ମୋହାଲିରେ ଗେଲ୍‌ ଝଡ଼: ହାଇଦ୍ରାବାଦକୁ ହରାଇଲା ପଞ୍ଜାବ

ମୋହାଲି: କ୍ରିସ୍‌ ଗେଲ୍‌ଙ୍କ ଶତକୀୟ ଝଡ଼ ପରେ ଆଇପିଏଲ୍‌ରେ ଶୁକ୍ରବାର କିଙ୍ଗ୍‌ସ ଏକାଦଶ ପଞ୍ଜାବ ପ୍ରତିପକ୍ଷ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ୧୫ ରନ୍‌ରେ ପରାସ୍ତ କରିଛି। ହାଇଦ୍ରାବାଦ ହ୍ୟାଟ୍ରିକ୍‌ ବିଜୟ ପରେ ପ୍ରଥମ ପରାଜୟ ବରଣ କରିଛି। ପଞ୍ଜାବ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ସହିତ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନକୁ ଅତୁଟ ରଖିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଦଳ କ୍ରିସ୍‌ ଗେଲ୍‌ଙ୍କ ବିସ୍ଫୋରକ ପାଳି (୧୦୪*, ୬୩ ବଲ୍‌, ୧ ଚୌକା, ୧୧ ଛକା) ସତ୍ତ୍ୱେ ଅନ୍ୟମାନଙ୍କ ବିଫଳତା କାରଣରୁ ୧୯୩/୩ରେ ସୀମିତ ରହିଥିଲା। ଲୋକେଶ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ଵାଲ ୧୮ ରନ୍‌ ଲେଖାଏଁ କରିଥିଲେ। ଗେଲ୍‌ ଆଫଗାନିସ୍ତାନ ସ୍ପିନର୍‌ ରସିଦ୍‌ ଖାନ୍‌ (୪-୦-୫୫-୧)ଙ୍କୁ ନିର୍ଘାତ ପିଟିଥିଲେ। ଏହି କାରଣରୁ ରସିଦ୍‌ ମୋଟ ୭ଟି ଛକାର ଶିକାର ହୋଇଥିଲେ। ଜବାବରେ ଶିଖର ଧାଓ୍ଵନ (୦*) ରିଟାର୍ଡ ହର୍ଟ ହେବା ଦଳକୁ ଚାପରେ ରଖିଥିଲା। ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ (୫୪, ୪୧ ବଲ୍‌, ୩ ଚୌକା, ୨ ଛକା) ଏବଂ ମନୀଷ ପାଣ୍ଡେ (୫୭*, ୪୨ ବଲ୍‌, ୩ ଚୌକା, ୧ ଛକା) ଅର୍ଧଶତକ ହାସଲ କରିଥିଲେ ମଧ୍ୟ ବିଜୟ ଲକ୍ଷ୍ୟରେ ପହଞ୍ଚି ପାରିନଥିଲେ। ଚଳିତ ବର୍ଷର ପ୍ରଥମ ଶତକ ହାସଲକାରୀ ଗେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର୍‌ ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: କିଙ୍ଗ୍‌ସ ଏକାଦଶ ପଞ୍ଜାବ: ୨୦ ଓଭରରେ ୧୯୩/୩ (କ୍ରିସ୍‌ ଗେଲ୍‌-୧୦୪*, କରୁଣ ନାୟାର୍‌-୩୧, ଲୋକେଶ ରାହୁଲ୍‌-୧୮, ଆରୋନ୍‌ ଫିଞ୍ଚ୍‌-୧୪*, ଭୁବନେଶ୍ୱର କୁମାର-୧/୨୫, ସିଦ୍ଧାର୍ଥ କଉଲ୍‌-୧/୩୩, ରସିଦ୍‌ ଖାନ୍‌-୧/୫୫)। ସନ୍‌ ରାଇଜର୍ସ ହାଇଦ୍ରାବାଦ: ୨୦ ଓଭରରେ ୧୭୮/୪ (କେନ୍‌ ଓ୍ଵିଲିୟମ୍‌ସନ୍‌-୫୪, ମନୀଷ ପାଣ୍ଡେ-୫୭*, ସକିବ୍‌ ଅଲ୍‌ ହାସନ୍‌-୨୪*, ୟୁସୁଫ୍‌ ପଠାନ୍‌-୧୯, ଆଣ୍ଡ୍ରିଉ ଟାଇ-୨/୨୩, ମୋହିତ ଶର୍ମା-୨/୫୧)।

ମୋହାଲି: ଗୁରୁବାର ରାତିରେ ମୋହାଲି ପାଗ ପୂରା ଶାନ୍ତ ଥିଲା। ହେଲେ ହଠାତ୍‌ ଝଡ଼ ମାଡି ଆସିଲା। ଏହି ଝଡ଼, ବର୍ଷା କି ଘଡ଼ଘଡ଼ି ନେଇ ଆସି ନଥିଲା। ବରଂ ଏଥିରେ ଖାଲି ଛକା ବର୍ଷା ହୋଇଥିଲା। ଦୁର୍ଦ୍ଧର୍ଷ କ୍ରିସ୍‌ ଗେଲ୍‌ (୧୦୪* ରନ୍‌, ୬୩ ବଲ୍‌, ୧ ଚୌକା, ୧୧ ଛକା)ଙ୍କ ବିସ୍ଫୋରକ ବ୍ୟାଟ୍‌ ଚାଳନାରେ ପିସିଏ ଷ୍ଟାଡିୟମରେ ରନ୍‌ ଝଡ଼ ସୃଷ୍ଟି ହୋଇଥିଲା। ଏଥିରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଅଧିକାଂଶ ବୋଲରଙ୍କ ବଲ୍‌ ଉପରେ ଉପରେ ସୀମା ରେଖା ବାହାରକୁ ଉଡ଼ି ଯାଇଥିଲା। ଚଳିତ ବର୍ଷର ଆଇପିଏଲ୍‌ ନିଲାମର ପ୍ରଥମ ଦିନରେ ଅଲୋଡ଼ା ହେବା ପରେ ଦ୍ୱିତୀୟ ଦିନରେ କିଙ୍ଗ୍ସ ଏକାଦଶ ପଞ୍ଜାବ ବାଧ୍ୟବାଧକତାରେ କିଣିଥିବା ସେହି ଗେଲ୍‌ ହିଁ ଏକାଦଶ ଆଇପିଏଲ୍‌ର ପ୍ରଥମ ଶତକ ହାସଲକାରୀ ହୋଇଥିଲେ। ତାଙ୍କ ୫୮ ବଲ୍‌ ଶତକ ମୋହାଲି ଦର୍ଶକଙ୍କ ମନ କିଣି ନେଇଥିଲା। ଗେଲ୍‌ ୧୦୪ ରନ୍‌ରେ ଅପରାଜିତ ରହିବା ମଧ୍ୟ ସେମାନଙ୍କ ଖୁସିକୁ ଦ୍ୱିଗୁଣିତ କରି ଦେଇଥିଲା। ସେଥିପାଇଁ ପିସିଏ ପ୍ରଶଂସକ ଛିଡ଼ା ହୋଇ ଟେ୍ଵଣ୍ଟି-୨୦ ମହାରାଜା ଗେଲ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନ୍ୟପକ୍ଷରେ ଆଫଗାନିସ୍ତାନ ସ୍ପିନର ରସିଦ ଖାନ୍‌ (୪-୦-୫୫-୧) ଗେଲ୍‌ଙ୍କ ଘନ ଘନ ଆକ୍ରମଣ ପାଇଁ ଟେ୍ଵଣ୍ଟି-୨୦ରେ ବ୍ୟକ୍ତିଗତ ସର୍ବାଧିକ ରନ୍‌ ବ୍ୟୟ କରିବାର ଅଲୋଡ଼ା କୀର୍ତ୍ତିମାନ କରିଥିଲେ। ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଗେଲ୍‌ ଆଜି କିନ୍ତୁ ରକ୍ଷଣାତ୍ମକ ଢଙ୍ଗରେ ପାଳି ଆରମ୍ଭ କରିଥିଲେ। ପରେ ଗତି ବଢ଼ାଇ ୩୯ ବଲ୍‌ରୁ ୫ ଛକା ଓ ଗୋଟିଏ ଚୌକା ସହ ଲଗାତାର ଦ୍ୱିତୀୟ ଅର୍ଧଶତକ ପୂରଣ କରିଥିଲେ। ଆକ୍ରମଣକୁ ଜାରି ରଖି ୫୮ ବଲ୍‌ରୁ ସେହି ଏକମାତ୍ର ଚୌକା ସାଙ୍ଗକୁ ୧୧ ଛକା ବଳରେ ତିନି ଅଙ୍କ ଛୁଇଁଥିଲେ। ଟେ୍ଵଣ୍ଟି-୨୦ରେ ଏହା ତାଙ୍କର ୨୧ତମ ଏବଂ ଆଇପିଏଲ୍‌ର ସର୍ବାଧିକ ଷଷ୍ଠ ଶତକ ଥିଲା। ଚଳିତ ଆଇପିଏଲ୍‌ର ଅବଶ୍ୟ ଏହା ପ୍ରଥମ ଶତକ ହୋଇଥିଲା। ଆଇପିଏଲ୍‌ର ସର୍ବାଧିକ ଶତକ ତାଲିକାରେ ଗେଲ୍‌ଙ୍କ ପଛକୁ ବିରାଟ କୋହଲି (୪), ଏବି ଡିଭିଲିୟର୍ସ/ ଡେଭିଡ୍‌ ଓ୍ଵାର୍ନର (୩), ଆଦାମ ଗିଲକ୍ରିଷ୍ଟ/ ବୀରେନ୍ଦ୍ର ସେହବାଗ/ ବ୍ରେଣ୍ଡନ ମ୍ୟାକ୍‌ଲମ୍‌/ମୁରଲୀ ବିଜୟ/ ସେନ୍‌ ଓ୍ଵାଟସନ୍‌/ହାସିମ ଆମଲା (୨) ରହିଛନ୍ତି।
ଝିଅ ପାଇଁ ଝୁଲଣା ଚଳିତ ଆଇପିଏଲ୍‌ରେ ଗେଲ୍‌ ନୂଆ ଶୈଳୀରେ ଅର୍ଧଶତକ ଏବଂ ଶତକ ପୂରଣ ଉତ୍ସବ ପାଳନ କରୁଛନ୍ତି। ୫୦ କିମ୍ବା ୧୦୦ ଛୁଇଁଲା ମାତ୍ରେ ବ୍ୟାଟ୍‌କୁ ଦୁଇ ହାତରେ ଧରି ଛୁଆ ଖେଳାଇବା ଝୁଲଣା ଭଙ୍ଗୀରେ ହଲାଉଛନ୍ତି। ଗୁରୁବାର ଏହାର ରହସ୍ୟ ଉପରୁ ପରଦା ଉଠିଥିଲ। ପ୍ରକୃତରେ ଗେଲ୍‌ ନିଜ କନ୍ୟା କ୍ରିସାଲିନା ପାଇଁ ଏଭଳି କରୁଥିବା ଜଣା ପଡ଼ିଥିଲା। କିଙ୍ଗ୍ସ ଏକାଦଶ ପଞ୍ଜାବ ପାଳି ସରିଲା ପରେ ଗେଲ୍‌ ଦେଇଥିବା ସାକ୍ଷାତକାରରେ ଏହି ରହସ୍ୟ ଉପରୁ ପରଦା ଉଠାଇଥିଲେ। ସେ କହିଥିଲେ, ମୋ ଝିଅ କ୍ରିସାଲିନା ଶୁକ୍ରବାର ତା’ର ଦ୍ୱିତୀୟ ଜନ୍ମ ଦିବସ ପାଳନ କରିବ। ମୁଁ ତାକୁ ଏହି ଶତକଟି ଉତ୍ସର୍ଗ କରୁଛି। ସଂଯୋଗ ବଶତଃ କ୍ରିସାଲିନା ମା’ ନତାଶା ବେରିଜଙ୍କ ସହ ସଂପ୍ରତି ଭାରତରେ ଅଛି। ଗତବର୍ଷ ଭାରତରେ ହିଁ ସେ ନିଜ ପ୍ରଥମ ଜନ୍ମଦିବସ ପାଳନ କରିଥିଲା। ପଞ୍ଜାବ ଦଳର ମାର୍ଗଦର୍ଶକ ବୀରେନ୍ଦ୍ର ସେହବାଗ ତାଙ୍କୁ ଭଲ ଯୋଗ ଗୁରୁ ଏବଂ ମାଲିସ୍‌ ବାଲା ଦେଇଥିବାରୁ ଗେଲ୍‌ ଏହି ଅବସରରେ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର