ମୁମ୍ବାଇ : ହରଭଜନ ସିଂହ, ଯୁବରାଜ ସିଂହ ଓ ଅନ୍ୟ କେତେକ କ୍ରିକେଟରଙ୍କ ପରେ ମହମ୍ମଦ କୈଫ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ଗ୍ରେଗ୍ ଚାପେଲଙ୍କୁ ସମାଲୋଚନା କରିଛନ୍ତି। ୨୦୦୫ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଥିବା ଅଷ୍ଟ୍ରେଲୀୟ କିଂବଦନ୍ତି ଗ୍ରେଗ୍ ଚାପେଲଙ୍କ ପାଖରେ ମାନବ ପରିଚାଳନା କଳାର ଅଭାବ ଥିଲା। ତାଙ୍କୁ ଜନ୍ ରାଇଟ (୨୦୦ରୁ ୨୦୦୫ ପର୍ଯ୍ୟନ୍ତ ଭାରତର ପ୍ରଶିକ୍ଷକ ଥିଲେ)ଙ୍କଠାରୁ ଅନେକ କିଛି ଶିକ୍ଷା ନେବାର ଥିଲା ବୋଲି କୈଫ ବୁଧବାର ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଛନ୍ତି। ‘‘ଅନ୍ତର୍ଜାତୀୟ କ୍ରିକେଟ୍ରେ ୯୦୦୦ରୁ ଅଧିକ ରନ୍ କରିଥିବା ଚାପେଲ ଜଣେ ବହୁତ ଭଲ ବ୍ୟାଟିଂ ପ୍ରଶିକ୍ଷକ ହୋଇ ପାରିଥାଆନ୍ତେ। ହେଲେ ସେ ନିଜେ ହିଁ ନିଜ ନାଁ’କୁ ଖରାପ କରିଥିଲେ। ସେ ଦଳକୁ ଠିକ୍ ଭାବରେ ଚଳାଇ ପାରି ନଥିଲେ। ଭାରତୀୟ ସଂସ୍କୃତିକୁ ବି ବୁଝି ପାରି ନଥିଲେ। ମାନବ ପରିଚାଳନା କଳାର ଅଭାବ ଥିବାରୁ ନିଜକୁ ଜଣେ ଦକ୍ଷ ପ୍ରଶିକ୍ଷକ ଭାବେ ନିଜକୁ ପ୍ରମାଣିତ କରି ପାରିନଥିଲେ। ରାଇଟ ଖେଳାଳିଙ୍କ ମଧ୍ୟରେ ସମନ୍ବୟ ରଖୁଥିଲେ, ସେ ସୌରଭ ଗାଙ୍ଗୁଲିଙ୍କୁ ଆଗରେ ରହି ନେତୃତ୍ବ ନେବାକୁ ଛାଡ଼ି ଦେଇଥିଲେ। ସେଥିପାଇଁ ଲୋକେ ଆଜି ବି ତାଙ୍କୁ ସମ୍ମାନ ଦେଉଛନ୍ତି’’ ବୋଲି କୈଫ କହିଥିଲେ।
ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ରୂପରେ କ୍ରିକେଟ୍ର ତିନିଟି ଦିଗ ଥିଲେ ମଧ୍ୟ ଅନେକ ସମୟରେ କ୍ଷେତ୍ରରକ୍ଷଣକୁ ଅବହେଲା କରାଯାଏ। ଏବେ କିନ୍ତୁ ଏହି ଦିଗକୁ ସବୁ ଦଳ ଗୁରୁତ୍ବ ଦେଉଥିବାରୁ କୈଫ ଖୁସି ଜାହିର କରିଛନ୍ତି। ସେହିଭଳି ଜଣେ ଭଲ କ୍ଷେତ୍ରରକ୍ଷକ ହେବାକୁ ହେଲେ ଶାରୀରିକ ଫିଟ୍ନେସ୍ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି କହିଛନ୍ତି। ଭାରତର ଅନ୍ୟତମ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ପରିଚିତ ହେଉଥିବା କୈଫ ଏହି ବିଷୟରେ ନିଜ ମତ ରଖିବାକୁ ଯାଇ କହିଛନ୍ତି ଯେ ଜଣେ ଭଲ କ୍ଷେତ୍ରରକ୍ଷକ ହେବାକୁ ହେଲେ ଜଣକୁ ଦୀର୍ଘ ସମୟ ଧରି ଅଭ୍ୟାସ କରିବାକୁ ପଡ଼ିବ। ଅଭ୍ୟାସର ଗୁଣାତ୍ମକ ଦିଗ ଅପେକ୍ଷା ସଂଖ୍ୟାତ୍ମକ ଦିଗ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଭଲ କ୍ଷେତ୍ରରକ୍ଷକ ହେବାର ଆଗ୍ରହ ସମସ୍ତଙ୍କ ପାଖରେ ରହିବା ଦରକାର। କାରଣ ପଡ଼ିଆ ଭିତରେ ଆପଣ କେବଳ ୩୦ ମିନିଟ୍ ନୁହେଁ ପୂରା ୫୦ ଓଭର କିମ୍ବା ପୂରା ଦିନ ରହିବାକୁ ହୁଏ। ସାଂପ୍ରତିକ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ପ୍ରଶଂସା କରିଛନ୍ତି କୈଫ। ଜାଦେଜା ନିଜ କ୍ଷେତ୍ରରକ୍ଷଣ ଦକ୍ଷତା ବଳରେ ସମସ୍ତଙ୍କ ପ୍ରେରଣା ପାଲଟିଛନ୍ତି ବୋଲି କୈଫ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Kaif-e1589094694301-1280x720.jpg)