କୋଲକାତା: ପଶ୍ଚିମବଙ୍ଗର ଆଲିପୁର ଅଦାଲତ କ୍ରିକେଟର ମହମ୍ମଦ ସାମିଙ୍କ ବିରୋଧରେ ଜାରି ହୋଇଥିବା ଗିରଫ ଓ୍ଵାରେଣ୍ଟ ସ୍ଥଗିତ କରିଦେଇଛନ୍ତି। ଅଦାଲତ ପକ୍ଷରୁ ଏକ ସପ୍ତାହ ପୂର୍ବରୁ ମହମ୍ମଦ ସାମି ଓ ତାଙ୍କର ଭାଇ ହସିନ ଅହମଦଙ୍କ ବିରୋଧରେ ଘରୋଇ ହିଂସା ମାମଲାରେ ଗିରଫ ଓ୍ଵାରେଣ୍ଟ ଜାରି କରାଯାଇଥିଲା। ଅଦାଲତ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଥିଲେ। ସାମିଙ୍କ ପତ୍ନୀ ହାସିନ ଜହାଁ ତାଙ୍କ ବିରୋଧରେ ଯୌତୁକ ଓ ଯୌନ ଉତ୍ପୀଡନ ମାମଲା ରୁଜୁ କରାଇଥିଲେ।

Advertisment

ଆଲିପୁର ଅଦାଲତ ଧାରା ୪୯୮-ଏ (ଘରୋଇ ହିଂସା) ଏବଂ ୩୫୪-ଏ (ଯୌନ ଉତ୍ପୀଡନ) ବଳରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମଦ ସାମିଙ୍କ ବିରୋଧରେ ମାମଲା ରୁଜୁ କରାଯିବାର ପାଖାପାଖି ୬ ମାସ ପରେ ଗିରଫ ଓ୍ଵାରେଣ୍ଟ ଜାରି କରିଥିଲା। ସାମିଙ୍କ ପତ୍ନୀ ହାସିନ ଜହାଁ ଗତ ବର୍ଷ ମାର୍ଚ୍ଚରେ ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ। ହାସିନ ଜହାଁ ମାଡ଼ମାରିବା, ଦୁଷ୍କର୍ମ, ହତ୍ୟା ଉଦ୍ୟମ ଆଦି ଅଭିଯୋଗ ଆଣିଥିଲେ। ସେହିଭଳି ସାମିଙ୍କ ବିରୋଧରେ ହାସିନ ଜହାଁ ମ୍ୟାଚ୍‌ ଫିକ୍ସିଙ୍ଗ ଅଭିଯୋଗ ମଧ୍ୟ ଆଣିଥିଲେ। ଏହା ପରେ ସାମି ଅଡୁଆରେ ପଡ଼ିଯାଇଥିଲେ।