ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ୨୦୧୯ର ସର୍ବାଧିକ ସଫଳ ଦିନିକିଆ ବୋଲର

ନୂଆଦିଲ୍ଲୀ : ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ଚଳିତ ବର୍ଷ ୨୧ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଖେଳି ୪୨ ଵିକେଟ୍ ଅକ୍ତିଆର କରିବା ସହିତ ସର୍ବାଧିକ ଵିକେଟ୍ ହାସଲକାରୀ ବୋଲର ଭାବେ ବର୍ଷ ଶେଷ କରିଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ସଫଳ ଦିନିକିଆ ବୋଲର ହେବାର କୀର୍ତ୍ତିମାନ ଦ୍ବିତୀୟ ଥର ପାଇଁ ସାମି ହାସଲ କରିଛନ୍ତି। ଏହା ପୂର୍ବରୁ ୨୦୧୪ରେ ଦିନିକିଆରେ ୩୮ ଵିକେଟ୍ ଅକ୍ତିଆର କରି ସେ ପ୍ରଥମ ଥର ପାଇଁ ଶୀର୍ଷରେ ରହିଥିଲେ। ଚଳିତବର୍ଷ ବିଶ୍ବକପ୍‌ରେ ସାମି ଆଫଗାନିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ସହ ୧୩.୭୮ ହାରରେ ୧୪ ଵିକେଟ୍ ଅକ୍ତିଆର କରିଥିଲେ। ସାମିଙ୍କ ପରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର୍ ଟ୍ରେଣ୍ଟ ବୋଲ୍ଟ ୨୦ ମ୍ୟାଚ୍‌ରୁ ୨୩.୯୭ ହାରରେ ୩୮ ଵିକେଟ୍ ଅକ୍ତିଆର କରି ଦ୍ବିତୀୟରେ ଥିବା ବେଳେ ସାଥୀ ଖେଳାଳି ଲୋକି ଫର୍ଗୁସନ୍ ୧୭ ମ୍ୟାଚ୍‌ରୁ ୩୫ ଵିକେଟ୍ ଅକ୍ତିଆର କରି ତୃତୀୟରେ ରହିଛନ୍ତି। ସେହିଭଳି ଚତୁର୍ଥରେ ବାଂଲାଦେଶର ବାମହାତୀ ଦ୍ରୁତ ବୋଲର୍ ମୁସ୍ତାଫିଜୁର୍ ରହମାନ୍ ୧୬ ମ୍ୟାଚ୍‌ରୁ ୩୪ ଵିକେଟ୍ ଅକ୍ତିଆର କରି ରହିଥିବା ବେଳେ ଭାରତର ଅନ୍ୟତମ ଦ୍ରୁତ ବୋଲର୍ ଭୁବନେଶ୍ବର କୁମାର ୧୯ ମ୍ୟାଚ୍‌ରୁ ୨୩.୭୫ ହାରରେ ୩୩ ଵିକେଟ୍ ନେଇ ପଞ୍ଚମରେ ରହିଛନ୍ତି। ସ୍ପିନର୍‌ଙ୍କ ମଧ୍ୟରେ ଭାରତର ‘କୁଲ୍‌ଚା’ (କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ) ଯୋଡ଼ି ଯଥାକ୍ରମେ ୩୨ ଓ ୨୯ ଵିକେଟ୍ ନେଇ ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧିତ ଖବର