭାରତୀୟ ପାରାଲିମ୍ପିକ୍ସ ସଂଘ ସଭାପତି ଦୀପା ମଲ୍ଲିକ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ବରିଷ୍ଠ ଅଧିକାରୀ, ପ୍ରଶିକ୍ଷକ ଏବଂ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଖେଳିଥିବା ଭାରତୀୟ ଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ବାସ ଭବନରେ ସୋମବାର ଏକ ଜଳଖିଆ ପାର୍ଟିର ଆୟୋଜନ କରିଥିଲେ। ଏହି ଅବସରରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଓ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିବା ମୋଦୀ ଖେଳାଳିମାନଙ୍କୁ ଏକ ନିଆରା ଉପହାର ମାଗିଥିଲେ। ଦୁଇବର୍ଷ ଭିତରେ ପ୍ରତ୍ୟେକ‌ ଅଲିମ୍ପିଆନ୍ ନିଜ ନିଜ ସୁବିଧା ମୁତାବକ ୭୫ଟି ବିଦ୍ୟାଳୟକୁ ପରିଦର୍ଶନ କରି ନିଜ ଅଭିଜ୍ଞତା ବାଣ୍ଟିବା ସହ ଅପପୃଷ୍ଟି ବିରୋଧରେ ସଚେତନତା ସୃଷ୍ଟି କରିବାକୁ ଆହ୍ବାନ କରିଥିଲେ। ଏପରିକି ନିଜ ଗସ୍ତର ଭିଡିଓ ଓ ଫଟୋ ତାଙ୍କୁ ପଠାଇବାକୁ ମଧ୍ୟ କହିଥିଲେ। ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ଉପଲକ୍ଷେ ଏଭଳି ଏକ ମହତ ପ୍ରୟାସ କରିବାକୁ ମୋଦୀ କରିଥିବା ଆହ୍ବାନକୁ ଖେଳାଳିମାନେ ମଧ୍ୟ ସାଦରରେ ଗ୍ରହଣ କରି ନେଇଥିଲେ। କୁନି କୁନି ପିଲାଙ୍କ ସହ କିଛି ସମୟ ଖେଳିବାକୁ ମଧ୍ୟ ମୋଦୀ ଅଲିମ୍ପିଆନ୍‌ମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ହେଲେ ଆଗାମୀ ପିଢ଼ି ଖେଳ ପ୍ରତି ଆକର୍ଷିତ ହେବ। ଅଧିକ ସଂଖ୍ୟାରେ ଅବିଭାବକମାନେ ମଧ୍ୟ ନିଜ ପିଲାମାନଙ୍କୁ କ୍ରୀଡ଼ା କ୍ଷେତ୍ରକୁ ଛାଡ଼ିବେ ବୋଲି ମୋଦି ଏହି ଅବସରରେ ଆଶା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର