ନୂଆଦିଲ୍ଲୀ, ୨ା୩: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତୀୟ ଟେଷ୍ଟ୍ ଇତିହାସରେ ରୋହିତ ଶର୍ମାଙ୍କ ଅଧିନାୟକ ଯୁଗର ଶୁଭାରମ୍ଭ ହେବ। ପ୍ରଥମ ଟେଷ୍ଟ୍ରେ ରୋହିତ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ୍ ଦଳର ନେତୃତ୍ବ ନେବେ। ସଂଯୋଗବଶତଃ ପୂର୍ବତନ ଅଧିନାୟକ ବିରାଟ କୋହଲି ଏଥିରେ ୧୦୦ ଟେଷ୍ଟ୍ ଖେଳିବାର ମାଇଲଖୁଣ୍ଟ ଛୁଇଁବେ। ୩୪ ବର୍ଷୀୟ ରୋହିତ ଏହା ପୂର୍ବରୁ ଭାରତୀୟ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଦଳର ମଙ୍ଗ ଧରି ସାରିଛନ୍ତି। ଉପଅଧିନାୟକ ଦାୟିତ୍ବରେ ଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ବି ଏହି ମ୍ୟାଚ୍ ଜିତି କୋହଲିଙ୍କ ଶତକୀୟ ଟେଷ୍ଟ୍କୁ ସ୍ମରଣୀୟ କରିବାକୁ ଭାରତ ଚାହିବ ବୋଲି କହି ସାରିଛନ୍ତି।
୮,୦୦୦ରନ୍ ଠାରୁ ୩୮ ଦୂରରେ କୋହଲି
ମୋହାଲିରେ ଆୟୋଜିତ ହେବାକୁ ଯାଉଥିବା ଏହି ମ୍ୟାଚ୍ ଖେଳି କୋହଲି ୧୦୦ ଟେଷ୍ଟ୍ ଖେଳିବାର ମାଇଲଖୁଣ୍ଟ ଛୁଇଁବାରେ ଦ୍ବାଦଶ ଭାରତୀୟ ହେବେ। ଏହି ମ୍ୟାଚ୍ରେ ମଧ୍ୟ ତାଙ୍କ ପାଇଁ ଆଉ ଏକ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ଆଉ ମାତ୍ର ୩୮ ରନ୍ କଲେ ଟେଷ୍ଟ୍ କ୍ରିକେଟ୍ରେ ୮,୦୦୦ ରନ୍ ପୂରଣ କରିବେ ସେ। ଏହି କ୍ରମରେ ସଚିନ ତେନ୍ଦୁଲକର (୧୫୪ ପାଳିରେ), ରାହୁଲ ଦ୍ରାବିଡ଼ (୧୫୮ ପାଳିରେ), ବୀରେନ୍ଦ୍ର ସେହବାଗ (୧୬୦ ପାଳିରେ), ସୁନିଲ ଗାଭାସ୍କର (୧୬୬ ପାଳିରେ), ଭିଭିଏସ୍ ଲକ୍ଷ୍ମଣ (୨୦୧ ପାଳି)ଙ୍କ ପଛକୁ ଷଷ୍ଠ ଭାରତୀୟ ହେବେ। ବିଶ୍ବର ସବୁଠାରୁ ଚର୍ଚ୍ଚିତ ବ୍ୟାଟର୍ର ମାନ୍ୟତା ଲାଭ କରିଥିବା କୋହଲି କିନ୍ତୁ ନିକଟ ଅତୀତରେ ବଡ଼ ପାଳି ଖେଳି ନାହାନ୍ତି। ଶେଷ ଥର ପାଇଁ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ। ୨୦୨୧ରେ ଖେଳିଥିବା ଶେଷ ୫ ଟେଷ୍ଟ୍ରେ ମାତ୍ର ୨୬ ହାରରେ ୨୦୮ ରନ୍ କରିଛନ୍ତି କୋହଲି। ୮ ପାଳିରେ ୩ ଥର ଖାତା ଖୋଲି ପାରିନାହାନ୍ତି। ୨୦୨୧ର ୮ ପାଳିରୁ ୬ ଥର ସ୍ପିନର ତାଙ୍କୁ ଆଉଟ୍ କରିଛନ୍ତି। ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ ଏବଂ ଶ୍ରୀଲଙ୍କା ବିପକ୍ଷ ତିନି ଟିକିଆ ଟେଷ୍ଟ୍ ଶୃଙ୍ଖଳାରୁ ବିଶ୍ରାମ ନେଇ ସତେଜ ମନ ଏବଂ ଦେହରେ ଫେରୁଥିବାରୁ ଶ୍ରୀଲଙ୍କା ଶୃଙ୍ଖଳାରେ ଅନ୍ତତଃ ଥରେ ସେ ତିନି ଅଙ୍କ ଛୁଇଁବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। କାରଣ ୨୦୧୭ରେ ଶ୍ରୀଲଙ୍କା ଯେତେବେଳେ ଭାରତ ଗସ୍ତ କରିଥିଲା କୋହଲି ନାଗପୁରଠାରେ ୨୧୩ ଏବଂ ଦିଲ୍ଲୀରେ ୨୪୩ ରନ୍ର ପାଳି ଖେଳିବା ସହ ମୋଟ ଉପରେ ୩ ଟେଷ୍ଟ୍ରୁ ୬୧୦ ରନ୍ ଅମଳ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ଲଗାତାର ତିନିଟି ଶତକ ହାସଲ କରିଥିଲେ। ସୂଚନାଯୋଗ୍ୟ ଯେ ୯୯ ଟେଷ୍ଟ୍ ଖେଳି ୨୭ ଶତକ ଏବଂ ୨୮ ଅର୍ଦ୍ଧଶତକ ସହ ୭୯୬୨ ରନ୍ କରିଛନ୍ତି।
ଭାରତକୁ ସହଯୋଗ କରୁଛନ୍ତି ବାହୁତୁଲେ ଓ ଅପୂର୍ବ
ମୋହଲି: ମୋହାଲି ଟେଷ୍ଟ୍ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ଅଧିବେସନରେ ପୂର୍ବତନ ଲେଗ୍ସ୍ପିନର ସାଇରାଜ ବାହୁତୁଲ୍ଲେ ଏବଂ ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର୍ ଅପୂର୍ବ ଦେଶାଇଙ୍କୁ ଦେଖିବାକୁ ମିଳିଛି। ଉଭୟ ଭାରତୀୟ ଖେଳାଳିଙ୍କ ମାର୍ଗଦର୍ଶନ କରୁଛନ୍ତି। ଫଳରେ ସେମାନେ ଭାରତୀୟ ଦଳର ପ୍ରଶିକ୍ଷକ ମଣ୍ଡଳିରେ ଯୋଗଦେଇଥିବାର ଆଶା ସଂଚାର ହୋଇଛି। ହେଲେ ବିସିସିଆଇ ଏହି ଖବରକୁ ଖଣ୍ଡନ କରିଛି। ଉଭୟ ଅସ୍ଥାୟୀ ଭାବେ ଭାରତୀୟ ଦଳ ସହ କାର୍ଯ୍ୟ କରୁଛନ୍ତି। ଦିନେ ଦୁଇ ଦିନ ଭିତରେ ସେମାନେ ନିଜ ପୁରୁଣା କର୍ମସ୍ଥଳୀ ଏନ୍ସିଏ (ଜାତୀୟ କ୍ରିକେଟ୍ ଏକାଡେମି)କୁ ଫେରିଯିବେ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ବାହୁତୁଲେ ଏନ୍ସିଏରେ ବୋଲିଂ ପ୍ରଶିକ୍ଷକ ଥିଲା ବେଳେ ଅପୂର୍ବ ବ୍ୟାଟିଂ ପ୍ରଶିକ୍ଷକ ଅଛନ୍ତି। ଭାରତୀୟ ଦଳ ସହ ଏବେ ଏନ୍ସିଏ ଟ୍ରେନର ଆନନ୍ଦ ଦତେ ଏବଂ ଫିଜିଓ ପାର୍ଥ ମଧ୍ୟ ମୋହାଲିରେ ଅଛନ୍ତି। ମୋହାଲି ମ୍ୟାଚ୍ ପୂର୍ବରୁ ସେମାନେ ମଧ୍ୟ ଏନସିଏ ଫେରିଯିବେ ବୋଲି ସଂପୃକ୍ତ ଅଧିକାରୀ ସ୍ପଷ୍ଟ କରି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବାହୁତୁଲେ ନିକଟରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ପ୍ରଶିକ୍ଷକ ମଣ୍ଡଳିର ଅନ୍ୟତମ ସଦସ୍ୟ ଥିଲେ।
ଟିମ୍ ଇଣ୍ଡିଆକୁ ମିଳିବ ନୂଆ ଫିଜିଓ ଓ ଟ୍ରେନର୍
ଟିମ୍ ଇଣ୍ଡିଆକୁ ଖୁବଶୀଘ୍ର ନୂଆ ଫିଜିଓ ଏବଂ ଟ୍ରେନର ମିଳିବେ। ବିସିସିଆଇ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଦେଇଛି। ଦୁଇଟି ବର୍ଗରେ ସେମାନଙ୍କୁ ନିଯୁକ୍ତି ମିଳିବ। ପ୍ରଥମ ବର୍ଗ ବରିଷ୍ଠ ପୁରୁଷ ଓ ମହିଳା ଏବଂ ଦ୍ବିତୀୟ ବର୍ଗ କନିଷ୍ଠ ମହିଳା ଓ ପୁରୁଷ ଦଳ ସହ କାର୍ଯ୍ୟ କରିବେ। ଏଥିଲାଗି ଆବେଦନ କରିବାର ଶେଷ ତାରିଖ ଚଳିତ ମାସ ୯ ତାରିଖ ରହିଛି।