ମୁମ୍ବାଇ: ପତ୍ନୀ ହସିନ ଜାହାଁଙ୍କ ଅଭିଯୋଗ ପରେ ଭାରତୀୟ କ୍ରିକେଟର୍‌ ମହମ୍ମଦ ସାମିଙ୍କ ବିରୋଧରେ ଧର୍ଷଣ ଓ ହତ୍ୟା ଉଦ୍ୟମ ଅଭିଯୋଗ ରୁଜ୍ଜୁ କରାଯାଇଛି। ତାଙ୍କ ବିରୋଧରେ କୋଲ୍‌କାତା ପୁଲିସ ମୋଟ ୫ଟି ଅଭିଯୋଗ ଦାଏର କରିଛି। ସାମିଙ୍କ ନାମରେ ଧର୍ଷଣ, ହତ୍ୟା ଉଦ୍ୟମ, ଘରୋଇ ହିଂସା, ବ୍ୟଭିଚାର ତଥା ଅନୈତିକ ସମ୍ପର୍କ ଆଦି ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ ହସିନ ଜାହାଁ। ସେ ସାମି ଏବଂ ତାଙ୍କ ପରିବାରର ୪ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ଦେବା ପରେ ପୁଲିସ୍‌ ଭାରତୀୟ ପିଙ୍ଗଳ ଧାରାର ୩୭୬, ୩୦୭, ୪୯୮-ଏ, ୩୨୩, ୩୨୮, ୩୪ ଏବଂ ୫୦୬ରେ ମାମଲା ରୁଜୁ କରିଛି। ଏହା ସାମିଙ୍କ ଚିନ୍ତା ବଢ଼ାଇ ଦେଇଛି।

Advertisment

ବୁଧବାର ହସିନା ସାମିଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ପରେ ବିସିସିଆଇ ସାମିଙ୍କୁ ତା’ର ବାର୍ଷିକ ଚୁକ୍ତିରୁ ବାଦ୍‌ ଦେଇଥିଲା। ତଦନ୍ତ ଶେଷ ପର୍ଯ୍ୟନ୍ତ ସେ ଚୁକ୍ତିରୁ ବାଦ୍‌ ପଡ଼ିବା କଥା କୁହାଯାଇଥିବାରୁ ଏବେ ସାମିଙ୍କ ଖେଳ ଜୀବନ ଭବିଷ୍ୟତ ନେଇ ଆଶଙ୍କା ଜାତ ହୋଇଛି। ସାମି ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କହିଥିଲେ। କିନ୍ତୁ ପତ୍ନୀଙ୍କୁ ଯୋଗାଯୋଗ କରିବାରେ ବିଫଳ ହେଉଥିବା ସାମି କହିଥିଲେ। ସାମିଙ୍କ ପରିବାର ଲୋକ ହସିନଙ୍କୁ ବିଗତ ୨ ବର୍ଷ ହେବ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଥିଲା। ପରିବାରର ସମସ୍ତେ ମୋତେ ନିର୍ଯାତନା ଦେଉଥିଲେ ବୋଲି ହସିନ୍‌ କହିଥିଲେ। ସାମିଙ୍କ ଏକ ମୋବାଇଲ ତାଙ୍କ କାର ଭିତରୁ ମିଳିବା ପରେ ଏଥିରେ ସେ ଏକାଧିକ ମହିଳାଙ୍କ ସହ ସମ୍ପର୍କରେ ରହିଥିବା ପ୍ରମାଣ ପାଇଥିଲେ ହସିନ୍‌। ଏହା ପରଠାରୁ ଉଭୟଙ୍କ ମଧ୍ୟରେ ବିଭେଦ ଦେଖା ଦେଇଥିଲା ବିଶ୍ୱାସ କରାଯାଉଛି।

ଏହି ମୋବାଇଲ୍‌କୁ ସାମି ୨୦୧୪ ମସିହାରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ ଡେୟାର୍‌ ଡେଭିଲ୍‌ସଠାରୁ ଉପହାର ସୂତ୍ରରେ ପାଇଥିଲେ। ଯେଉଁ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରୁ ପ୍ରଥମେ ସାମିଙ୍କ ନାମରେ ଅଭିଯୋଗ ଆସିଥିଲା ଏବେ ତାହା ନିଷ୍କ୍ରିୟ ହୋଇପଡ଼ିଛି। ଅନ୍ୟପକ୍ଷରେ ସାମି ସଦ୍ୟ ସମାପ୍ତ ଦେଓଧର ଟ୍ରଫିରେ ଖେଳିଥିବାବେଳେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ଲାଗି ଦିଲ୍ଲୀ ଡେୟାର ଡେଭିଲ୍‌ସ ଦଳରେ ସାମିଲ ଅଛନ୍ତି।